ପୃଷ୍ଠା:Odisha Itihasa.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାକ୍-ଐତିହାସିକ ଅଧ୍ୟୟନରୁ ପ୍ରତିପାଦିତ ହୁଏ ଯେ, ଆଦିମାନବ ମୁଖ୍ୟତଃ ପ୍ରସ୍ତରନିର୍ମିତ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ପଶୁ ଶିକାର ସାଙ୍ଗକୁ ଜଙ୍ଗଲରୁ ଫଳ ମୂଳ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ପ୍ରକୃତି ଉପରେ ନିର୍ଭରଶୀଳ ଥିଲା । ବିବର୍ତ୍ତନର ମୋଟ ଅବଧିରୁ ଯେଉଁ କିଛି ସମୟ ମଣିଷ ଧରା ପୃଷ୍ଠରେ ଅବସ୍ଥାନ କରିଛି ତହିଁରୁ ଅଧିକାଂଶ କାଳ ଅତିବାହିତ ହୋଇଛି ଆଦିମାନବ ରୂପରେ । ସମୟକ୍ରମେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିଛି । ମଣିଷ ତା'ଚାରିପଟର ପରିବର୍ତ୍ତନକୁ ଅନୁଧ୍ୟାନ କରି ଜଙ୍ଗଲର ପଶୁ ଓ ବୃକ୍ଷଲତାଙ୍କୁ ବ୍ୟବହାର ଉପଯୋଗୀ କରିଛି । ସମୟକ୍ରମେ ସେ ନିଆଁର ବ୍ୟବହାର ଶିଖିଛି ଓ କୃଷିକାର୍ଯ୍ୟ ଆରମ୍ଭ କରିଛି । ଏହା ତାକୁ ସ୍ଥାୟୀ ବସତି ସ୍ଥାପନ କରିବାକୁ ଅବସର ପ୍ରଦାନ କରିଛି ଏବଂ ସଭ୍ୟତା ଓ ସଂସ୍କୃତି ନିର୍ମାଣ କରିବାକୁ ସୁଯୋଗ ଦେଇଛି ।

ପ୍ରାକ୍-ଐତିହାସିକ ବିବିଧ ସାମଗ୍ରୀ ପୃଥିବୀର ବିଭିନ୍ନ ସ୍ଥାନରେ ମିଳିସାରିଛି । ଏହାର ଅର୍ଥ ହେଲା ବିବର୍ତ୍ତନର ପ୍ରକ୍ରିୟା କୌଣସି ଗୋଟିଏ ସ୍ଥାନରେ ସୀମିତ ହୋଇନାହିଁଁ । ସାମଗ୍ରୀଗୁଡ଼ିକର ବିଜ୍ଞାନସମ୍ମତ ପ୍ରଣାଳୀ ମାଧ୍ୟମରେ ସମୟ ନିରୂପଣ କରାଯାଏ । କେଉଁ ସାମଗ୍ରୀ କେତେ ପ୍ରାଚୀନ, ସେ ନେଇ ପ୍ରତ୍ନତତ୍ତ୍ୱବିଦ୍‌ମାନେ ଏକ ସହମତିରେ ଉପସ୍ଥିତ ହୁଅନ୍ତି । ଅର୍ଥାତ୍ ସାମଗ୍ରୀଗୁଡ଼ିକର ପ୍ରାଚୀନତା ଆଧାରରେ ଘଟଣାବଳୀଗୁଡିକୁ କାଳ କ୍ରମାନୁସାରେ ବିଭାଗୀକରଣ କରାଯାଏ । ସମଗ୍ର ପୃଥିବୀରେ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ବେଳେ ଏହି ବିଭାଗୀକରଣକୁ ମାନ୍ୟତା ଦିଆଯାଏ ।

ପୃଥିବୀର ଆନୁମାନିକ ବୟସ ହେବ ୪୦,୦୦୦ ଲକ୍ଷ ବର୍ଷ । ଏହି ସମୟସୀମାକୁ ଚାରିଖଣ୍ତରେ ବିଭକ୍ତ କରାଯାଏ । ଶେଷ ଖଣ୍ତଟିକୁ ପୁଣି ଦୁଇ ଭାଗରେ ବିଭକ୍ତ କରି ପ୍ଲିଷ୍ଟୋସିନ୍ (Pleistocene) ଓ ହଲୋସିନ୍(Holocene) ଯୁଗ ବୋଲି କୁହାଯାଏ । ପ୍ଲିଷ୍ଟୋସିନ୍ ଯୁଗ ହେଲା ଖ୍ରୀଷ୍ଟପୂର୍ବ ୨୦,୦୦,୦୦୦ରୁ ଖ୍ରୀଷ୍ଟପୂର୍ବ ୧୦,୦୦୦ ମଧ୍ୟବର୍ତ୍ତୀ କାଳଖଣ୍ତ । ହଲୋସିନ୍ ଯୁଗ ହେଲା ଖ୍ରୀଷ୍ଟପୂର୍ବ ୧୦,୦୦୦ ଏବଂ ବର୍ତ୍ତମାନ ଅବ୍ଦ ମଧ୍ୟବର୍ତ୍ତୀ ଅବଧି । ପ୍ରଥମେ ମାନବ ପ୍ଲିଷ୍ଟୋସିନ୍ ଯୁଗର ଆଦ୍ୟ କାଳରେ ଦେଖାଯାଇଥିଲା ବୋଲି ଅନୁମାନ କରାଯାଏ । ପ୍ରାଚୀନ ପ୍ରସ୍ତର ଯୁଗର ଆରମ୍ଭ ପ୍ଲିଷ୍ଟୋସିନ୍ ଯୁଗରେ । ତାକୁ ଗ୍ଲାସିଏସନ ଯୁଗ (Glaciation) ବୋଲି ମଧ୍ୟ କୁହାଯାଏ ।

ଆଦିମାନବ ଥିଲା ଅନେକାଂଶରେ ବାନରାକୃତି ଓ ତା'ର ଚରିତ୍ର ଥିଲା ବାନର ସୁଲଭ ।ପରବର୍ତ୍ତୀକାଳରେ ବିବର୍ତ୍ତିିତ ହୋଇ ସେ ଆଧୁନିକମାନବର ସାଦୃଶ୍ୟ ଅବସ୍ଥାରେ ପହଞ୍ଚିଲା । ଆଦିକାଳରେ ତା'ର କୌଣସି ନିର୍ଦ୍ଦିଷ୍ଟ ବାସସ୍ଥାନ ନଥିଲା; ଖାଦ୍ୟ ଅନ୍ୱେଷଣରେ ସେ ଯାଯାବର ଜୀବନଯାପନ କରୁଥିଲା । ବିଶାଳକାୟ ହିଂସ୍ର ଜନ୍ତୁମାନଙ୍କ ସହ ବସବାସ କରୁଥିଲା । ବିବର୍ତ୍ତିିତ ଅବସ୍ଥାରେ ଶରୀର ଗଠନ ଓ ସାମର୍ଥ୍ୟ ଦୃଷ୍ଟିରୁ ସେ ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଦୁର୍ବଳ ଓ ଅସହାୟ ଥିଲା । ହେଲେ, ତା'ର ମାନସିକ ଶକ୍ତି ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଅଧିକ ରହିଥିଲା ବୋଲି ସେ ଅଧିକ ବଳୀୟାନ ବିବେଚିତ ହେଲା । ଏପରିକି କେତେକ ବନ୍ୟ ପଶୁଙ୍କୁ ସେ ବଶ କରି ସେମାନଙ୍କୁ ନିଜ ସ୍ୱାର୍ଥରେ ବିନିଯୋଗ କରିବା ମଧ୍ୟ ଆରମ୍ଭ କଲା । ସେହିଭଳି ବୁଦ୍ଧି ପ୍ରୟୋଗ କରି ସେ
୧୨ . ଓଡ଼ିଶା ଇତିହାସ