ପୃଷ୍ଠା:Odisha Itihasa.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ଆଦି ପର୍ବ'ରେ ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରାଯାଇଛି ଏବଂ କପିଳେଶ୍ୱରଙ୍କୁ ତାଙ୍କର ପ୍ରଥମ ଦାସ ବୋଲି ଉଲ୍ଲେଖ କରାଯାଇଛି । ଗବେଷକମାନଙ୍କ ମତରେ କପିଳେଶ୍ୱର ତତ୍‍କାଳୀନ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ । ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରୁ ବିଭିନ୍ନ ରାଜନୈତିକ ଓ ସାମାଜିକ କାରଣରୁ ଜଗନ୍ନାଥଙ୍କୁ ଓଡ଼ିଶାର ସର୍ବମାନ୍ୟ ରାଜା ଭାବରେ ସମ୍ମାନ ଦେବାର ଯେଉଁ ପରମ୍ପରା ଆରମ୍ଭ ହୋଇଥିଲା, କବି ସାରଳା ଦାସ ତାହାକୁ ଏକ ସାହିତ୍ୟିକ ପ୍ରତିଷ୍ଠା ଦେଲେ ବୋଲି ବୁଝିବାକୁ ହେବ । ଜଗନ୍ନାଥଙ୍କ ପ୍ରତିିନିଧି ଭାବରେ ଏହା ଗଜପତି ରାଜାଙ୍କୁ ସାମାଜିକ ଓ ଲୌକିକ ପ୍ରତିଷ୍ଠା ଦେଲା । ଏହି ଆଧାରରେ କୁହାଯାଏ ଯେ, ସାରଳା ଦାସ ଓ ତାଙ୍କ ମହାଭାରତ କପିଳେନ୍ଦ୍ରଦେବଙ୍କ ସମକାଳୀନ । ଓଡ଼ିଆ ମହାକାବ୍ୟ 'ମହାଭାରତ' ରଚନା କରି ସାରଳା ଦାସ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲେ । ସାରଳା ଦାସ ମହାଭାରତ ବ୍ୟତୀତ 'ବିଲଙ୍କା ରାମାୟଣ' ଓ 'ଚଣ୍ତୀପୁରାଣ' ମଧ୍ୟ ରଚନା କରିଥିଲେ । ଓଡ଼ିଆ ମହାଭାରତର ମୂଳ ସଂସ୍କୃତ ମହାଭାରତ ହେଲେ ହେଁ ଏଥିରେ ବହୁ ସ୍ୱାତନ୍ତ୍ର୍ୟ ରହିଛି । ଚଣ୍ତୀପୁରାଣରେ ପୁରାଣବର୍ଣ୍ଣିିତ ଦୁର୍ଗା ଓ ମହିଷାସୁର ଯୁଦ୍ଧ ଉପାଖ୍ୟାନ ଅଛି ଏବଂ ବିଲଙ୍କା ରାମାୟଣରେ ରାମଚନ୍ଦ୍ର ଓ ରାବଣଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧର ଅବତାରଣା ରହିଛି । ମହାଭାରତ ପରି ସାରଳା ଦାସଙ୍କ ଅନ୍ୟ ରଚନାଗୁଡ଼ିକ ମଧ୍ୟ ମହାକାବ୍ୟ ଆଧାରିତ ହେଲେ ହେଁ ତହିଁରେ ଅନେକ ଆଞ୍ଚଳିକ ପ୍ରବାଦ, ଗଳ୍ପ, ଢ଼ଗ ଓ ତତ୍ତ୍ୱ ରହିଛି । ତାହା ଫଳରେ କେବଳ ଲିପି ଦୃଷ୍ଟିରୁ ନୁହେଁ, ଭାଷା ଓ ସାହିତ୍ୟ ଦୃଷ୍ଟିରୁ ମଧ୍ୟ ତାଙ୍କ ରଚନାର ସ୍ୱତନ୍ତ୍ରତା ରହିଛି ।

ସାରଳା ଦାସଙ୍କର ଜନ୍ମତିଥି ନିର୍ଦ୍ଦିଷ୍ଟ ଭାବେ ସ୍ଥିରୀକୃତ ହୋଇପାରିନାହିଁ । ପଞ୍ଚଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ନିର୍ଦ୍ଦିଷ୍ଟ କେଉଁ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ, ତାହା ଆଜି ଯାଏ ସ୍ପଷ୍ଟ ନୁହେଁ । କେତେକ ଗବେଷକଙ୍କ ମତରେ ସାରଳା ଦାସ ଚତୁର୍ଦ୍ଦଶ ଶତାବ୍ଦୀର ସ୍ରଷ୍ଟା । ତାଙ୍କ ଜନ୍ମସ୍ଥାନ ଜଗତସିଂହପୁର ନିକଟସ୍ଥ କନକପୁର ଗ୍ରାମ ବୋଲି କୁହାଯାଏ । ଗ୍ରାମୀଣ ସମାଜରେ ଜନ୍ମିତ ଓ ପରିପାଳିତ ହୋଇଥିବାରୁ ତାଙ୍କ ରଚନାରେ ଗ୍ରାମୀଣ ସମାଜର ଅତି ନିଖୁଣ ଚିତ୍ର ରହିଛି । ସମ୍ଭବତଃ ସେ ଏକ ସାଧାରଣ ପରିବାରରେ ଜନ୍ମିଥିଲେ ଏବଂ ତତ୍‍କାଳୀନ ଶିକ୍ଷା ଓ ଅଧ୍ୟୟନର ପରିଧି ବାହାରେ ସ୍ୱାଧ୍ୟାୟ ବଳରେ ସଂସ୍କୃତ କାବ୍ୟ, ପୁରାଣ କଥା ଜାଣିଥିଲେ ଏବଂ ତାକୁ ଲୋକସ୍ତରରେ ପ୍ରସାରିତ କରିଥିଲେ । ନିଜର ମହାନ କବି ପ୍ରତିଭାକୁ ସେ ନିଜସ୍ୱ ବୋଲି କେଉଁଠି କହିନାହାନ୍ତି; ବରଂ ଦେବୀ ସାରଳାଙ୍କ ଆଶିଷରୁ ପ୍ରାପ୍ତ ବୋଲି ନମ୍ର ଭାବରେ ଉଲ୍ଲେଖ କରିଛନ୍ତି । ତତ୍‍କାଳୀନ ସାମାଜିକ ବ୍ୟବସ୍ଥାରେ ଯେତେବେଳେ ବ୍ରାହ୍ମଣ ଓ ଅନ୍ୟ ଉଚ୍ଚ ଜାତିର ପଣ୍ତିତମାନଙ୍କର ଧର୍ମ, ପୁରାଣ, ଶିକ୍ଷା, ରଚନା ଆଦି କ୍ଷେତ୍ରରେ କର୍ତ୍ତୃତ୍ୱ ଥିଲା, ସେତେବେଳେ ନିଜ ରଚନା ଓ ବିଚାରକୁ ଲୋକସ୍ୱୀକୃତ ତଥା ଲୋକମାନ୍ୟ କରିବାଲାଗି ସମ୍ଭବତଃ ସେ ଦେବୀ ସାରଳାଙ୍କ ପରି ଏକ ଅଲୌକିକ ଶକ୍ତିର ଉଦ୍ଧରଣ କରିଥିଲେ । ଅନ୍ୟଥା ତାଙ୍କ କୃତିକୁ ସାମାଜିକ ସ୍ୱୀକୃତି ମିଳିବା ହୁଏତ କଷ୍ଟକର ହୋଇଥାନ୍ତା । ସାରଳା ଦାସଙ୍କୁ ଶୂଦ୍ରମୁନି ବୋଲି କୁହାଯାଏ । ସମ୍ଭବତଃ ସେ ଶୂଦ୍ର କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ତା'ଠାରୁ ବଡ଼ କଥା ହେଲା ସଂସ୍କୃତ{{right|ଓଡ଼ିଶା ଇତିହାସ . ୧୦୯