ମୋଟ ଉପରେ କହିଲେ, ମଧ୍ୟଯୁଗର ରୀତି ଅନୁଯାୟୀ କେତେକ ମୁସଲିମ୍ ଶାସକ ମନ୍ଦିର ଆକ୍ରମଣ କରିଥିଲେ । ଏହାଦ୍ୱାରା ସେମାନଙ୍କର ଧନଲାଭ ହେଉଥିଲା, ଧର୍ମଲାଭ ମଧ୍ୟ ହେଉଥିଲା ! ଧନ ଲାଭ ଆଶାରେ କେତେକ କ୍ଷେତ୍ରରେ ମୋଗଲ ସମ୍ରାଟଙ୍କ ହିନ୍ଦୁ ପ୍ରଶାସକ ମଧ୍ୟ ମନ୍ଦିର ଲୁଣ୍ଠନ କରିବାକୁ ହେଳା କରି ନଥିଲେ । ଅନ୍ୟ ପକ୍ଷରେ ଖୋର୍ଦ୍ଧାର ଗଜପତି ରାଜା ମନ୍ଦିର ଉପରେ ନିଜ ନିୟନ୍ତ୍ରଣ ଜାରି ରଖିବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । ମନ୍ଦିରର ନିୟନ୍ତ୍ରଣ ଉପରେ ତାଙ୍କର ସାମାଜିକ ପ୍ରତିଷ୍ଠା ନିର୍ଭର କରୁଥିଲା । ହିନ୍ଦୁରୀତି ଅନୁଯାୟୀ ମନ୍ଦିର ଧ୍ୱଂସ ହେବା କିମ୍ବା ପ୍ରତିଷ୍ଠା ପାଇଥିବା ପ୍ରତିମାଙ୍କର ଅପମାନ ହେବା ଅଥବା ପୂଜାବିଧି ସଂପାଦିତ ନହେବା ଏକ ଜଘନ୍ୟ କାର୍ଯ୍ୟ। ତେଣୁ ଗଜପତିଙ୍କୁ ସ୍ଥାନୀୟ ସମାଜର ସମର୍ଥନ ମିଳିବା ସ୍ୱାଭାବିକ ଥିଲା । ଗଜପତି ହିନ୍ଦୁ ରୀତିରେ ବିଖ୍ୟାତ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ନିଜ ପ୍ରତି ସମର୍ଥନକୁ ବହୁଗୁଣିତ କରୁଥିଲେ । ନରସିଂହଦେବଙ୍କଦ୍ୱାରା ପୁରୀ ନିକଟରେ ବୀର ନରସିଂହପୁର ବ୍ରାହ୍ମଣ ଶାସନ ଓ ମୁକୁନ୍ଦଦେବଙ୍କ ସମୟରେ ଦାଣ୍ତମୁକୁନ୍ଦପୁର ଶାସନ ପ୍ରତିଷ୍ଠା ଉକ୍ତ ପୃଷ୍ଠପୋଷକତାର ଗୋଟିଏ ଲେଖାଏଁ ଉଦାହରଣ ମାତ୍ର ।
୧୭୦୭ରେ ଆଉରଙ୍ଗଜେବଙ୍କର ମୃତ୍ୟୁ ହେଲା । ତା' ପୂର୍ବରୁ ୧୭୦୪ରେ ମୁର୍ସିଦ୍ କୁଲି ଖାଁ ଓଡ଼ିଶାର ସୁବାଦାର ହୋଇ ଆସିଥିଲେ । ତାଙ୍କ ସମୟରେ ଶାନ୍ତି ପ୍ରତିଷ୍ଠା ହେଲା । ଜଗନ୍ନାଥ ମନ୍ଦିରରେ ପୁଣି ଥରେ ପ୍ରତିମା ପୂଜାପାଇଁ ପୂଜାବିଧି ସୁଚାରୁ ରୂପେ ସଂପାଦିତ ହେଲା । ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୁର୍ସିଦ୍ କୁଲି ୧୭୧୩ରେ ନିଜକୁ ବଙ୍ଗ, ବିହାର ଓ ଓଡ଼ିଶାର ନଜିମ ଘୋଷଣା କଲେ । ଅର୍ଥାତ୍, ସେ ନାମକୁ ମାତ୍ର ମୋଗଲଙ୍କ ଅଧୀନରେ ରହି ସ୍ୱାଧୀନ ଭାବରେ ଶାସନ ପରିଚାଳନା କରିବାକୁ ଲାଗିଲେ । ଦିଲ୍ଲୀର ମୋଗଲ ବଦଳରେ ଏଣିକି ବଙ୍ଗର ନଜିମଙ୍କ ନିକଟରେ ଓଡ଼ିଶାର ପ୍ରଶାସକ ଉତ୍ତରଦାୟୀ ରହିଲେ । ବଙ୍ଗର ନଜିମଙ୍କଦ୍ୱାରା ନିଯୁକ୍ତ ଓଡ଼ିଶାର ପ୍ରଶାସକଙ୍କୁ ନାଏବ ନଜିମ କୁହାଗଲା । ମୁର୍ସିଦ୍ କୁଲିଙ୍କ ଜାମାତା ସୁଜାଉଦ୍ଦିନ୍ ଓଡ଼ିଶାର ପ୍ରଥମ ନାଏବ ନଜିମ ନିଯୁକ୍ତ ହେଲେ ।
ମୁର୍ସିଦ୍ କୁଲି ଓ ସୁଜାଉଦ୍ଦିନ୍ଙ୍କ ସମୟରେ (୧୭୦୪-୧୭୨୭) ଓଡ଼ିଶା ଉପରେ କୌଣସି ଆକ୍ରମଣ ହୋଇ ନଥିଲା । ବରଂ ହିନ୍ଦୁ-ମୁସଲିମ୍ ଏକତାପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । ସୁଜାଉଦ୍ଦିନ୍ କଦମ୍ ରସୁଲ୍ ମସଜିଦ୍ ନିର୍ମାଣ କରିଥିଲେ । ସେଠାରେ ଉଭୟ ହିନ୍ଦୁ ଓ ମୁସଲମାନ ପ୍ରାର୍ଥନାପାଇଁ ଏକତ୍ର ହେଉଥିଲେ । ଆଜି ମଧ୍ୟ ତାହା ହିନ୍ଦୁ-ମୁସଲିମ୍ ଏକତାର ପ୍ରତୀକ ହୋଇ ରହିଛି । କାଇପଦରର ବୁଖାରୀ ସାହେବ ପୀଠ ମଧ୍ୟ ତାଙ୍କ ସମୟର ସୃଷ୍ଟି । ଏହି ସମୟରେ ଓଡ଼ିଶା ଓ ବଙ୍ଗରେ ସତ୍ୟନାରାୟଣ ପୂଜାର ପ୍ରଚଳନ ହେଲା, ଯାହା ଉଭୟ ସଂପ୍ରଦାୟର ଏକତାର ନିଦର୍ଶନ । ଭଦ୍ରକର ମୋଗଲ ତାମସାର ପ୍ରସାର ମଧ୍ୟ ଏହି ସମୟରେ ହେଲା । ଉଭୟ ଧର୍ମ ସଂପ୍ରଦାୟ ଏଥିରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରୁଥିଲେ ।
୧୭୨୭ରେ ମୁର୍ସିଦ୍ କୁଲିଙ୍କର ଦେହାନ୍ତ ହେବା ପରେ ସୁଜାଉଦ୍ଦିନ୍ ବଙ୍ଗ ସାମ୍ରାଜ୍ୟର ନଜିମ୍ ହେଲେ ଏବଂ ତାଙ୍କ ସ୍ଥାନରେ ଓଡ଼ିଶାର ନାଏବ ନଜିମ ପଦରେ ତକି ଖାଁ ନିଯୁକ୍ତ୧୨୪ . ଓଡ଼ିଶା ଇତିହାସ