ପୃଷ୍ଠା:Odisha Itihasa.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟଯୁଗୀୟ ଓଡ଼ିଶାରେ
ସାଂସ୍କୃତିକ ବିକାଶ

ମଧ୍ୟଯୁଗୀୟ ଓଡ଼ିଶାରେ ଭାଷା-ସାହିତ୍ୟ, ସ୍ଥାପତ୍ୟ, କାରିଗରି, ଧର୍ମ, ସଂସ୍କୃତି ଆଦି କ୍ଷେତ୍ରରେ ନାନା ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହି ପରିବର୍ତ୍ତନକୁ ଆମେ ସାଂସ୍କୃତିକ ବିକାଶ ନାମରେ ନାମିତ କରିପାରିବା । ସୋମବଂଶୀ ରାଜତ୍ୱ କାଳରେ ଏହି ସାଂସ୍କୃତିକ ବିକାଶର ଆରମ୍ଭ ହୋଇ ପ୍ରଥମେ ଗଙ୍ଗବଂଶ ଓ ପରେ ଗଜପତି ଶାସନ ସମୟରେ ତା'ର ଧାରା ବ୍ୟାପକ ହେଲା । ରାଜନୀତିକ ଦୃଷ୍ଟିରୁ ଅନେକ କ୍ଷୁଦ୍ର ରାଜ୍ୟର ସମଷ୍ଟି ହୋଇଥିବା ସତ୍ତ୍ୱେ ଓଡ଼ିଶା, କଳିଙ୍ଗ ବା ଉତ୍କଳ ନାମରେ ଏକ ବିଶାଳ ରାଜ୍ୟର ଉତ୍‍ଥାନ ଏହି ସମୟରେ ଦେଖିବାକୁ ମିଳିଥିଲା । ରାଜନୈତିକ ଏକତା ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଏକତାକୁ ଜନ୍ମଦେଲା ବୋଲି କହିବା ଯଦିଓ ଅତ୍ୟୁକ୍ତି ହେବ, ତଥାପି ପରସ୍ପର ପ୍ରତି ଉଭୟ ଅନୁପୂରକ ହେଲେ ବୋଲି କହିବା ଅସମୀଚୀନ ହେବ ନାହିଁ । ଆଧୁନିକ ଜାତୀୟତାଭାବର ଏକ ପୂର୍ବ ଅବସ୍ଥା ବୋଲି ମଧ୍ୟ ତାହାକୁ କହିହେବ ।

ଭାଷା ଓ ସାହିତ୍ୟ

ସପ୍ତମ ଶତାବ୍ଦୀରୁ ଆରମ୍ଭ କରି ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ସଂସ୍କୃତ ଭାଷା ଓ ସାହିତ୍ୟର ଖୁବ୍‍ ପ୍ରଭାବ ରହିଥିଲା । ସାଧାରଣ ଲୋକ ଯଦିଓ ସଂସ୍କୃତକୁ ଭାବର ଆଦାନ ପ୍ରଦାନ ପାଇଁ ମାଧ୍ୟମ ରୂପେ ବ୍ୟବହାର କରୁ ନଥିଲେ, ବୌଦ୍ଧିକ ବର୍ଗରେ ଏହାର ଖୁବ୍‍ ଆଦର ରହିଥିଲା । ଲୋକେ ସଂସ୍କୃତକୁ ହିଁ ଶିକ୍ଷା ବୋଲି ବୁଝୁଥିଲେ । ଭୌମ ତାମ୍ରଶାସନରେ ରହିଥିବା ପ୍ରଶସ୍ତିରେ ଉଚ୍ଚମାନର ସଂସ୍କୃତ ଶ୍ଳୋକମାନ ଦେଖିବାକୁ ମିଳେ । ତହିଁରେ ରହିଥିବା ଦ୍ୱିଅର୍ଥବୋଧକ ଶବ୍ଦଗୁଡ଼ିକର ପ୍ରୟୋଗକୁ ଦେଖିଲେ ମନେହୁଏ, ଲେଖକ ନିଶ୍ଚିତ ରୂପେ ସଂସ୍କୃତରେ ଖୁବ୍‍ ଧୁରୀଣ ଥିଲେ । ଭୌମରାଣୀ ଧର୍ମ ମହାଦେବୀ ପ୍ରଦତ୍ତ ତଲତଲି ତାମ୍ରଶାସନର ସମ୍ପାଦନା କରି ଐତିହାସିକ{{right|ଓଡ଼ିଶା ଇତିହାସ . ୧୦୫