ପୃଷ୍ଠା:Odisha Itihasa.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଚ୍ଚ ରାଜପଦବୀ ପାଇ ପାରିଥାନ୍ତେ । ମାତ୍ର ବୈଷ୍ଣବ ଆନ୍ଦୋଳନର ପ୍ରଭାବରେ ସେ ସନ୍ନ୍ୟାସୀ ହେଲେ ଏବଂ ସରଳ ଓଡ଼ିଆରେ 'ଦାଣ୍ତି ରାମାୟଣ', 'ମୃଗୁଣୀ ସ୍ତୁତି', 'ବେଦାନ୍ତସାର ଗୁପ୍ତଗୀତା' ଓ 'ଭାବସମୁଦ୍ର' ଆଦି କାବ୍ୟ-କବିତା ରଚନା କଲେ । ସେ ବୈଷ୍ଣବ ହେବା ଓ ଓଡ଼ିଆରେ ଲେଖିବା ଘଟଣାରୁ ତାଙ୍କ ଭିତରେ ସାମାଜିକ ପ୍ରତିବାଦର ସ୍ୱରକୁ ଦେଖିହୁଏ । ତାଙ୍କ 'ରାମାୟଣ'କୁ ସେ 'ଜଗମୋହନ ରାମାୟଣ' ଆଖ୍ୟା ଦେଇଥିଲେ, ଯାହାର ଅର୍ଥ ହେଲା ବିଶ୍ୱହିତରେ ଜଗମୋହନ (ଜଗନ୍ନାଥ) ହେଲେ ଏହି ମହାକାବ୍ୟର ରଚୟିତା । ଲୋକମୁଖରେ ଏହାକୁ 'ଦାଣ୍ତି ରାମାୟଣ' ବୋଲି କୁହାଯାଏ । 'ଲକ୍ଷ୍ମୀପୁରାଣ' ତାଙ୍କର ଅନ୍ୟ ଏକ ରଚନା । ସେ ସଂସ୍କୃତ ଭାଷାରେ ମଧ୍ୟ ଜ୍ଞାନ ଅର୍ଜନ କରିଥିଲେ । ସଂସ୍କୃତ ସାହିତ୍ୟରେ ଜ୍ଞାନ ଥିବା ସତ୍ତ୍ୱେ ସେ ଓଡ଼ିଆରେ ଲେଖି ତଥା ରାଜଦରବାରରେ ଉଚ୍ଚପଦବୀ ପାଇବାର ଲୋଭରୁ ନିବୃତ୍ତ ହୋଇ ବୈଷ୍ଣବ ସନ୍ନ୍ୟାସୀ ଭାବରେ ଭକ୍ତି ଆନ୍ଦୋଳନକୁ ଏକ ଦୃଢ଼ ଭିତ୍ତି ଦେଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହୋଇନାହିଁ । ଜଗନ୍ନାଥ ଦାସ ଥିଲେ ପଞ୍ଚସଖାଙ୍କ ମଧ୍ୟରେ ଏକ ମାତ୍ର ବ୍ରାହ୍ମଣ । ସେ ସରଳ ସହଜ ଓଡ଼ିଆରେ, ନବାକ୍ଷରୀ ଛନ୍ଦରେ 'ଭାଗବତ' ରଚନା କରିଥିଲେ । ସଂସ୍କୃତ ପରିବର୍ତ୍ତେ ଓଡ଼ିଆରେ ଏହା ଲିଖିତ ହୋଇଥିବାରୁ ମନ୍ଦିର ଭିତରକୁ ଭାଗବତର ପ୍ରବେଶ ନଥିଲା; ମନ୍ଦିର ପରମ୍ପରାରେ ଏହାର ସ୍ୱୀକୃତି ନଥିଲା । ମାତ୍ର ଓଡ଼ିଶାର ପୁରପଲ୍ଲୀରେ ଏହାର ପ୍ରସାର ଏତେ ବ୍ୟାପକ ଯେ, ମନ୍ଦିର ବାହାରେ ତା'ର ପଠନପାଇଁ ଗ୍ରାମଗୁଡ଼ିକରେ ଭାଗବତ ଘର ବା ଟୁଙ୍ଗୀ ସ୍ଥାପନା ହେଲା । ଭାଗବତର ଲୋକପ୍ରିୟତାର ଅନ୍ୟ ଏକ ଦୃଷ୍ଟାନ୍ତ ହେଲା, ଏହାର ଅନେକ ପଦ ଲୋକ ମୁଖରେ ନୀତିବାଣୀ ରୂପେ ଉଚ୍ଚାରିତ ହୁଏ । ସଂସ୍କୃତରେ ଲିଖିତ 'ଶ୍ରୀମଦ୍‍ଭାଗବତ'ର ଆଧାରରେ ଏହା ଲିଖିତ ହେଲେ ସୁଦ୍ଧା ଓଡ଼ିଆ ଭାଷା ଓ ଭାବକୁ ଅଭିବ୍ୟକ୍ତ କରିବାରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ପୁସ୍ତକ ଏହା ସହିତ ତୁଳନୀୟ ହୋଇ ନପାରନ୍ତି । ଏଥିରେ କୃଷ୍ଣଚରିତର ବର୍ଣ୍ଣନା ରହିଛି ସତ; ମାତ୍ର ଅନେକ ସ୍ଥାନରେ ଜଗନ୍ନାଥଙ୍କୁ ହିଁ କବି କୃଷ୍ଣ ବୋଲି କହିଛନ୍ତି ।

'ଭାଗବତ' ବ୍ୟତୀତ ଜଗନ୍ନାଥ ଦାସଙ୍କର ଅନ୍ୟ କେତୋଟି ରଚନା ହେଲା, 'ବ୍ରହ୍ମଗୀତା', 'ଗଜନିସ୍ତାରଣ', 'ଦୂତିବୋଧ', 'ଗୁଣ୍ତିଚା ବିଜେ' ଓ 'ଅର୍ଥକୋଇଲି' ।

ଜଗନ୍ନାଥଦାସ ପୁରୀନିକଟସ୍ଥ କପିଳେଶ୍ୱର ଶାସନରେ ୧୪୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଭଗବାନ ଦାସ ଜଣେ ପୁରାଣ ପଣ୍ତା ଓ ମାତା ପଦ୍ମାବତୀ ଧର୍ମପରାୟଣା ମହିଳା ଥିଲେ । ନିରକ୍ଷରା ମାତା ସଂସ୍କୃତ ଭାଗବତ ବୁଝି ପାରୁ ନଥିବାରୁ ତାଙ୍କୁ ଓଡ଼ିଆରେ ଏହାକୁ ବୁଝାଇବା ପ୍ରକ୍ରିୟାରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ବୋଲି କୁହାଯାଏ । ଜଗନ୍ନାଥ ଦାସ ପ୍ରତାପରୁଦ୍ରଦେବ ଓ ଚୈତନ୍ୟଙ୍କର ସମସାମୟିକ ଥିଲେ । ତାଙ୍କ ଓଡ଼ିଆ ଭାଗବତ ବ୍ରାହ୍ମଣମାନଙ୍କଦ୍ୱାରା ସ୍ୱୀକୃତ ନ ହେବା ସତ୍ତ୍ୱେ, ତା'ର ଲୋକପ୍ରିୟତା ଯୋଗୁଁ ପ୍ରତାପରୁଦ୍ର ଦେବଙ୍କ ଅପ୍ରତ୍ୟକ୍ଷ ପୃଷ୍ଠପୋଷକତା ଜଗନ୍ନାଥ ଦାସଙ୍କୁ ମିଳିଥିଲା । ଚୈତନ୍ୟ ତାଙ୍କୁ 'ଅତିବଡ଼ୀ' ଉପାଧିରେ ଭୂଷିତ କରିଥିଲେ । ଅନ୍ୟ ଶବ୍ଦରେ କହିଲେ, ବ୍ରାହ୍ମଣମାନଙ୍କ ବିରୋଧ ସତ୍ତ୍ୱେ ଜଗନ୍ନାଥ ଦାସଙ୍କୁ ତାଙ୍କ ଜୀବଦ୍ଦଶାରେ ଉଭୟ ଲୋକସ୍ୱୀକୃତି ଓ ରାଜସ୍ୱୀକୃତି ପ୍ରାପ୍ତ ହୋଇଥିଲା, ଯାହା ଭକ୍ତି ଆନ୍ଦୋଳନର ପ୍ରସାର ଲାଗି ପଥ ପ୍ରଶସ୍ତ କରିଥିଲା ।୧୨୨ . ଓଡ଼ିଶା ଇତିହାସ