ଏହି ବିଜ୍ଞାନ-ସଭ୍ୟତାକୁ ସେ ଯଦି ବିଚକ୍ଷଣତାର ସହିତ ଗ୍ରହଣ କରିପାରେ, ତେବେ ତାହାର ଯାହା ରହିବାର କଥା ତାହା ତ ଅବଶ୍ୟ ରହିବ। ସେ କେବଳ ତାର ସ୍ୱାର୍ଥଧର୍ମରେ ନାହିଁ, ଦର୍ଶନରେ ନାହିଁ, ସାହିତ୍ୟରେ ନାହିଁ, ପ୍ରତ୍ନତତ୍ତ୍ୱରେ ନାହିଁ, ଅଛି ଏକମାତ୍ର ଅର୍ଥରେ-ଯେଉଁ ସ୍ୱାର୍ଥ ଜାପାନର ଅଛି, ତୁର୍କିର ଅଛି, ଇଂଲଣ୍ଡର ଅଛି ଓ ଆଉ ସବୁ ଦେଶରେ ମଧ୍ୟ ଅଛି। କିନ୍ତୁ ଭାରତର ସଭ୍ୟତା ଓ ସ୍ୱାଦେଶିକତା ଯଦି ଆଜି କାଲି ପରି କେବଳ ଧର୍ମ ଦର୍ଶନରେ ମୁଖ୍ୟତଃ ଆବଦ୍ଧ ରହେ, ତେବେ ତାକୁ ଖାଲି ଖୋଳଟି ଘେନି ସନ୍ତୁଷ୍ଟ ରହିବାକୁ ପଡ଼ିବ, ଭିତରଟି ଯାହାର ଶୂନ୍ୟ ।
ଏହି ଯେ ପୃଥିବୀ-ବ୍ୟାପୀ ଗୋଟିଏ ସର୍ବସାଧାରଣ ସଭ୍ୟତାର ଆରମ୍ଭ ହୋଇଛି, ଏହାକୁ ଅଭିବାଦନ କରିବାର ମଙ୍ଗଳ-ଦୁନ୍ଦୁଭି ଯଦି କାହାରି ହାତରେ ଥାଏ ତ, ସେ କେବଳ ଯୁବକ। କାରଣ କ୍ଷୁଦ୍ର ମଧ୍ୟରେ ଆବଦ୍ଧ ରହିବା ତାହାର ସ୍ୱାଭାବବିରୁଦ୍ଧ। ପୃଥିବୀମୟ ଯୁବକର ଚିନ୍ତାଧାରା ସହିତ ନିଜ ଚିନ୍ତାକୁ ଯୋଗ କରିବାର ଯେଉଁ ଆନନ୍ଦ, ତାହା ନିକଟରେ ନୂଆ ଓଡ଼ିଶା ପ୍ରଦେଶରେ କୋମଳ ରାଜନୀତି, ତରୁଣ କାନକୁ ପୁରୁଣା ଗ୍ରାମୋଫୋନ୍ ରେକଡ଼ ପରି ହିଁ ଶୁଣାଯିବାର କଥା । ସୁତରାଂ ସେ ସମସ୍ୟାକୁ ଯଦି ସେ ଏ ଦେଶରେ ପକ୍ୱକେଶମାନଙ୍କ ହାତରେ ଛାଡ଼ିଦିଏ, ଯେଉଁମାନଙ୍କର ବର୍ତ୍ତମାନ ଟିକିଏ ଆରାମ କରିବାର ସମୟ କିମ୍ବା ଅର୍ଥ ଉପାର୍ଜନରେ ଅତିଶୟ ମମତା-ତେବେ ତାହାର ଧର୍ମହାନି ଘଟିବ ନାହିଁ ।