ପୃଷ୍ଠା:Odisha Itihasa.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାଷା ଓ ସାହିତ୍ୟ ତଥା ବ୍ରାହ୍ମଣ୍ୟ କର୍ତ୍ତୃତ୍ୱ ବାହାରେ ସେ ଏକ ଆଞ୍ଚଳିକ ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରା ସୃଷ୍ଟି କରିଥିଲେ । ଏହା ଓଡ଼ିଶାର ସାଂସ୍କୃତିକ ପରିବେଶରେ ଏକ ନୀରବ ବିପ୍ଳବ ସୃଷ୍ଟି କଲା । ତାହା ଫଳରେ କ୍ରମଶଃ ଆଞ୍ଚଳିକ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଭାବ ପ୍ରବଳରୁ ପ୍ରବଳତର ହେଲା । ଓଡ଼ିଶାରେ ଲିଖିତ ବତ୍ସା ଦାସଙ୍କ 'କଳସା ଚଉତିଶା' ଓ ମାର୍କଣ୍ତ ଦାସଙ୍କ 'କେଶବ କୋଇଲି'କୁ ମହାଭାରତର ପୂର୍ବକାଳୀନ ରଚନା ବୋଲି କେତେକ ଗବେଷକ କହନ୍ତି । ଏହି ଦାବି ଯଦି ସତ୍ୟ, ତେବେ ସାରଳା ଦାସଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ବିକାଶ ହୋଇଥିଲା ବୋଲି କୁହାଯାଇ ପାରିବ । ଆକାର ଦୃଷ୍ଟିରୁ ଉଭୟ ରଚନା ମହାଭାରତ ତୁଳନାରେ ଅତ୍ୟନ୍ତ କ୍ଷୁଦ୍ର । ଅଠର ଖଣ୍ତରେ ଲିଖିତ ମହାକାବ୍ୟ ମହାଭାରତ ତୁଳନାରେ ସେଗୁଡିକର ପ୍ରସାର ଓ ପ୍ରଭାବ ମଧ୍ୟ କମ୍‍ । ସାରଳା ଦାସଙ୍କ ସମୟରେ ଯଦି ଉକ୍ତ କାବ୍ୟ ଦୁଇଟିର ବହୁଳ ପ୍ରସାର ଥାଆନ୍ତା, ତାହାର ପ୍ରଭାବ ସାରଳା ଦାସଙ୍କ ସର୍ଜନାରେ ମଧ୍ୟ ଦେଖିବାକୁ ମିଳିଥାନ୍ତା । ଏହି ଆଧାରରେ କୁହାଯାଇପାରେ ଯେ, ବତ୍ସା ଦାସ ଓ ମାର୍କଣ୍ତ ଦାସଙ୍କ କୃତି, ହୁଏତ ପ୍ରାକ୍‍-ମହାଭାରତକାଳୀନ ନୁହେଁ । ହୁଏତ 'ମହାଭାରତ' ସାଙ୍ଗରେ ଏକ ସମାନ୍ତରାଳ ଆଞ୍ଚଳିକ ସାହିତ୍ୟିକ ପରମ୍ପରା ଭାବରେ ମଧ୍ୟ ଉକ୍ତ କୃତିର ପ୍ରସାର ହୋଇଥାଇପାରେ ।

କେତେକ ଗବେଷକ ଦ୍ୱାଦଶ ଶତାବ୍ଦୀର ଉତ୍ତରାର୍ଦ୍ଧ ପୂର୍ବରୁ ଓଡ଼ିଆ ସାହିତ୍ୟର ଉତ୍ପତ୍ତି ହୋଇଥିଲା ବୋଲି ଯୁକ୍ତି ବାଢ଼ନ୍ତି । ସେମାନଙ୍କ ମତରେ, କେବଳ ଓଡ଼ିଶା କାହିଁକି; ବଙ୍ଗ, ମିଥିଳା, ଆସାମ, ମଗଧ ଓ ଭୋଜପୁର ଅଞ୍ଚଳରେ ବୌଦ୍ଧଗାନ, ଦୋହା ଓ ଚର୍ଯ୍ୟାପଦ ରୂପରେ ଆଞ୍ଚଳିକ ସାହିତ୍ୟ ଏକ ସ୍ୱରୂପ ନେବା ଆରମ୍ଭ କରିଥିଲା । ମୁସଲମାନ ଆକ୍ରମଣଯୋଗୁଁ ଅନେକ ବୌଦ୍ଧବିହାର ଧ୍ୱଂସ ପାଇଲା ଏବଂ ବୌଦ୍ଧସନ୍ନ୍ୟାସୀ ନିହତ ହେଲେ । ପରିଣାମ ସ୍ୱରୂପ, ପ୍ରାରମ୍ଭିକକାଳୀନ ସେହି ଆଞ୍ଚଳିକ ସାହିତ୍ୟିକ ପରମ୍ପରା ମଧ୍ୟ ଲୋପ ପାଇଲା । ତତ୍‍କାଳୀନ କେତେକ ପୋଥି ନେପାଳ ଓ ତିବ୍ବତରେ ଉପଲବ୍ଧ ବୋଲି ଗବେଷକମାନେ କହନ୍ତି ।

ସମ୍ଭବତଃ, ଏହି ଯୁକ୍ତି ଆଞ୍ଚଳିକ ଭାଷାର ପ୍ରାଚୀନତା ଦର୍ଶାଇବାଲାଗି ଉଦ୍ଦିଷ୍ଟ ଏବଂ ବିଶେଷ ଆଧାରଯୁକ୍ତ ନୁହେଁ । କାରଣ କୌଣସି ବାହ୍ୟ ଆକ୍ରମଣ ଏକ ଲୋକ ସାହିତ୍ୟର ଧାରାକୁ କଦାଚିତ୍‍ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ନପାରେ । ଆକ୍ରମଣଯୋଗୁଁ ଏକା ସାଙ୍ଗରେ ସମସ୍ତ ପୋଥି ନଷ୍ଟ ହେବା ମଧ୍ୟ ସମ୍ଭବ ନୁହେଁ । ଦ୍ୱିତୀୟତଃ, ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କ ମହାଭାରତର ସୃଷ୍ଟି ପୂର୍ବରୁ ସେହି ଆଞ୍ଚଳିକ ସାହିତ୍ୟିକ ପରମ୍ପରାର ଅନ୍ୟାନ୍ୟ ରୂପରେ ଆଭାସମାନ ମିଳିବା କଥା, ଯାହା ଆଜି ପର୍ଯ୍ୟନ୍ତ ମିଳିନାହିଁ । କେବଳ ବାହ୍ୟିକ ଆକ୍ରମଣର ପରିଣାମ ସ୍ୱରୂପ ଲୋକକଥାରେ ସଂପନ୍ନ ଏକ ସୃଷ୍ଟିଶୀଳ ସାହିତ୍ୟିକ ପରମ୍ପରା, ଦୀର୍ଘ ନୀରବତା ଅବଲମ୍ବ କରି ନପାରେ । ଏହି କାରଣରୁ, ସାରଳା ଦାସଙ୍କ 'ମହାଭାରତ' ଓ ପଞ୍ଚଦଶ ଶତାବ୍ଦୀକୁ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ଆଦି ପର୍ବ ଭାବରେ ଗ୍ରହଣ କରାଯାଇପାରେ ।

ସାରଳା ଦାସ ଯେଉଁ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ପରମ୍ପରା ଆରମ୍ଭ କଲେ, ତାହା ପରବର୍ତ୍ତୀ କାଳରେ ଅଧିକରୁ ଅଧିକ ବିକାଶ ଲାଭ କଲା । ସାରଳା ଦାସଙ୍କ ପରମ୍ପରାରୁ ଅନ୍ୟ କବିମାନେ୧୧୦ . ଓଡ଼ିଶା ଇତିହାସ