ପୃଷ୍ଠା:Odisha Itihasa.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତହିଁରେ ବ୍ୟବହୃତ ଅନେକ ଶବ୍ଦର ଏକାଧିକ ଅର୍ଥ ରହିଥିବା କଥା କହିଛନ୍ତି । ଗଙ୍ଗ ଓ ଗଜପତି ଶାସନ କାଳରେ ଦିଆଯାଇଥିବା ତାମ୍ର ଶାସନରେ ମଧ୍ୟ ଉଚ୍ଚକୋଟୀର ସଂସ୍କୃତ ଭାଷାର ବ୍ୟବହାର ଦେଖିବାକୁ ମିଳିଥାଏ । ଅନୁଶାସନ ଓ ତାମ୍ରଶାସନ ବ୍ୟତୀତ ପ୍ରାଚୀନ କାଳରୁ ଅନେକ ସାହିତ୍ୟିକ ରଚନା ମଧ୍ୟ ସଂସ୍କୃତରେ ଓଡ଼ିଶାକୁ ଭିତ୍ତି କରି ଲେଖାଯାଇଛି । ଐତିହାସିକ ଶରତଚନ୍ଦ୍ର ବେହେରାଙ୍କ ମତରେ ପଞ୍ଚମ-ଷଷ୍ଠ ଶତାବ୍ଦୀରେ ଲିଖିତ ଏବଂ ପରବର୍ତ୍ତୀ ସମୟରେ ବହୁଳ ଭାବେ ପ୍ରସାରିତ ପଞ୍ଚତନ୍ତ୍ରର ଲେଖକ ବିଷ୍ଣୁଶର୍ମାଙ୍କ ରଚନାର ପଟ୍ଟଭୂମି ଥିଲା କଳିଙ୍ଗ । ସମୁଦ୍ର ଉପକୂଳରେ ସ୍ଥାପିତ ଏହି ରାଜ୍ୟ ଉତ୍କୃଷ୍ଟ ମାନର ହସ୍ତୀପାଇଁ ପ୍ରସିଦ୍ଧ ଥିଲା, ଯାହା ପଞ୍ଚତନ୍ତ୍ରର ଅନେକ ଗଳ୍ପର ଭିତ୍ତିଭୂମି ସୃଷ୍ଟି କରେ ।

ସୋମବଂଶୀ ରାଜତ୍ୱର ଶେଷ ଭାଗରେ ଅର୍ଥାତ୍‍ ଏକାଦଶ ଶତାବ୍ଦୀରେ ସତାନନ୍ଦ ନାମରେ ଜଣେ ପଣ୍ତିତ ସଂସ୍କୃତରେ ଅନେକ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ରଚନା ସୃଷ୍ଟି କରିଥିବାର ଦୃଷ୍ଟାନ୍ତ ରହିଛି । ସେ ପୁରୁଷୋତ୍ତମ ବା ପୁରୀ ନିବାସୀ ଥିଲେ ଏବଂ 'ସ୍ମୃତି'ର ଲେଖକ ଭାବରେ ଖ୍ୟାତ । ସେହିଭଳି ମୁରାରି ମିଶ୍ର ସଂସ୍କୃତରେ 'ଅନର୍ଘ ରାଘବ ନାଟକମ୍‍' ନାମରେ ଏକ ନାଟକ ଲେଖିଥିଲେ, ଯାହା ଜଗନ୍ନାଥ ପ୍ରତିମା ସମ୍ମୁଖରେ ପର୍ବପର୍ବାଣିରେ ମଞ୍ଚସ୍ଥ ହେଉଥିଲା । ମୁରାରି ମିଶ୍ର ନବମ ଶତାବ୍ଦୀର ମଧ୍ୟ ଭାଗରେ ଏହି ନାଟକ ଲେଖିଥିଲେ ବୋଲି କୁହାଯାଏ ।

ଦ୍ୱାଦଶ ଶତାବ୍ଦୀର ଜଣେ ପ୍ରସିଦ୍ଧ କବି ହେଲେ ଜୟଦେବ, ଯିଏ 'ଗୀତଗୋବିନ୍ଦ' ରଚନା କରିଥିଲେ । ଗୀତ ଗୋବିନ୍ଦ ଯଦିଓ ଏକ ବୃହତ୍‍ କାବ୍ୟ ନୁହେଁ, ସାଂଗୀତିକତାପାଇଁ ଏହା ଲୋକସ୍ତରକୁ ପ୍ରସାରିତ ହୋଇ ଆସିଛି । ପୁରୀ ଜଗନ୍ନାଥ ମନ୍ଦିରରେ ଏହାର ଗାୟନ ଓ ପ୍ରଦର୍ଶନ ବହୁ ଦିନରୁ ଚଳି ଆସିଛି । ସେତେବେଳେ ଯେହେତୁ ମୁଦ୍ରଣର ବ୍ୟବସ୍ଥା ନଥିଲା, ପୋଥିଗୁଡିକୁ ତାଳପତ୍ରରେ ଲିପିକାରମାନେ ସୁନ୍ଦର ହସ୍ତାକ୍ଷରରେ ନକଲ କରୁଥିଲେ । କାବ୍ୟର ଲୋକପ୍ରିୟତା ତା'ର ନକଲର କିସମରୁ ଜଣାପଡେ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଗୀତଗୋବିନ୍ଦର ଅନ୍ୟୂନ ଶହେଟି ନକଲ (କପି) ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିଛି, ଯାହା ତା'ର ଲୋକପ୍ରିୟତାକୁ ସୁସ୍ପଷ୍ଟ କରେ । ଗୀତଗୋବିନ୍ଦରେ ରାଧା ଓ କୃଷ୍ଣଙ୍କର ପ୍ରେମ ବନ୍ଧନକୁ ଏକ ବୈପ୍ଳବିକ ଭାବଦେଇ ଅଭିବ୍ୟକ୍ତ କରାଯାଇଛି । କବି ଜୟଦେବ ପ୍ରେମରେ ରହିଥିବା ଦୈହିକ ଆବେଗକୁ ଉନ୍ମୁକ୍ତ କରି ଭାବ ରାଜ୍ୟରେ ଏକ ବିପ୍ଳବ ଆଣିଛନ୍ତି ।

ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ଅନେକ ବିବାଦ ରହିଛି । କାରଣ କବି ନିଜ ଜନ୍ମସ୍ଥାନ କଥା ସ୍ପଷ୍ଟ ଭାବରେ କାବ୍ୟରେ କେଉଁଠି ଉଲ୍ଲେଖ କରି ନାହାନ୍ତି । ବଙ୍ଗ, ଓଡ଼ିଶା ଓ ମିଥିଳା କ୍ଷେତ୍ରର ଗବେଷକମାନେ ପ୍ରତ୍ୟେକ ତାଙ୍କୁ ନିଜର ବୋଲି ଦାବି କରିଥାନ୍ତି । ଯେଉଁମାନେ ଜୟଦେବ ବଙ୍ଗରେ ଜନ୍ମିତ ବୋଲି କହନ୍ତି, ସେମାନଙ୍କ ଅନୁସାରେ ଗୀତଗୋବିନ୍ଦରେ ଉଲ୍ଲିଖିତ 'ଉମାପତିଧର', 'ସାରଣ', 'ଗୋବର୍ଦ୍ଧନ' ଏବଂ 'ଧୋୟୀ' ବଙ୍ଗରାଜା ଲକ୍ଷ୍ମଣ ସେନ୍‍ଙ୍କ ସମକାଳୀନ ସଭା ପଣ୍ତିତ ଥିଲେ । ତେଣୁ, ଜୟଦେବ ସେହି କ୍ଷେତ୍ରର ହୋଇଥିବେ । 'ଜୟଦେବ ଚରିତ' ନାମରେ ବଙ୍ଗଳାରେ ଏକ କାବ୍ୟ ମିଳିଛି । ତାହାକୁ ଆଧାର କରି ମଧ୍ୟ ଜୟଦେବ ବଙ୍ଗଳାର ବୋଲି ଯୁକ୍ତି କରାଯାଏ ।୧୦୬ . ଓଡ଼ିଶା ଇତିହାସ