ପୃଷ୍ଠା:Odisha Itihasa.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୮୨ରେ ତୋଡ଼ରମଲ୍ଲଙ୍କ ଜମିଜମା ବନ୍ଦୋବସ୍ତ ବ୍ୟବସ୍ଥା ଓଡ଼ିଶାରେ କାର୍ଯ୍ୟକାରୀ ହେଲା । ବନ୍ଦୋବସ୍ତ ଅନୁସାରେ ଓଡ଼ିଶାକୁ ପାଞ୍ଚଟି ସରକାରରେ ବିଭକ୍ତ କରାଗଲା । ସେଗୁଡ଼ିକ ହେଲା:- ରୂପନାରାୟଣ, ବଳଙ୍ଗା ନଦୀ ଉପକୂଳ ମଧ୍ୟବର୍ତ୍ତୀ ଜଳେଶ୍ୱର ସରକାର, ବଳଙ୍ଗା ଓ ବ୍ରାହ୍ମଣୀ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ ଭଦ୍ରକ ସରକାର, ବ୍ରାହ୍ମଣୀ ନଦୀ ଓ ଚିଲିକା ହ୍ରଦ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ କଟକ ସରକାର, ଦକ୍ଷିଣ ଓଡ଼ିଶାକୁ ନେଇ କଳିଙ୍ଗ ଦଣ୍ତପାଟ ଏବଂ ଉତ୍ତର ଆନ୍ଧ୍ର କ୍ଷେତ୍ରକୁ ନେଇ ରାଜମହେନ୍ଦ୍ରୀ ସରକାର । ଏହି ପାଞ୍ଚଟି ମଧ୍ୟରୁ ଶେଷ ଦୁଇଟି ସରକାର ନାମକୁ ମାତ୍ର ମୋଗଲ ସାମ୍ରାଜ୍ୟର ଅଂଶ ହୋଇ ରହିଲେ । କାରଣ ୧୫୭୧ରେ ଉକ୍ତ ଅଞ୍ଚଳକୁ ଗୋଲକୋଣ୍ତା ସୁଲତାନ ଇବ୍ରାହିମ୍‍ କୁତବ ନିଜ ରାଜ୍ୟରେ ମିଶାଇ ସାରିଥିଲେ । ଅର୍ଥାତ୍‍ ଆକବରଙ୍କ ସମୟରେ ଦକ୍ଷିଣରେ ଓଡ଼ିଶା ଚିଲିକା ପର୍ଯ୍ୟନ୍ତ ସୀମିତ ହୋଇ ରହିଥିଲା ।

ମୋଗଲ ସମ୍ରାଟ ଓଡ଼ିଶା ଶାସନ ସମୟରେ ଅନୁଭବ କଲେ ଯେ, ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ମାଳ ଓ ଜଙ୍ଗଲରେ ପରିପୂର୍ଣ୍ଣ । ତେଣୁ ପ୍ରତ୍ୟକ୍ଷ ପ୍ରାଶାସନିକ ନିୟନ୍ତ୍ରଣ ଦୁରୂହ ବ୍ୟାପାର । ସେଥିଯୋଗୁଁ ପ୍ରାଶାସନିକ ସୁବିଧାପାଇଁ ସମଗ୍ର ଓଡ଼ିଶା କ୍ଷେତ୍ରକୁ ଦୁଇ ଭାଗରେ ବିଭକ୍ତ କରାଗଲା । ପ୍ରତ୍ୟକ୍ଷ ଶାସିତ ଅଞ୍ଚଳକୁ ମୋଗଲବନ୍ଦି ଓ ସାମନ୍ତ ଶାସିତ ମାଳ ଓ ଜଙ୍ଗଲପୂର୍ଣ୍ଣ ଅଞ୍ଚଳକୁ ଗଡ଼ଜାତ ବୋଲି କୁହାଗଲା । ଗଡ଼ଜାତର ରାଜାମାନେ କିଛି ବାର୍ଷିକ ଦେୟ ମୋଗଲମାନଙ୍କୁ ଦେଉଥିଲେ ଏବଂ ସେମାନଙ୍କ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ମୋଗଲ ପ୍ରାଶାସନିକ ନିୟନ୍ତ୍ରଣ ରହିଲା ନାହିଁ । ଗଡ଼ଜାତ ରାଜାମାନେ ଏକ ପ୍ରକାର ସ୍ୱାଧୀନ ଭାବେ ରାଜତ୍ୱ କଲେ । ଏହି ସମୟର ଅନ୍ୟ ଏକ ବିଶିଷ୍ଟ ଘଟଣା ହେଲା, ଖୋର୍ଦ୍ଧା ଭୋଇ ବଂଶର ଉତ୍ତରାଧିକାରୀ ରମାଇ ରାଉତରାୟଙ୍କୁ ଗଜପତି ଅର୍ଥାତ୍‍ ଓଡ଼ିଶାର ରାଜା (ପୁରୀର ରାଜା) ଘୋଷଣା କରାଗଲା । ରମାଇ ରାମଚନ୍ଦ୍ରଦେବ ନାମ ଧାରଣ କରି ଖୋର୍ଦ୍ଧାରେ ରାଜତ୍ୱ କଲେ । ପୁରୀ ଓ ଜଗନ୍ନାଥ ତାଙ୍କ ଶାସନ କ୍ଷେତ୍ର ମଧ୍ୟରେ ରହିଥିବାରୁ ସେ ଓଡ଼ିଶାର ରାଜା ଭାବରେ ସ୍ୱୀକୃତି ପାଇଲେ । ଆଫଗାନ୍‍ ସର୍ଦ୍ଦାରମାନଙ୍କ ବିଦ୍ରୋହରୁ ନିସ୍ତାର ପାଇବାଲାଗି ସମ୍ଭବତଃ ଆକବର ଓ ଓଡ଼ିଶା କଥା ବୁଝୁଥିବା ତାଙ୍କ ମନ୍ତ୍ରୀ ତୋଡ଼ରମଲ୍ଲ ଓଡ଼ିଶାର ପାରମ୍ପରିକ ରାଜ ଶକ୍ତିକୁ ପ୍ରାଧାନ୍ୟ ଦେଇଥିଲେ ।

୧୫୮୩-୮୪ରେ ପୁଣି ଥରେ ଓଡ଼ିଶାରେ ଆଫଗାନ ଶକ୍ତି ଏକତ୍ର ହୋଇ ମୋଗଲମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ସେମାନଙ୍କ ସର୍ଦ୍ଦାର ଥିଲେ କୁତୁଲ ଖାଁ ଲୋହାନୀ । କୁତୁଲ୍‍ ଖାଁ ରାମଚନ୍ଦ୍ର ଦେବଙ୍କୁ ପରାସ୍ତ କରି ପୁରୀ ଅଧିକାର କରିନେଲେ । ଏହି ସମୟରେ ମୋଗଲ ସମ୍ରାଟଙ୍କ ଦ୍ୱାରା ଓଡ଼ିଶାର ଗଭର୍ଣ୍ଣର ନିଯୁକ୍ତ ହୋଇ କଟକରେ ଅବସ୍ଥାପିତ ଥିବା ଆଫଗାନ ସର୍ଦ୍ଦାର ମାସୁମ୍‍ ଖାଁ ମଧ୍ୟ ଆଫଗାନ ବିଦ୍ରୋହୀଙ୍କ ସଙ୍ଗେ ମିଶିଗଲେ । ସେମାନଙ୍କୁ ବଙ୍ଗର ମୋଗଲ ସୁବେଦାର ଶାହବାଜ ଖାଁ ପରାସ୍ତ କଲେ । ଶାନ୍ତିଚୁକ୍ତି ଅନୁଯାୟୀ କୁତୁଲ ଖାଁଙ୍କୁ ଓଡ଼ିଶାର ଶାସକ ଭାବରେ ସ୍ୱୀକୃତି ମିଳିଲା । ପ୍ରତିବଦଳରେ ସେ ଭବିଷ୍ୟତରେ ବଙ୍ଗ ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦେଲେ । ମୋଗଲମାନେ ଓଡ଼ିଶାରୁ ଷାଠିଏଟି ହସ୍ତୀ ଉପହାର ନେଇ ତଥା କୁତୁଲ ଖାଁଙ୍କ ପୁତୁରାକୁ ପଣବନ୍ଦୀ ଭାବରେ ନେଇ ଚୁପ୍‍ ରହିଲେ । ପୁଣି ଥରେ ଓଡ଼ିଶା ଆଫଗାନ ଶକ୍ତି ହାତକୁ ଗଲା ।୧୧୮ . ଓଡ଼ିଶା ଇତିହାସ