ପୃଷ୍ଠା:Odisha Itihasa.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରେରଣା ନେଲେ । ସାରଳା ଦାସ ତାଙ୍କ ସାହିତ୍ୟ ରଚନା ସାମାଜିକ ହିତ ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଛନ୍ତି । ନିଜକୁ ଜଗନ୍ନାଥଙ୍କର 'ଦାସ' ଓ ଅଧମ, ଅଜ୍ଞାନ ବୋଲି ମଧ୍ୟ ବାରମ୍ବାର କହିଛନ୍ତି । ଯେଉଁ ସୂତ୍ରରେ ଗଜପତିରାଜାଙ୍କ ବଦଳରେ ଜଗନ୍ନାଥ ଓଡ଼ିଶାର ରାଜନୈତିକ ସତ୍ତାର ସର୍ବୋଚ୍ଚ ଅଧିକାରୀ, ସେହି ସୂତ୍ରରେ ସାରଳା ଦାସଙ୍କ କୃତି, ଜଗନ୍ନାଥଙ୍କ ପରି ଏକ ଅଲୌକିକ ଶକ୍ତିର କୃତି । ଏହି ଧାରା, ସାରଳା ଦାସଙ୍କୁ ପ୍ରେରଣାର ସ୍ରୋତ ଭାବରେ ଗ୍ରହଣ କରି ଗଢ଼ି ଉଠିଥିବା 'ପଞ୍ଚସଖା' ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳେ । ସାରଳା ଦାସଙ୍କ ପରେ ମଧ୍ୟ ମଧ୍ୟ-ଯୁଗୀୟ କବିମାନେ ନିଜକୁ ଜଗନ୍ନାଥଙ୍କ 'ଦାସ' ଘୋଷଣା କରି ନାମ ଶେଷରେ ତାହାକୁ (ଦାସ) ସାଙ୍ଗିଆ ଭାବରେ ଗ୍ରହଣ କଲେ । ସେମାନେ ସାହିତ୍ୟ ରଚନାକୁ ସାମାଜିକ ହିତ ସକାଶେ ବୋଲି ମନେକଲେ ଏବଂ ସାହିତ୍ୟ କୃତିପାଇଁ ଗର୍ବ, ଅହଂକାର ପରିବର୍ତ୍ତେ ନିଜକୁ ଅଜ୍ଞାନ, ଅବୋଧ ବୋଲି ଦର୍ଶାଇଲେ, ଯାହା ସେମାନଙ୍କର ନମ୍ରତାକୁ ଇଙ୍ଗିତ କଲା । ସାରଳା ଦାସଙ୍କ ପରେ 'ପଞ୍ଚସଖା' ନାମରେ ଖ୍ୟାତ ଯେଉଁ ପାଞ୍ଚଜଣ କବି ଓଡ଼ିଶାର ସାଂସ୍କୃତିକ ବିକାଶକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ, ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଅନନ୍ତ ଦାସ । ଷୋଡଶ ଓ ଆଦ୍ୟ ସପ୍ତଦଶ ଶତାବ୍ଦୀର ସାମାଜିକ ଓ ଧର୍ମୀୟ ଆନ୍ଦୋଳନରେ ସେମାନେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସେମାନେ ସମସ୍ତେ ସେ କାଳର ବୌଦ୍ଧିକ ଭାଷା ସଂସ୍କୃତ ବଦଳରେ ଓଡ଼ିଆରେ କାବ୍ୟ କବିତା ରଚନା କରିଥିଲେ । ଯଦିଓ 'ପଞ୍ଚସଖା' ପୌରାଣିକ ପ୍ରସଙ୍ଗ ବାହାରେ ସାମାଜିକ ବିଷୟବସ୍ତୁକୁ ସାହିତ୍ୟ ରଚନାବେଳେ ନେଇ ପାରିନଥିଲେ; ତଥାପି ଜାତିପ୍ରଥା, ବ୍ରାହ୍ମଣ୍ୟବାଦ, ଅସ୍ପୃଶ୍ୟତା, ଲିଙ୍ଗଭେଦ ଆଦି ସାମାଜିକ ସମସ୍ୟା ବିରୁଦ୍ଧରେ ନିଜର ସ୍ପଷ୍ଟ ମତ ରଖିଥିଲେ । ଏକ ସଦ୍‍ଭାବପୂର୍ଣ୍ଣ ସମାଜ ଗଠନ କରିବାର ପ୍ରୟାସରେ ସେମାନେ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସମାନ ବୋଲି କହିଥିଲେ । ପୁଣି, ଈଶ୍ୱରଙ୍କୁ ହୃଦୟଙ୍ଗମ କରିବାଲାଗି ଶୁଦ୍ଧ ଭକ୍ତିକୁ ମହତ୍ତ୍ୱ ଦେଇ ସେମାନେ ଭକ୍ତ ଓ ଈଶ୍ୱରଙ୍କ ମଧ୍ୟରେ ଏକ ସିଧା ସମ୍ବନ୍ଧ ସ୍ଥାପନ କଲେ । ଏହା ଈଶ୍ୱର ଓ ଧର୍ମଗ୍ରନ୍ଥଗୁଡ଼ିକୁ ବାଖ୍ୟା କରି ନିଜବର୍ଗର ହିତ ସାଧନ କରୁଥିବା ସାମାଜିକ ଗୋଷ୍ଠୀର (ଯଥା: ପୂଜକ, ପଣ୍ତିତ ଆଦି) ପ୍ରତିଷ୍ଠାକୁ ଊଣା କଲା । ଜ୍ଞାନ ଓ କର୍ମ ପରି ଭକ୍ତିକୁ ଉପାସନାର ଏକ ପ୍ରମୁଖ ମାଧ୍ୟମ ରୂପେ ପ୍ରତିଷ୍ଠା ଦେଉଥିବାରୁ 'ପଞ୍ଚସଖା'ଙ୍କୁ ଭକ୍ତି ଆନ୍ଦୋଳନର ପ୍ରବକ୍ତା ଭାବରେ ଓଡିଶାରେ ଗ୍ରହଣ କରାଯାଏ । ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସେମାନଙ୍କ ରଚନାରେ ପ୍ରତିବାଦର ସ୍ୱର ରହିଥିବାରୁ, ସେମାନଙ୍କ ସମୟକୁ ଏକ ସାମାଜିକ ଆନ୍ଦୋଳନ ରୂପରେ ମଧ୍ୟ ଦେଖାଯାଏ । ସାମାଜିକ ଋଢ଼ିବାଦର କର୍ତ୍ତୃତ୍ୱ ବୃଦ୍ଧି ପାଇ ନଥିଲେ 'ପଞ୍ଚସଖା'ଙ୍କର କାବ୍ୟ କବିତା ଓ ବିଚାର ଯେ ବ୍ୟାପକ ପ୍ରସାର ଲାଭ କରିନଥାନ୍ତା- ଏହା ସହଜରେ ଅନୁମାନ କରିହୁଏ ।

ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଥିଲେ ବଳରାମ ଦାସ । ତାଙ୍କର ଜନ୍ମ ୧୪୮୪ରେ ପୁରୀରେ । ପିତା ସୋମନାଥ ମହାପାତ୍ର ଓ ମାତା ମନମାୟା । ବଳରାମଙ୍କ ପିତା ଶୂଦ୍ର ଜାତିର ହେବା ସତ୍ତ୍ୱେ ଗଜପତିଙ୍କ ମନ୍ତ୍ରିପରିଷଦର ସଦସ୍ୟ ଥିଲେ । ବଳରାମ ମଧ୍ୟ ଇଚ୍ଛା କରିଥିଲେ{{right|ଓଡ଼ିଶା ଇତିହାସ . ୧୧୧