ପୃଷ୍ଠା:Odisha Itihasa.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୂର୍ଯ୍ୟବଂଶକାଳୀନ କେତେକ ତଥ୍ୟରୁ ତତ୍‍କାଳୀନ ସାମରିକ ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ଅନେକ ତଥ୍ୟ ଜାଣିବାକୁ ମିଳେ । ଗଙ୍ଗ ରାଜତ୍ୱରୁ ଉତ୍ତରାଧିକାରରେ ସୂର୍ଯ୍ୟବଂଶୀମାନଙ୍କୁ ଏକ ବିଶାଳ ସେନା ପ୍ରାପ୍ତ ହୋଇଥିଲା । ଏହାକୁ ସୁସଂଗଠିତ କରି ସେମାନେ ରାଜ୍ୟବିସ୍ତାର ଓ ଦିଗ୍‍ବିଜୟ ପାଇଁ ବ୍ୟବହାର କରୁଥିଲେ । ସେତେବେଳେ ରାଜ୍ୟର ପ୍ରତିଷ୍ଠା ମୁଖ୍ୟତଃ ସେନା ସଂଗଠନ ଉପରେ ନିର୍ଭର କରୁଥିଲା । ପଡ଼ୋଶୀ ରାଜ୍ୟ ଆକ୍ରମଣ କରି ସେନା ଧନରତ୍ନ ଆଣୁଥିଲେ, ଯାହାର ଲାଭ ରାଜ ଅନୁଦାନରେ ରହିଥିବା ଅନେକ ସାମାଜିକ ବର୍ଗକୁ ମିଳୁଥିଲା । ମନ୍ଦିର ନିର୍ମାଣ ଆଦି ବ୍ୟୟ ବହୁଳ କାର୍ଯ୍ୟର ପ୍ରତ୍ୟକ୍ଷ ଲାଭ କାରିଗର, ସ୍ଥପତି ଆଦି ସାମାଜିକବର୍ଗଙ୍କଠାରୁ ଆରମ୍ଭ କରି ପୁରୋହିତବର୍ଗକୁ ମଧ୍ୟ ମିଳୁଥିଲା । ସେନାର ସଫଳତା ଉପରେ ଅନେକାଂଶରେ ଏହା ନିର୍ଭର କରୁଥିଲା । ଯୁଦ୍ଧରେ ରାଜାଙ୍କ ପରାଜୟ, ରାଜବଂଶ ପତନର ମୁଖ୍ୟ କାରଣ ହେଉଥିଲା ।

ରାଜାଙ୍କର ଏକ ନିୟମିତ ସେନା ରହିଥିଲା । ମାତ୍ର ଯୁଦ୍ଧବେଳେ ସହଯୋଗପାଇଁ ସାମନ୍ତ ରାଜାମାନେ ମଧ୍ୟ ସୈନ୍ୟ ପ୍ରେରଣ କରୁଥିଲେ । ରାଜ୍ୟ ତଥା ସମାଜର ବିଭିନ୍ନ ସାମାଜିକବର୍ଗର ସମୃଦ୍ଧି ଯୁଦ୍ଧ ଜୟ ଉପରେ ନିର୍ଭର କରୁଥିବାରୁ ଲୋକଙ୍କୁ ଯୁଦ୍ଧରେ ଯୋଗ ଦେବାକୁ ସବୁ ସ୍ତରରେ ପ୍ରେରଣା ଦିଆଯାଉଥିଲା । କପିଳେନ୍ଦ୍ର ଦେବଙ୍କ ସମୟରେ ଲିଖିତ ସାରଳା ଦାସଙ୍କ ମହାଭାରତରେ ରଣଭୂମିରେ ନିହତ ହେବା ଏକ ଗୌରବମୟ କାର୍ଯ୍ୟ ବୋଲି କୁହାଯାଇଛି । ଯୁଦ୍ଧରେ ଭାଗ ନେଇଥିବା ସୈନିକର ସାମାଜିକ ସମ୍ମାନ ବୃଦ୍ଧି ପାଉଥିଲା । ତେଣୁ ସାମୟିକ ଭାବେ ଯୋଗ ଦେଇଥିବା ଅନିୟମିତ ସୈନିକ ମଧ୍ୟ ଯୁଦ୍ଧ ପରେ ତାଙ୍କ ପଦବୀକୁ ନାଁର ସାଙ୍ଗିଆ ବା ସଂଜ୍ଞା ଭାବରେ ବ୍ୟବହାର କରୁଥିଲେ । ଅନେକ ଛୋଟଚାଷୀ, ରୟତ ଓ ତଥାକଥିତ 'ତଳ' ଜାତିର ଲୋକ ମଧ୍ୟ ଯୁଦ୍ଧରେ ଭାଗ ନେଉଥିଲେ ବୋଲି ସେମାନଙ୍କ ସାଙ୍ଗିଆରୁ ଜଣାପଡେ଼ । 'ସେନାପତି', 'ଚମ୍ପତି' (ଛାମୁପତି), 'ରାଉତରାୟ' (ପଦାତିକ ରାଉତ ସେନାର ଅଧିକାରୀ), 'ସାହାଣୀ' (ଗଜାରୋହୀ), 'ଦଣ୍ତପାଟ', 'ଦଣ୍ତସେନା', 'ପଶ୍ଚିମକବାଟ', 'ଉତ୍ତରକବାଟ', 'ମାନସିଂହ', 'ରାୟସିଂହ', 'ବଳୀୟାରସିଂହ', 'ପାହାଡ଼ସିଂହ', 'ସାମନ୍ତସିଂହାର', 'ବେହେରା', 'ନାୟକ', 'ଜେନା', 'ବଡ଼ଜେନା', 'ପ୍ରଧାନ', 'ଦଣ୍ତପାଣି', 'ଦଳବେହେରା', 'ଗଡ଼ନାୟକ' ଓ 'ଖୁଣ୍ଟିଆ' ଆଦି ଥିଲା ସେନାସମ୍ପର୍କିତ ପଦପଦବୀ । ଯୁଦ୍ଧରେ ଅଂଶଗ୍ରହଣ କରିଥିବାରୁ ଏହି ସଂଜ୍ଞାଧାରୀ ଲୋକ ଶାନ୍ତି ସମୟରେ ମଧ୍ୟ ନିଜ ନିଜ ସ୍ତରରେ ଏବଂ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ପ୍ରାଶାସନିକ ଦାୟିତ୍ୱ ପାଇ ପାରୁଥିଲେ । ସେନାରେ ଧନୁ, ତ୍ରୋଣ, ଶର, ଅସି, ଜଠି, ଗୁରୁଜ, ଶାବେଳି ଆଦି ପାରମ୍ପରିକ ଅସ୍ତ୍ରର ବ୍ୟବହାର ହେଉଥିଲା । ସୈନିକ ଓ ସେନାନାୟକଙ୍କୁ ବାଦଦେଲେ, ସେନାରେ ଧ୍ୱଜାଧାରୀ, ବାଦ୍ୟକାର ଆଦି ମଧ୍ୟ ରହୁଥିଲେ । ସାରଳା ଦାସଙ୍କ ମହାଭାରତରେ ଏ ସବୁର ଉଲ୍ଲେଖ ରହିଛି । ଯଦିଓ ସାରଳା ଦାସ କପିଳେନ୍ଦ୍ର ଦେବଙ୍କର କୌଣସି ଯୁଦ୍ଧ କଥା ବର୍ଣ୍ଣନା କରି ନାହାନ୍ତି, ତାଙ୍କ କୃତିରେ ମହାଭାରତ ଯୁଦ୍ଧର ବର୍ଣ୍ଣନା ରହିଛି । ସେଥିରେ ସମକାଳୀନ ସୈନିକ ଚାଳନା ଓ ସାମରିକ ବ୍ୟବସ୍ଥାର ପ୍ରତିଫଳନ ସ୍ପଷ୍ଟ ଭାବେ ଦେଖିବାକୁ ମିଳେ ।{{right|ଓଡ଼ିଶା ଇତିହାସ . ୧୦୩