ପୃଷ୍ଠା:Odisha Itihasa.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦକ୍ଷିଣ ଓଡ଼ିଶାର ଚିକାକୋଲ ସେତେବେଳେ ଗୋଲକୋଣ୍ତା ସୁଲତାନଙ୍କ ଅଧିକାରକୁ ଚାଲିଯାଇଥିଲା । ତା'ପାଇଁ ସୁଲତାନ ମୋଗଲମାନଙ୍କୁ ବାର୍ଷିକ ୨୦,୦୦୦ଟଙ୍କା କର ଦେଉଥିଲେ । ଏହି କାରଣରୁ ଚିକାକୋଲକୁ ଓଡ଼ିଶାରେ ମିଶାଇ ଦେବାପାଇଁ ମୋଗଲମାନଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇ ନଥିଲା । ମାତ୍ର ବଖାର ଖାଁଙ୍କ ସମୟରେ ଖୁରମ୍‍ଙ୍କ ବିଦ୍ରୋହଜନିତ ମୋଗଲ ଗୃହ ବିବାଦର ସୁଯୋଗ ନେଇ ଗୋଲକୋଣ୍ତା ସୁଲତାନ ଧାର୍ଯ୍ୟ କର ଜମା କଲେ ନାହିଁ । ତା'ଛଡ଼ା ସେନାପତି ମନ୍‍ସୁରଙ୍କୁ ଓଡ଼ିଶା ଆକ୍ରମଣ କରିବାପାଇଁ ପ୍ରେରଣ କଲେ । ବରହମପୁର ନିକଟରେ ମନ୍‍ସୁର୍‍ଗଡ଼ ନାମରେ ମନ୍‍ସୁର ଏକ ଦୁର୍ଗ ନିର୍ମାଣ କଲେ, ଯାହା ମୋଗଲ ଶାସିତ ଖୋର୍ଦ୍ଧା ଓ ମଞ୍ଜୁଷା ରାଜ୍ୟ ପ୍ରତି ବିପଦ ସୃଷ୍ଟି କଲା । ଏହି କାରଣରୁ ୧୬୨୯ରେ ବଖାର ଖାଁ ମନ୍‍ସୁରଗଡ଼ ଲୁଣ୍ଠନ କରି ତାକୁ ଅଧିକାର କରିନେଲେ ଏବଂ ଗୋଲକୋଣ୍ତା ସୁଲତାନଙ୍କୁ ଚିକାକୋଲର ବାର୍ଷିକ କର ଦେବାକୁ ବାଧ୍ୟ କଲେ ।

୧୬୨୭ରୁ ୧୬୩୨ ପର୍ଯ୍ୟନ୍ତ ସୁବାଦାର ରହି ବଖାର ଖାଁ ଓଡ଼ିଶାରୁ ସ୍ଥାନାନ୍ତରିତ ହେଲେ । ବଖାରଙ୍କ ପ୍ରଜାପୀଡ଼ନ ଓ ଦୁର୍ନୀତିର ଅଭିଯୋଗ ପାଇ ଶାହାଜାହାନ ଓଡ଼ିଶାର ସୁବାଦାର ରୂପେ ମୁତାକ୍ୱଦ ଖାଁଙ୍କୁ ନିଯୁକ୍ତ କଲେ । ମୁତାକ୍ୱଦଙ୍କ ଶାସନ(୧୬୩୨-୧୬୪୧)ରେ ଓଡ଼ିଶା ଶାନ୍ତିରେ ଥିଲା । ୧୬୪୨ରୁ ୧୬୬୦ ମଧ୍ୟରେ ଶାହଜାହାନଙ୍କ ପୁତ୍ର ସୁଜା ବଙ୍ଗର ଗଭର୍ଣ୍ଣର ହେଲେ । ତାଙ୍କ ସମୟରେ ବିହାର ପରି ଓଡ଼ିଶା ମଧ୍ୟ ବଙ୍ଗ ସୁବାର ଅଂଶ ହୋଇ ରହିଲା ।

୧୬୫୮ରେ ଶାହଜାହାନଙ୍କୁ ବନ୍ଦୀ କରି ତଥା ଅନ୍ୟ ଭାଇମାନଙ୍କୁ ପରାସ୍ତ କରି ଆଉରଙ୍ଗଜେବ ମୋଗଲ ସମ୍ରାଟ ହେଲେ । ୧୬୬୦ରେ ସେ ଖାନ୍‍ ଇ ଦୌରାନ୍‍ଙ୍କୁ ଓଡ଼ିଶାର ସୁବାଦାର ନିଯୁକ୍ତ କଲେ । ଦୀର୍ଘ ସାତ ବର୍ଷର (୧୬୬୦-୬୭) ସୁବାଦାରୀ ମଧ୍ୟରେ ଖାନ୍‍ ଇ ଦୌରାନ୍‍ ଓଡ଼ିଶାରେ ମୋଗଲ ଶାସନକୁ ସୁଦୃଢ଼ କରିବାନିମିତ୍ତ ତଥା ରାଜସ୍ୱ ବୃଦ୍ଧି କରିବା ସକାଶେ ଅନେକ ପ୍ରୟାସ କଲେ । ତାଙ୍କ ଉଦ୍ୟମରେ ଓଡ଼ିଶାର ବାର୍ଷିକ ରାଜସ୍ୱ ୩୬ ଲକ୍ଷ ଟଙ୍କାରୁ ୭୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଲା ।

୧୬୬୦ରେ ଖାନ୍‍ ଇ ଦୌରାନ୍‍ ସୁବାଦାର ପଦ ସମ୍ଭାଳିବାପାଇଁ ଆସିବା ବେଳକୁ ଓଡ଼ିଶାରେ ମୋଗଲ ଦରବାରର ପ୍ରତିଷ୍ଠା ଯଥେଷ୍ଟ ହ୍ରାସ ପାଇଥିଲା । ମୋଗଲ ଗୃହ ବିବାଦର ସୁଯୋଗ ନେଇ ଓଡ଼ିଶାରେ ଅନେକ ଜମିଦାର ଓ ରାଜା ଏକ ପ୍ରକାର ସ୍ୱାଧୀନତା ଘୋଷଣା କରିଥିଲେ । ବଙ୍ଗର ମୋଗଲ ଗଭର୍ଣ୍ଣର ପଦବୀରେ ଥିବା ସୁଜା ନିଜେ ବିଦ୍ରୋହ କରି ବିଦ୍ରୋହୀମାନଙ୍କୁ ସାହସ ଦେଇଥିଲେ । ଏହାର ସୁଯୋଗ ନେଇ ନରସିଂହଦେବଙ୍କ ପରେ ଖୋର୍ଦ୍ଧାର ଗଜପତି ରାଜା ହୋଇଥିବା ମୁକୁନ୍ଦଦେବ ବାର୍ଷିକ ଦେୟ ଦେବାକୁ ମନା କରିଦେଲେ । ରଣପୁର, ସାରଙ୍ଗଗଡ଼, ଡମପଡ଼ା ଓ ଖଲିକୋଟ ଆଦି ରାଜ୍ୟର ରାଜା ଓ ଜମିଦାରମାନେ ବାର୍ଷିକ କର ନଦେଇ ସେମାନେ ଗଜପତିଙ୍କ ନେତୃତ୍ୱରେ ପରିଚାଳିତ ବୋଲି ଧାରଣା ସୃଷ୍ଟି କରିଥିଲେ । ମୋଗଲ ସୁବାଦାର ଏହି ରାଜା ଓ ଜମିଦାରମାନଙ୍କୁ ନିୟନ୍ତ୍ରଣ କଲେ । ଏହି ପ୍ରକ୍ରିୟାରେ ହରିହରପୁର (ମୟୂରଭଞ୍ଜ) ରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କୁ ହତ୍ୟା ମଧ୍ୟ କଲେ । ୧୬୬୧ ଫେବ୍ରୁଆରିରେ ସେ ଖୋର୍ଦ୍ଧା ଆକ୍ରମଣ କଲେ ।୧୨୨ . ଓଡ଼ିଶା ଇତିହାସ