ପୃଷ୍ଠା:Odisha Itihasa.pdf/୧୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ସନ୍ଧିରେ ଆକବର ସନ୍ତୁଷ୍ଟ ନଥିଲେ । ଦିଲ୍ଲୀ ଓ ଉତ୍ତର ଭାରତରେ ନିଜ ସ୍ଥିତିକୁ ସୁଦୃଢ଼ କରିବା ପରେ ସେ ନୂଆ ନୂଆ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ଯୋଡ଼ିବାକୁ ଚାହୁଁଥିଲେ । ତେଣୁ ରାଜା ମାନସିଂହଙ୍କୁ ଓଡ଼ିଶା ଜୟକରିବାକୁ ସେ ପ୍ରେରଣ କଲେ । ୧୫୯୦ରେ ମାନସିଂହ ପୁଣି ଥରେ ଓଡ଼ିଶାକୁ ଜିଣିନେଲେ ଓ ତାକୁ ମୋଗଲ ସାମ୍ରାଜ୍ୟଭୁକ୍ତ କଲେ । ଏହା ପରେ ଓଡ଼ିଶାରେ ଆଫଗାନ ଶକ୍ତି ପୂର୍ଣ୍ଣତଃ ମୋଗଲ ସାମ୍ରାଜ୍ୟର ପ୍ରଭୁତ୍ୱ ସ୍ୱୀକାର କଲା । ପୁରୀ ଓ ଖୋର୍ଦ୍ଧା ମୋଗଲର ପ୍ରତ୍ୟକ୍ଷ ଶାସନାଧୀନ ହେଲା । ତୀର୍ଥଯାତ୍ରୀଙ୍କଠାରୁ ଆଦାୟ ହେଉଥିବା କରଯୋଗୁଁ ତଥା ଓଡ଼ିଶା ରାଜ୍ୟର ପ୍ରତୀକ ଭାବେ ଖ୍ୟାତି ପାଇଥିବା ଜଗନ୍ନାଥଙ୍କ ସାମାଜିକ ପ୍ରଭାବଯୋଗୁଁ ପୁରୀ ସର୍ବଦା ରାଜ ଆକର୍ଷଣର କେନ୍ଦ୍ର ଥିଲା । ତାକୁ ନିଜ ନିୟନ୍ତ୍ରଣକୁ ଆଣି ବସ୍ତୁତଃ ଓଡ଼ିଶାକୁ ମୋଗଲ କର୍ତ୍ତୃତ୍ୱକୁ ଅଣାଗଲା । ଅନ୍ୟ ପକ୍ଷରେ ଆଫଗାନ ସର୍ଦ୍ଦାର ଖ୍ୱାଜା ଇସା ମୋଗଲ ରୀତିନୀତି ମାନି କଟକରେ ଶାସନ କାର୍ଯ୍ୟ କଲେ ।

୧୫୯୨ରେ ଖ୍ୱାଜା ଇସାଙ୍କ ମୃତ୍ୟୁ ପରେ ପୁଣି ଥରେ ଆଫଗାନମାନେ ମୋଗଲମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଏଥିରେ କୁତୁଲ୍‍ ଖାଁଙ୍କ ପୁତ୍ରମାନେ ନେତୃତ୍ୱ ନେଇଥିଲେ । ସେମାନେ ଜଗନ୍ନାଥ ମନ୍ଦିର ଲୁଟ୍‍ କରି ଅନେକ ଧନ ସମ୍ପତ୍ତି ମଧ୍ୟ ନେଇଗଲେ । ମାନସିଂହଙ୍କୁ ମୋଗଲ ସେନା ସହିତ ପୁଣି ଥରେ ଓଡ଼ିଶା ଅଭିଯାନରେ ଆସିବାକୁ ପଡ଼ିଲା । ବାଲେଶ୍ୱର ନିକଟରେ ଆଫଗାନମାନେ ପରାସ୍ତ ହୋଇ ପଳାୟନ କଲେ । ମାନସିଂହ ଏଥର ଜଳେଶ୍ୱର ଓ ଭଦ୍ରକ ବାଟ ଦେଇ କଟକ ମଧ୍ୟ ଆସିଥିଲେ । ବିଦ୍ରୋହୀମାନଙ୍କର ମୂଳୋତ୍ପାଟନ କରିବାଲାଗି ସେ ଚୌଦ୍ୱାର ନିକଟସ୍ଥ ସାରଙ୍ଗଗଡ଼ ଆକ୍ରମଣ କଲେ । ରାମଚନ୍ଦ୍ର ଦେବ ଆଫଗାନମାନଙ୍କୁ ଶରଣ ଦେଇଥିବାରୁ ସେ ମୋଗଲମାନଙ୍କ ରୋଷର ଶିକାର ହେଲେ । ଯୁଦ୍ଧରେ ପରାସ୍ତ ରାମଚନ୍ଦ୍ର ଶେଷରେ ଆକବରଙ୍କ ପ୍ରଭୁତ୍ୱ ଶିକାର କଲେ ଏବଂ ଖୋର୍ଦ୍ଧାର ରାଜା ଭାବରେ ତାଙ୍କୁ ମୋଗଲ ସ୍ୱୀକୃତି ମିଳିଲା । ଏହାପରେ ରାମଚନ୍ଦ୍ର ଦେବଙ୍କୁ 'ଗଜପତି' ଉପାଧି ଓ ଜଗନ୍ନାଥ ମନ୍ଦିର ଉପରେ କର୍ତ୍ତୃତ୍ୱ ପ୍ରାପ୍ତ ହେଲା । ତାଙ୍କୁ ଆକବର ମାନସବଦାର ପଦ ମଧ୍ୟ ଦେଇଥିଲେ । ତେଣିକି ଓଡ଼ିଶା ଦେଢ଼ ଶହ ବର୍ଷରୁ ଊର୍ଦ୍ଧ୍ୱ କାଳ (୧୫୯୨-୧୭୫୧) ମୋଗଲ ଶାସନାଧୀନ ରହିଲା ।

କଟକ ଥିଲା ମୋଗଲ ଶାସନର ମୁଖ୍ୟ କେନ୍ଦ୍ର । ମୋଗଲ ପ୍ରତିିନିଧି କଟକର ବାରବାଟୀ ଦୁର୍ଗରେ ଅବସ୍ଥାପିତ ହୋଇ ଓଡ଼ିଶାର ପ୍ରଶାସନ ଓ ରାଜସ୍ୱ ଆଦାୟ କଥା ବୁଝିଲେ । ଆରମ୍ଭରୁ (୧୫୯୨-୧୬୦୭) ସେ ବଙ୍ଗରେ ଅବସ୍ଥାପିତ ବଙ୍ଗ, ବିହାର ଓ ଓଡ଼ିଶାର ମୋଗଲ ଗଭର୍ଣ୍ଣରଙ୍କ ଠାରେ ଉତ୍ତରଦାୟୀ ରହିଲେ । ପରେ (୧୬୦୭) ଓଡ଼ିଶା ଏକ ସ୍ୱତନ୍ତ୍ର ସୁବାର ମାନ୍ୟତା ପାଇଲା ଏବଂ ତା'ର ମୋଗଲ ପ୍ରଶାସକଙ୍କୁ ସୁବାଦାର କୁହାଗଲା । ୧୫୯୨ରୁ ୧୬୦୭ ପର୍ଯ୍ୟନ୍ତ ମଝିରେ ଅଳ୍ପ ସମୟକୁ ବାଦ ଦେଲେ ରାଜା ମାନସିଂହ ବଙ୍ଗର ଗଭର୍ଣ୍ଣର ଭାବରେ ଓଡ଼ିଶାର ପ୍ରଶାସନ କଥା ବୁଝୁଥିଲେ । ୧୬୦୭ରେ ସ୍ୱତନ୍ତ୍ର ଓଡ଼ିଶା ସୁବାର ପ୍ରଥମ ସୁବାଦାର ଭାବରେ ହାସିମ୍‍ ଖାଁ ନିଯୁକ୍ତି ପାଇଲେ ।{{right|ଓଡ଼ିଶା ଇତିହାସ . ୧୧୯