ପୃଷ୍ଠା:Odisha Itihasa.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଜପତିଙ୍କ ସେନା ବାହନୀରେ ପଦାତିକ ସୈନ୍ୟଙ୍କର ସଂଖ୍ୟା ଅଧିକ ଥିଲା ବୋଲି ପର୍ତ୍ତୁଗୀଜ ବ୍ୟାଖ୍ୟାକାର ନ୍ୟୁନିଜ ଉଲ୍ଲେଖ କରିଛନ୍ତି । କପିଳେନ୍ଦ୍ରଦେବଙ୍କ ଗଜବାହିନୀ ଶତ୍ରୁମାନଙ୍କପାଇଁ ଭୟର କାରଣ ହେଉଥିଲା ବୋଲି ଅନେକ ସମକାଳୀନ ବିବରଣୀରେ ଉଲ୍ଲେଖ ରହିଛି । ନ୍ୟୁନିଜଙ୍କ ଅନୁଯାୟୀ, କୃଷ୍ଣଦେବ ରାୟଙ୍କ ସହ ଯୁଦ୍ଧ କଲାବେଳେ ଗଜପତି ସେନାରେ ୧୩୦୦ ହସ୍ତୀ ଥିଲେ । ଜଗନ୍ନାଥଙ୍କ ନାମରେ ଗଜପତି ଯୁଦ୍ଧ କରୁଥିବାରୁ ସାମନ୍ତ ରାଜାମାନେ ଯଥୋଚିତ ସୈନ୍ୟ ସହାୟତା କରିବାରେ ହେଳା କରୁନଥିଲେ । ହସ୍ତୀବାହିନୀ ମଧ୍ୟ ବିଶେଷ କରି ସାମନ୍ତ ରାଜାମାନଙ୍କର ଦାନ ହୋଇଥିବା ବଡ଼ କଥା ନୁହେଁ । ଜଗନ୍ନାଥଙ୍କ ନାମରେ ଗଜପତି ଓଡ଼ିଶାର ସମସ୍ତ ରାଜାଙ୍କୁ ଏକଜୁଟ୍‍ କରିପାରିଥିଲେ । ଦ୍ୱିତୀୟତଃ, ଜଗନ୍ନାଥଙ୍କଯୋଗୁଁ ସେ ରାଜାମାନଙ୍କ ମଧ୍ୟରେ ସର୍ବମାନ୍ୟ ହେବାର ସାମର୍ଥ୍ୟ ରଖୁଥିଲେ । ଏହା ତାଙ୍କୁ ବିଶାଳ ସେନା ଚାଳନା କରିବାରେ ସାହାଯ୍ୟ କରୁଥିଲା । ତାହା ବ୍ୟତୀତ ଓଡ଼ିଶାର ରାଜାମାନଙ୍କ ମଧ୍ୟରେ ଅନ୍ତରୀଣ ବିବାଦର ସମାଧାନ ବେଳେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହୁଥିଲା । ଏହା ତାଙ୍କର ପଦମର୍ଯ୍ୟାଦାକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଥିଲା । ସେ ଥିଲେ ବସ୍ତୁତଃ ପ୍ରାକୃତିକ ଓଡ଼ିଶାର ସମ୍ରାଟ ।

ଗଜପତି ପ୍ରାଶାସନିକ ଓ ସାମରିକ ବ୍ୟବସ୍ଥାରେ ଦୁର୍ଗଗୁଡ଼ିକର ଅନେକ ପ୍ରାଧାନ୍ୟ ଥିଲା । ଗଙ୍ଗରାଜତ୍ୱ ସମୟରେ ଅନେକ ଦୁର୍ଗ ନିର୍ମିତ ହୋଇଥିଲା, ଯାହାକୁ ଉତ୍ତରାଧିକାର ସୂତ୍ରରେ ଗଜପତି ଉପଯୋଗ କରୁଥିଲେ । ରାଜ୍ୟ ଜୟବେଳେ ମଧ୍ୟ ଅନେକ ନୂଆ ଦୁର୍ଗ ଗଜପତିଙ୍କ କର୍ତ୍ତୃତ୍ୱକୁ ଆସିଥିଲା । ଏହା ବ୍ୟତୀତ ଗଜପତି ଅନେକ ନୂଆ ଦୁର୍ଗ ନିର୍ମାଣ କରିଥିଲେ । ଦୁର୍ଗରେ ସୈନ୍ୟ ଛାଉଣି ପଡୁଥିଲା; ସ୍ଥାନୀୟ ପ୍ରାଶାସନିକ କେନ୍ଦ୍ର ରୂପେ ତାହା କାର୍ଯ୍ୟ କରୁଥିଲା । ରାଜାଙ୍କ କୋଠଘର ଓ ରାଜସ୍ୱ କେନ୍ଦ୍ର ଭାବରେ ମଧ୍ୟ ଦୁର୍ଗଗୁଡ଼ିକର ବ୍ୟବହାର ହେଉଥିଲା । କେତୋଟି ପ୍ରମୁଖ ଦୁର୍ଗ ମଧ୍ୟରେ ରହିଥିଲା: ମନ୍ଦାରନଦୁର୍ଗ (ହୁଗୁଳି ଜିଲ୍ଲାର ଭିତରଗଡ଼), ଦାମୋଦର ନଦୀ କୂଳସ୍ଥିତ କୋଟାସିନ ଦୁର୍ଗ, ବାଲେଶ୍ୱର ଜିଲ୍ଲାସ୍ଥିତ ଦେଉଳଗଡ଼ ଓ ରାୟବଣିଆ ଦୁର୍ଗ, ଯାଜପୁର କଟକ(ଦୁର୍ଗ), ଛତିଆ ନିକଟସ୍ଥ ଅମରାବତୀ କଟକ, ଚୌଦ୍ୱାର କଟକ, ବାରାଣସୀ କଟକ (ଆଧୁିକ କଟକ ସହର) ଏବଂ ବାରଙ୍ଗ ନିକଟସ୍ଥ ଚୂଡଙ୍ଗ କଟକ । ଏହି ସବୁ ବଡ଼ ଦୁର୍ଗ ବ୍ୟତୀତ ହୁମା, ଖିମିଡି, ଚିକିଟି, ପାଲୁର, ଖଲିକୋଟ ଓ ଆଠଗଡରେ ସାନ ସାନ ଦୁର୍ଗମାନ ରହିଥିଲା । ଦକ୍ଷିଣ ବିଜୟ ପରେ ପ୍ରାପ୍ତ ହୋଇଥିବା ଦେବରକୋଣ୍ତା ଦୁର୍ଗ (ନାଲଗୋଣ୍ତା ଜିଲ୍ଲା), ଓ୍ୱାରଂଗଲ ଦୁର୍ଗ, ନେଲୋର ଜିଲ୍ଲାସ୍ଥିତ ଉଦୟଗିରି ଦୁର୍ଗ ଓ ଗୁଣ୍ଟୁର ନିକଟସ୍ଥ କୋଣ୍ତାବିଡୁ ଦୁର୍ଗକୁ ମଧ୍ୟ ଗଜପତି ରାଜାଙ୍କ ସାମନ୍ତମାନେ ବ୍ୟବହାର କରୁଥିଲେ । ଦୁର୍ଗ ଯେହେତୁ ପ୍ରାଶାସନିକ ଓ ସାମରିକ କ୍ଷମତାର କେନ୍ଦ୍ର ଥିଲା, ତାର ଅଧିକାରପାଇଁ ଯୁଦ୍ଧ ବେଳେ ଶତ୍ରୁରାଜା ଉଦ୍ୟମ କରୁଥିଲେ । ଦୁର୍ଗ ଉପରେ ନିୟନ୍ତ୍ରଣ ଥିବା ଯାଏ ଉକ୍ତ କ୍ଷେତ୍ରରେ ରାଜଶକ୍ତି ପରାଜିତ ହୋଇନଥିବା ସୁସ୍ପଷ୍ଟ ହେଉଥିଲା । ଦିଗ୍‍ବିଜୟବେଳେ ଗଜପତି ସେନା ଶତ୍ରୁ ରାଜ୍ୟର ଦୁର୍ଗଗୁଡିକୁ ଧ୍ୱଂସ ନକରି ନିଜ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ଏହା ଗଜପତି ରାଜାଙ୍କ ଦୂରଦୃଷ୍ଟିକୁ ଇଙ୍ଗିତ କରେ ।

...

୧୦୪ . ଓଡ଼ିଶା ଇତିହାସ