ପ୍ରଦାନ କରିବାକୁ ରାଜି ହେଲେ । କେଶୋଦାସ ନିଜେ ମଧ୍ୟ ଗଜପତିଙ୍କ ଭଉଣୀଙ୍କୁ ବିବାହ କଲେ ଏବଂ ଏକ ଲକ୍ଷ ଟଙ୍କା ଗଜପତିଙ୍କଠାରୁ ନେଲେ । ଏହି ବିଜୟ ପରେ ଜାହାଙ୍ଗୀର କେଶୋଦାସଙ୍କୁ ସମ୍ମାନିତ କଲେ । ହାସିମ୍ ଖାଁଙ୍କ ପରେ ରାଜା ତୋଡ଼ରମଲ୍ଲଙ୍କ ପୁତ୍ର କଲ୍ୟାଣ ମଲ୍ଲ ଓଡ଼ିଶାର ସୁବାଦାର ଭାବରେ ନିଯୁକ୍ତି ପାଇଲେ । ସେ ୧୬୧୧ରୁ ୧୬୧୭ ପର୍ଯ୍ୟନ୍ତ ସୁବାଦାର ରହିଲେ । ପୂର୍ବ ସର୍ତ୍ତ ଅନୁସାରେ ଗଜପତି ପୁରୁଷୋତ୍ତମ ଦେବ ପେଶ୍କସ୍ ଟଙ୍କା ମୋଗଲ ଦରବାରକୁ ନ ପଠାଇବାରୁ କଲ୍ୟାଣମଲ୍ଲ ଖୋର୍ଦ୍ଧା ଆକ୍ରମଣ କଲେ । ଏଥିରେ ଗଜପତି ବାଧ୍ୟ ହୋଇ ଲକ୍ଷେ ଟଙ୍କା ପେଶ୍କସ୍ ଦେଲେ । ଅନ୍ୟ ପକ୍ଷରେ ମୋଗଲ ସେନାର ଖୋର୍ଦ୍ଧା ଆକ୍ରମଣରେ ଭୟଭୀତ ହୋଇ ପୁରୀର ପଣ୍ତାମାନେ ଜଗନ୍ନାଥ ପ୍ରତିମାଙ୍କୁ ନେଇ ଚିଲିକା ଚାଲିଗଲେ । ଫଳରେ ଅନେକ ବର୍ଷ ଧରି ମନ୍ଦିରରେ ପ୍ରତିମା ନଥିଲେ ।
୧୬୧୭ରେ ମକରମ ଖାଁ ଓଡ଼ିଶାର ନୂଆ ସୁବାଦାର ରୂପେ ଅବସ୍ଥାପିତ ହେଲେ । ସେ ମଧ୍ୟ ଥରେ ଖୋର୍ଦ୍ଧା ଆକ୍ରମଣ କଲେ ଏବଂ ତାହାକୁ ନିଜର ପ୍ରତ୍ୟକ୍ଷ ଶାସନଭୁକ୍ତ କଲେ । ଗଜପତି ଜଗନ୍ନାଥ ମନ୍ଦିରର ପୂଜକମାନଙ୍କୁ ନେଇ ଗଡ଼ମାଣିତ୍ରୀରେ ଲୁଚି ରହିଲେ । ୧୬୨୧ରେ ଗାଦିଚ୍ୟୁତ ହେବାପରେ ୧୬୨୨ରେ ସେଠାରେ ଭଗ୍ନ ହୃଦୟରେ ସେ ଦେହତ୍ୟାଗ କଲେ । ଗଜପତି ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ଓ ପୁରୀ ଉପରେ ନିଜ ନିୟନ୍ତ୍ରଣ ଜାହିର୍ କରିବା ପ୍ରୟାସରେ ନିଜ ନାଁରେ ତିନୋଟି ବ୍ରାହ୍ମଣ ଶାସନ ପୁରୀ ନିକଟରେ ପ୍ରତିଷ୍ଠା କରିଥିଲେ । ସେଗୁଡ଼ିକ ହେଲା, ଶ୍ରୀପୁରୁଷୋତ୍ତମପୁର, ବୀର ପୁରୁଷୋତ୍ତମପୁର ଓ ପ୍ରତାପ ପୁରୁଷୋତ୍ତମପୁର । ବ୍ରାହ୍ମଣମାନଙ୍କର ଅକୁଣ୍ଠ ସାହାଯ୍ୟ ସତ୍ତ୍ୱେ ସେ ପୁରୀ କ୍ଷେତ୍ରରେ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା କରି ପାରି ନଥିଲେ ।
ପୁରୁଷୋତ୍ତମ ଦେବଙ୍କ ପରେ ତାଙ୍କ ପୁତ୍ର ନରସିଂହ ଦେବ (୧୬୨୧-୧୬୪୮) ଖୋର୍ଦ୍ଧାର ଗଜପତି ହେଲେ । ଏହି ସମୟରେ (୧୬୨୨-୧୬୨୫) ଜାହାଙ୍ଗୀରଙ୍କ ପୁତ୍ର ଖୁରମ୍, ଯିଏ ପରେ ଶାହାଜାହାନ ନାମ ଧାରଣ କରି ମୋଗଲ ସମ୍ରାଟ ହେଲେ, ପିତାଙ୍କ ବିରୁଦ୍ଧରେ ଦାକ୍ଷିଣାତ୍ୟରେ ବିଦ୍ରୋହ ଘୋଷଣା କଲେ । ଗୋଲକୋଣ୍ତା ସୁଲତାନଙ୍କ ସହାୟତା ପାଇ ସେ ଖୋର୍ଦ୍ଧା ମଧ୍ୟ ଆସିଥିଲେ । ନରସିଂହଦେବ ବିଦ୍ରୋହୀ କୁମାରଙ୍କ ବଶ୍ୟତା ସ୍ୱୀକାର କରି ଖୋର୍ଦ୍ଧାକୁ କେବଳ ଖୁରମ୍ଙ୍କ ଆକ୍ରମଣରୁ ରକ୍ଷା କଲେ ନାହିଁ, ତା' ସହିତ ଖୋର୍ଦ୍ଧା ଉପରେ ପୂର୍ଣ୍ଣ ଅଧିକାର ମଧ୍ୟ ପ୍ରାପ୍ତ ହେଲେ । କାରଣ ଖୁରମ୍ଙ୍କ ଭୟରେ ମୋଗଲ ସୁବାଦାର ଅହମଦ ବେଗ୍ ପ୍ରାଣ ଭୟରେ ପଳାୟନ କଲେ । ଖୁରମ୍ଙ୍କ ସମ୍ମତି ନେଇ ନରସିଂହଦେବ ପୁରୀ ମନ୍ଦିରରେ ଜଗନ୍ନାଥ ପ୍ରତିମାଙ୍କୁ ମଧ୍ୟ ପୁନଃସ୍ଥାପନ କଲେ । ଗଜପତିଙ୍କପାଇଁ ଏହା ଏକ ବଡ଼ ଉପଲବ୍ଧି ଥିଲା ।
ଶାହାଜାହାନଙ୍କ ଶାସନରେ ପୁରୀ ମନ୍ଦିର ଉପରେ କୌଣସି ମୋଗଲ ଆକ୍ରମଣ ହୋଇ ନଥିଲା । ରାଜକୋଷ ପୂର୍ଣ୍ଣ କରିବା ସକାଶେ ମୋଗଲ ସୁବାଦାର ବଖାର ଖାଁ ଭୂ-ରାଜସ୍ୱ ଆଦାୟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ସେ ଓଡ଼ିଶାର ରାଜା ଓ ଜମିଦାରମାନଙ୍କ ଉପରେ ଖୁବ୍ ଅତ୍ୟାଚାର କରିଥିବାର ଶୁଣାଯାଏ । ଆଦାୟ ଭୂ-ରାଜସ୍ୱରୁ କିଛି ଅଂଶ ସେ ରାଜକୋଷରେ ଜମା ଦେଇ ବାକିତକ ନିଜେ ନେଇ ଯାଉଥିଲେ ।{{right|ଓଡ଼ିଶା ଇତିହାସ . ୧୨୧