ପୃଷ୍ଠା:Odisha Itihasa.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯଦିଓ ଓଡ଼ିଶା ମୋଗଲ ସାମ୍ରାଜ୍ୟାଧୀନ ହେଲା, ତହିଁରେ ଅନେକ ଛୋଟ ଛୋଟ ରାଜ୍ୟ ସ୍ୱାଧୀନ ଓ ଅର୍ଦ୍ଧ ସ୍ୱାଧୀନ ଭାବରେ ପ୍ରତିଷ୍ଠିତ ହୋଇଥିଲେ । ମୋଗଲ ପ୍ରାଶାସନିକ କର୍ତ୍ତୃତ୍ୱ ଏହି ରାଜ୍ୟଗୁଡ଼ିକରେ ପୂର୍ଣ୍ଣ ମାତ୍ରାରେ ଅନୁଭୂତ ହେଉ ନଥିଲା । ଏହିଭଳି ଏକ ରାଜ୍ୟ ଥିଲା ଖୋର୍ଦ୍ଧା । ସେଠାରେ ଭୋଇ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ପୁରୀ ଓ ଜଗନ୍ନାଥ ମନ୍ଦିର ଖୋର୍ଦ୍ଧା ରାଜାଙ୍କ ନିୟନ୍ତ୍ରଣରେ ରହିଥିଲା । ସେ ଗଜପତି ଉପାଧି ବହନ କରିଥିବାରୁ ଏବଂ ତାଙ୍କ ନିୟନ୍ତ୍ରଣରେ ଜଗନ୍ନାଥ ମନ୍ଦିର ରହିଥିବାରୁ ତାଙ୍କୁ ଓଡ଼ିଶାର ରାଜା ଭାବରେ ସମ୍ମାନ ମିଳୁଥିଲା । ଧାର୍ମିକ ଓ ସାମାଜିକ କାରଣରୁ ଏବଂ ତାହା ସାଙ୍ଗକୁ ଆର୍ଥନୀତିକ କାରଣରୁ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିରର ଖୁବ୍‍ ମହତ୍ତ୍ୱ ରହିଥିଲା । ତୀର୍ଥଯାତ୍ରୀମାନଙ୍କଠାରୁ ଆଦାୟ ହେଉଥିବା କର ରାଜ୍ୟ ରାଜସ୍ୱର ଏକ ମୁଖ୍ୟ ଭାଗ ଥିଲା । ଜଗନ୍ନାଥଙ୍କର ପୂଜା ବିଧି-ବ୍ୟବସ୍ଥା ଉପରେ ମନ୍ଦିରର ପ୍ରତିଷ୍ଠା ନିର୍ଭର କରୁଥିଲା । ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଗଜପତିଙ୍କ ଭିନ୍ନ ଅନ୍ୟ କେଉଁ ଶାସକ ହାତରେ ରହିଲେ, ସୂଚାରୁ ରୂପେ ପୂଜା ବିଧି ବ୍ୟବସ୍ଥା ଓ ମନ୍ଦିର ପରିଚାଳନା ହୋଇ ନପାରିବାର ଆଶଙ୍କା ଥିଲା । ମୋଟ କଥା ହେଲା, ଉଭୟ ଗଜପତି ଓ ମୋଗଲ ଶାସକମାନଙ୍କପାଇଁ ପୁରୀ ଅଧିକାର ଏକ ଆବଶ୍ୟକତା ଥିଲା । ଫଳରେ ପୁରୀକୁ ନେଇ ଗଜପତି ଓ ମୋଗଲମାନଙ୍କ ମଧ୍ୟରେ କଳହ ଲାଗି ରହିଲା । ସାମରିକ ଦୃଷ୍ଟିରୁ ଗଜପତି ମୋଗଲମାନଙ୍କ ସହ ତୁଳନୀୟ ନଥିଲେ ସୁଦ୍ଧା ତାଙ୍କ ପଛରେ ବିଭିନ୍ନ ସାମାଜିକ ବର୍ଗର ସମର୍ଥନ ରହିଥିଲା । ତେଣୁ ସମଗ୍ର ମୋଗଲ ଶାସନ କାଳରେ ସେ କ୍ଷମତାର ଏକ କେନ୍ଦ୍ର ହେଲେ । ମନ୍ଦିର ଉପରେ ନିଜ ନିୟନ୍ତ୍ରଣ ବଜାୟ ରଖିବାଲାଗି ସେ ଯେଉଁ ପଦକ୍ଷେପମାନ ନେଉଥିଲେ, ତାକୁ ଓଡ଼ିଶାର ସ୍ୱାଭିମାନ ରକ୍ଷା ନିମନ୍ତେ ଉଦ୍ୟମ ବୋଲି ଚିହ୍ନିତ କରାଗଲା । ଅପରପକ୍ଷରେ, ମୋଗଲମାନଙ୍କ ପଦକ୍ଷେପକୁ ଆକ୍ରମଣ ବୋଲି କୁହାଗଲା । ଏହି ପ୍ରକ୍ରିୟାରେ ଖୋର୍ଦ୍ଧା ଗଜପତି ମୋଗଲ ସାମ୍ରାଜ୍ୟାଧୀନ ହେବା ସତ୍ତ୍ୱେ, ଓଡ଼ିଶାରେ ପ୍ରଥମେ ଆଫଗାନ ଓ ପରେ ମୋଗଲ ଶକ୍ତିର ପ୍ରତିଦ୍ୱନ୍ଦ୍ୱୀ ରୂପେ ଗଣା ହେଲେ । ଯେହେତୁ ତାଙ୍କର ସାମାଜିକ ଶକ୍ତି ବ୍ରାହ୍ମଣମାନଙ୍କର ସହଯୋଗ ଓ ସମର୍ଥନ ଉପରେ ନିର୍ଭର କରୁଥିଲା, ସେ ବ୍ରାହ୍ମଣ ଶାସନ ଆଦି ପ୍ରତିଷ୍ଠା କରି ବ୍ରାହ୍ମଣମାନଙ୍କୁ ଯଥେଷ୍ଟ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ । ଅର୍ଥାତ୍‍ ଖୋର୍ଦ୍ଧା ଗଜପତି ମୋଗଲ ଶାସନାଧୀନ ଓଡ଼ିଶାରେ ମୋଗଲର ପ୍ରତିଦ୍ୱନ୍ଦ୍ୱୀ ହେବା ସହିତ ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ଅପେକ୍ଷା ଉଚ୍ଚସ୍ଥାନ ଲାଭ କରିଥିଲେ ।

ହାସିମ୍‍ ଖାଁଙ୍କ ସମୟରେ (୧୬୦୭-୧୬୧୧) ଥରେ ଜଗନ୍ନାଥ ମନ୍ଦିର ଉପରେ ମୋଗଲ ଆକ୍ରମଣ ହୋଇଥିଲା । ରାଜପୁତ ଜାଗିରଦାର କେଶୋଦାସ ମାରୁଙ୍କ ନେତୃତ୍ୱରେ ହୋଇଥିବା ଏହି ଆକ୍ରମଣରେ ତିିନିଟିଯାକ ରଥକୁ ପୋଡ଼ି ଦିଆଯାଇଥିବା କୁହାଯାଏ । ପ୍ରତିରକ୍ଷାପାଇଁ ଗଜପତି ପୁରୁଷୋତ୍ତମ ଦେବ (୧୬୦୫-୧୬୨୧) ଉଦ୍ୟମ କରିଥିଲେ । ମାତ୍ର ସୁବାଦାର ହାସିମ୍‍ ଖାଁଙ୍କଠାରୁ (କଟକରୁ) ଅଧିକ ସୈନ୍ୟ ସାହାଯ୍ୟ ପାଇ କେଶୋଦାସ ମନ୍ଦିର ଉପରେ କବ୍‍ଜା କରିବାପାଇଁ ସକ୍ଷମ ହେଲେ । ବାଧ୍ୟ ହୋଇ ଗଜପତି ମୋଗଲ ସମ୍ରାଟଙ୍କୁ ତିିନି ଲକ୍ଷ ଟଙ୍କା ଓ ନିଜ କନ୍ୟାକୁ୧୨୦ . ଓଡ଼ିଶା ଇତିହାସ