ପୃଷ୍ଠା:Odisha Itihasa.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସନ୍ତୁଷ୍ଟ ଅଧିକାରୀ ଓ ରାଜବଂଶଜମାନେ ହତ୍ୟା, ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତାକୁ ମାଧ୍ୟମ କରି ରାଜପଦ ଲାଭ କରିବାକୁ ପ୍ରୟାସ କରୁଥିଲେ । ଏହାକୁ ଭୁଲ ବା ଠିକ୍‍ ବୋଲି ରାୟ ଦେବା ପରିବର୍ତ୍ତେ ଯୁକ୍ତିନିଷ୍ଠ ଭାବେ ବିଶ୍ଳେଷଣ କରିବା ଉଚିତ ହେବ । ୧୫୬୮ରେ କଳାପାହାଡର ଓଡ଼ିଶା ଆକ୍ରମଣ ସମ୍ବନ୍ଧରେ ଅନେକ କିମ୍ବଦନ୍ତୀ ରହିଛି । ମାଦଳାପାଞ୍ଜି ଅନୁସାରେ, କଳାପାହାଡ଼ ରାଜଧାନୀ କଟକ ଅଧିକାର କରିନେବା ଖବର ପାଇ ଜଗନ୍ନାଥ ମନ୍ଦିରର ସେବାୟତମାନେ ଦିଅଁଙ୍କ ପ୍ରତିମାକୁ ଚିଲିକାରେ ଲୁଚାଇ ରଖିଥିଲେ । ଏହା ଜାଣିପାରି କଳାପାହାଡ଼ ସେଠାରୁ ପ୍ରତିମାଙ୍କୁ ଆଣି ଗଙ୍ଗାନଦୀ କୂଳରେ ବଙ୍ଗରେ ଦାହ କଲା । ବିଶର ମହାନ୍ତି ନାମକ ଜଣେ ବୈଷ୍ଣବ ଉକ୍ତ ପୋଡି ଯାଇଥିବା ସେହି ଦାରୁ ପ୍ରତିମାଙ୍କର ବ୍ରହ୍ମଙ୍କୁ ଏକ ମୃଦଙ୍ଗ ଭିତରେ ଆଣି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ । କେତେକ ବିବରଣୀରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ କରିଥିବା କଥା ମଧ୍ୟ ଉଲ୍ଲେଖ ଅଛି । ମାତ୍ର ପ୍ରତ୍ନତାତ୍ତ୍ୱିକ ତଥ୍ୟ ଅନୁସାରେ ଚୋଡ଼ଗଙ୍ଗଦେବଙ୍କ ସମୟରେ ନିର୍ମିତ ଜଗନ୍ନାଥ ମନ୍ଦିର ଉପରେ ନୂତନ କରି ପୁଣି ଥରେ ମନ୍ଦିର ନିର୍ମାଣ ହୋଇଥିବାର କୌଣସି ପ୍ରମାଣ ନାହିଁ । କିମ୍ବଦନ୍ତୀ ଅନୁସାରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ ନ କରି କେବଳ ତହିଁରୁ ପ୍ରତିମାଙ୍କୁ ନେଇ ଯାଇଥିଲା । ସେହି ବିଗ୍ରହଙ୍କ ଦଗ୍ଧାବଶେଷ ଉଦ୍ଧାର କରାଯାଇ ପରବର୍ତ୍ତୀ କାଳରେ ନୂତନ ଭାବେ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ନିଜେ କଳାପାହାଡ଼ ଓଡ଼ିଶାର ଚାରିଆଡେ଼ ଯାଇ ମନ୍ଦିର ଧ୍ୱଂସ କରିଥିବା କଥାକୁ ମଧ୍ୟ ଏକ ଐତିହାସିକ ସତ୍ୟ ଭାବରେ ଗବେଷକମାନେ ସ୍ୱୀକାର କରି ପାରନ୍ତି ନାହିଁ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, କଳାପାହାଡ଼ ପ୍ରଥମେ ଜଣେ ହିନ୍ଦୁ ଥିଲା ଏବଂ ବଙ୍ଗ ସୁଲତାନଙ୍କ କନ୍ୟାକୁ ବିବାହ କରି ମୁସଲମାନ ହୋଇଥିଲା । ପୁରୀକୁ ଆସି ସେ ପୁଣି ହିନ୍ଦୁ ଧର୍ମରେ ଦୀକ୍ଷିତ ହେବାକୁ ଚାହିଁଥିଲା । ମାତ୍ର ଜଗନ୍ନାଥ ମନ୍ଦିରର ପୂଜକମାନେ ଏହାକୁ ବିରୋଧ କଲେ । ଏଥିରେ ପ୍ରତିହିଂସାପରାୟଣ ହୋଇ ସେ ମନ୍ଦିର ଧ୍ୱଂସ କରିବା ଆରମ୍ଭ କଲା । ମାତ୍ର ମୁସଲିମ ବିବରଣୀ ଅନୁଯାୟୀ, କଳାପାହାଡ଼ ଜଣେ ଆଫଗାନ ଥିଲା । ବଙ୍ଗର ଆଫଗାନ ସୁଲତାନ ସୁଲେମାନ କର୍‍ରାନୀଙ୍କ ଜଣେ ଅନୁଗତ ସେନାନାୟକ ଭାବରେ ସେ କେବଳ ତା' କର୍ତ୍ତବ୍ୟ ପାଳନ କରୁଥିଲା । ରାଜ୍ୟ ବିସ୍ତାର ଓ ଆଫଗାନ ଶକ୍ତିର ପୁନର୍ପ୍ରତିଷ୍ଠା ଯଦିଓ ପ୍ରମୁଖ ଉଦ୍ଦେଶ୍ୟ ଥିଲା, ସୈନିକମାନଙ୍କ ମନରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରି ଏହି ଉଦ୍ଦେଶ୍ୟ ସାଧନ କରିବାକୁ ସୁଲତାନ ପ୍ରୟାସ କରୁଥିଲେ । ଏହି କାରଣରୁ ସେତେବେଳେ ମନ୍ଦିର ଧ୍ୱଂସ କରିବା ଏକ ଆବଶ୍ୟକତା ହୋଇ ପଡିଥିଲା । ଦ୍ୱିତୀୟତଃ, ମଧ୍ୟଯୁଗରେ ଶତ୍ରୁ ରାଜ୍ୟ ଉପରେ କର୍ତ୍ତୃତ୍ୱ ଜାହିର କରିବାନିମିତ୍ତ ଆକ୍ରମଣକାରୀମାନେ ରାଜପ୍ରାସାଦ ଓ ରାଜାନୁଦାନରେ ନିର୍ମିତ ମନ୍ଦିର ଲୁଣ୍ଠନ କରିବା ଉପରେ ଗୁରୁତ୍ୱ ଦେଉଥିଲେ । ଯେ କୌଣସି ରାଜ୍ୟରେ ରାଜପ୍ରସାଦ ତୁଳନାରେ ଯେହେତୁ ମନ୍ଦିରଗୁଡିକର ସଂଖ୍ୟା ଅଧିକ ଏବଂ ସେଗୁଡିକ କମ୍‍ ସୁରକ୍ଷିତ, ଆକ୍ରମଣ ମନ୍ଦିର ଉପରେ ହେବା ସ୍ୱାଭାବିକ । ରାଜ୍ୟବାସୀଙ୍କ ଦୃଷ୍ଟିରେ ପରାଜିତ ରାଜାଙ୍କ ପରାକ୍ରମକୁ କ୍ଷୁଣ୍ଣ କରିବାରେ ମଧ୍ୟ ଏହା ସହାୟକ ହେଉଥିଲା ।{{right|ଓଡ଼ିଶା ଇତିହାସ . ୧୦୧