ପୃଷ୍ଠା:Odisha Itihasa.pdf/୧୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସହାୟତା ମିଳିବା କଥା । ଏମିତିରେ ଆଫଗାନମାନେ ମୋଗଲମାନଙ୍କର ଶତ୍ରୁ । ମାତ୍ର କର୍‍ରାନୀ ମୋଗଲ ସମ୍ରାଟ ଆକବରଙ୍କ ବଶ୍ୟତା ସ୍ୱୀକାର କରି ତଥା ମୋଗଲ ଦରବାରକୁ ଉପହାର ପ୍ରେରଣ କରି ମୋଗଲମାନଙ୍କର କୃପାଭିକ୍ଷା କଲେ । ମୋଗଲମାନଙ୍କର ଏକ ପ୍ରଧାନ ଶତ୍ରୁ ଆଫଗାନ୍‍ ସର୍ଦ୍ଦାର୍‍ ଆଲି କ୍ୟୁଲି ଖାନ୍‍ ସେତେବେଳେ ସାହାଯ୍ୟପାଇଁ ବଙ୍ଗର ଦ୍ୱାରସ୍ଥ ହେଲେ । ମାତ୍ର କର୍‍ରାନୀ ମୋଗଲମାନଙ୍କୁ ତୁଷ୍ଟ କରିବାପାଇଁ ଆଲି କ୍ୟୁଲିଙ୍କୁ ନା ଆଶ୍ରୟ ଦେଲେ ନା ସାହାଯ୍ୟ । ଏହି କାରଣରୁ ଓଡ଼ିଶା ଆକ୍ରମଣ ବେଳେ କର୍‍ରାନୀଙ୍କୁ କୌଣସି ମୋଗଲ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ । ଏହା ତାଙ୍କ ଓଡ଼ିଶା ବିଜୟକୁ ସହଜ, ସରଳ କଲା । ଅନ୍ୟ ପକ୍ଷରେ ଓଡ଼ିଶାକୁ ଆଫଗାନ ଶକ୍ତି ଜିଣିଲେ ସତ, କିନ୍ତୁ ସୁଲେମାନ କର୍‍ରାନୀ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ୱୀକାର କରିଥିବାରୁ ପ୍ରକାରାନ୍ତରେ ଏହା ମୋଗଲ ସାମ୍ରାଜ୍ୟର ଅଂଶ ହେଲା- ଯଦିଓ ପ୍ରକୃତ ଶାସନ ରହିଲା ଆଫଗାନ ଶକ୍ତି ହାତରେ । ୧୫୭୨ରେ ସୁଲେମାନ କର୍‍ରାନୀଙ୍କ ମୃତ୍ୟୁ ପରେ ଓଡ଼ିଶା ଅଧିକାରରେ ପ୍ରମୁଖ ଭୂମିକା ନେଇଥିବା ତାଙ୍କ ଜ୍ୟେଷ୍ଠ ପୁତ୍ର ବୟାଜିଦ ବଙ୍ଗର ଶାସକ ହେଲେ । ଅଳ୍ପ ଦିନ ପରେ ବୟାଜିଦ ନିହତ ହେବାଯୋଗୁଁ ୧୫୭୩ରେ ସୁଲେମାନଙ୍କ ଦ୍ୱିତୀୟ ପୁତ୍ର ଦାଉଦ ଶାସକ ହେଲେ । ଦାଉଦ ମୋଗଲମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ଘୋଷଣା କରିବାରୁ ଆକବର ପ୍ରଥମେ ସେନାପତି ମୁନିମ ଖାଁ ଓ ରାଜସ୍ୱ ମନ୍ତ୍ରୀ ତୋଡ଼ରମଲ୍ଲଙ୍କୁ ବିଦ୍ରୋହ ଦମନ କରିବାକୁ ପ୍ରେରଣ କଲେ । ଏହା ସତ୍ତ୍ୱେ ଆଫଗାନ ଶାସକଙ୍କ ବିଦ୍ରୋହ ଦମନ ନହେବାରୁ ଆକବର ବଙ୍ଗ ଅଭିମୁଖେ ସେନା ପରିଚାଳନା କଲେ । ବଙ୍ଗ ଓ ବିହାରକୁ ମୋଗଲମାନଙ୍କ ହାତରେ ଛାଡ଼ିଦେଇ ଦାଉଦ ଓଡିଶା ଅଭିମୁଖେ ପଳାୟନ କଲେ । ୧୫୭୫ରେ ତାଙ୍କୁ ବାଲେଶ୍ୱର ନିକଟସ୍ଥ ଜଳେଶ୍ୱରଠାରେ ମୋଗଲ ସେନା ପରାଜିତ କଲେ । ଏହି ଯୁଦ୍ଧସ୍ଥଳୀଟି ଆଜି ମଧ୍ୟ 'ମୋଗଲମାରି' ନାମରେ ପରିଚିତ । ଯୁଦ୍ଧ ପରେ ଶାନ୍ତି ଚୁକ୍ତି ଅନୁଯାୟୀ ବଙ୍ଗ ମୋଗଲ ଅଧିକାରକୁ ଗଲା ଏବଂ ଦାଉଦ ଓଡ଼ିଶାର ସ୍ୱାଧୀନ ଶାସକ ହେଲେ । ଦାଉଦ ମୋଗଲ ସେନାପତି ମୁନିମ ଖାଁଙ୍କୁ ଅନେକ ହସ୍ତୀ ଉପହାର ଦେଲେ ଏବଂ ନିଜ ପୁତୁରା ଶେଖ ମହମ୍ମଦଙ୍କୁ ମୋଗଲ ଦରବାରକୁ ପ୍ରେରଣ କରିବାକୁ ସମ୍ମତ ହେଲେ । ମୁନିମ ଖାଁ ବଙ୍ଗର ମୋଗଲ ଗଭର୍ଣ୍ଣର ନିଯୁକ୍ତ ହେଲେ ।

୧୫୭୬ରେ ମୁନିମ ଖାଁଙ୍କର ମୃତ୍ୟୁ ହେଲା । ଏହାର ସୁଯୋଗ ନେଇ ଦାଉଦ ପୁଣି ଥରେ ବିଦ୍ରୋହ କଲେ ଓ ରାଜମହଲ (ବଂଗ)ଠାରେ ମୋଗଲ ସେନା ହାତରେ ପରାଜିତ ହେଲେ । ଓଡ଼ିଶା ବଙ୍ଗର ମୋଗଲ ସୁବେଦାରଙ୍କ ଅଧୀନସ୍ଥ ହେଲା । କିୟା ଖାଁ ଓଡ଼ିଶାର ଗଭର୍ଣ୍ଣର ରୂପେ ମୋଗଲମାନଙ୍କଦ୍ୱାରା ନିଯୁକ୍ତ ହେଲେ । ୧୫୭୯ରେ କିୟା ଖାଁ ହତ୍ୟାର ଶିକାର ହେବା ପୂର୍ବରୁ ନିରନ୍ତର ଆଫଗାନ ବିଦ୍ରୋହର ସମ୍ମୁଖୀନ ହେଲେ । ଯଦିଓ ତାଙ୍କ ସମୟରେ ଓଡ଼ିଶାରେ ମୋଗଲ ଶାସନ ରହିଥିଲା, ଆଫଗାନ ବିଦ୍ରୋହଯୋଗୁଁ ଅରାଜକତା ଲାଗି ରହିଲା । ଏହାର ସ୍ଥାୟୀ ସମାଧାନ ଲାଗି ଆକବର ମାସୁମ ଖାଁ ନାମକ ଜଣେ ଆଫଗାନ ସର୍ଦ୍ଦାରଙ୍କୁ କିୟା ଖାଁଙ୍କ ପରେ ଓଡ଼ିଶାର ଗଭର୍ଣ୍ଣର ନିଯୁକ୍ତ କଲେ ।{{right|ଓଡ଼ିଶା ଇତିହାସ . ୧୧୭