ହେଲେ । ତକି ଖାଁ ସୁଜାଉଦ୍ଦିନ୍ଙ୍କ ପୁତ୍ର ଥିଲେ । ନଜିମ୍ ଭାବରେ ସୁଜାଉଦ୍ଦିନ୍ ଧାର୍ମିକ ଉଦାରତାପାଇଁ ପ୍ରସିଦ୍ଧ ଥିଲେ । ମାତ୍ର ତକି ଖାଁଙ୍କ ସମୟରେ ପୁଣି ଥରେ ଓଡ଼ିଶା ଏବଂ ବିଶେଷକରି ଖୋର୍ଦ୍ଧା ଓ ପୁରୀରେ ଘୋର ଅରାଜକତା ଦେଖାଗଲା । ଏହା ପଛରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପରେ ନାଏବ ନଜିମଙ୍କର ହାତ ରହିଥିଲା । ଯେଉଁ ବର୍ଷ (୧୭୨୭) ତକି ଖାଁ ଓଡ଼ିଶାର ନାଏବ ନଜିମ୍ ପଦରେ ନିଯୁକ୍ତ ହେଲେ ଠିକ୍ ସେହି ବର୍ଷ ରାମଚନ୍ଦ୍ର ଦେବ ଖୋର୍ଦ୍ଧାରେ ଗଜପତି ପଦରେ ଅଭିଷିକ୍ତ ହେଲେ । ତକି ଖାଁଙ୍କ ଶାସନକାଳ (୧୭୨୭-୩୫) ଓ ରାମଚନ୍ଦ୍ରଦେବଙ୍କ ଶାସନକାଳ (୧୭୨୭-୧୭୩୬) କେବଳ ଏକା ସମୟରେ ଆରମ୍ଭ ହୋଇ ନଥିଲା, ମୋଟାମୋଟି ଏକା ସମୟରେ ଶେଷ ମଧ୍ୟ ହୋଇଥିଲା । ଦ୍ୱିତୀୟତଃ, ସମଗ୍ର ଶାସନକାଳ ମଧ୍ୟରେ ଉଭୟଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣକୁ ନେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଳହ ଲାଗି ରହିଥିଲା ।
ତକି ଖାଁଙ୍କ ସମୟରେ ହାଇଦ୍ରାବାଦର ନିଜାମ ଦକ୍ଷିଣ ଓଡ଼ିଶା ଆକ୍ରମଣ କଲେ ଏବଂ ଗଞ୍ଜାମ ଜିଲ୍ଲା ଓ ଚିଲିକା ହ୍ରଦର ଦକ୍ଷିଣ କ୍ଷେତ୍ର ଅଧିକାର କରିନେଲେ । ପୂର୍ବରୁ ଏହି କ୍ଷେତ୍ର ଖୋର୍ଦ୍ଧା ରାଜାଙ୍କ କର୍ତ୍ତୃତ୍ୱରେ ରହିଥିଲା । ମୋଗଲ ସାମ୍ରାଜ୍ୟର ପତନ ପରେ ବଙ୍ଗ ପରି ହାଇଦ୍ରାବାଦକୁ ଏକ ସ୍ୱାଧୀନ ରାଜ୍ୟ ରୂପେ ନିଜାମ୍ ଉଲମୁଳ୍କ ଆସଫ୍ ଝା ଗଢ଼ିଥିଲେ ଏବଂ ରାଜ୍ୟ ବିସ୍ତାରପାଇଁ ଓଡ଼ିଶା ପ୍ରତି ଲକ୍ଷ୍ୟ ରଖିଥିଲେ । ଖୋର୍ଦ୍ଧା ରାଜା ନିଜାମ୍ଙ୍କ ବିରୁଦ୍ଧରେ ନିଜର ସୀମିତ ପାଇକ ସୈନ୍ୟବଳ ଚାଳନା କରି ପରାଜିତ ହେଲେ । ତାଙ୍କୁ ତକି ଖାଁଙ୍କ ପକ୍ଷରୁ କୌଣସି ସେନା ସହାୟତା ମିଳିଲା ନାହିଁ, ଯଦିଓ ଖୋର୍ଦ୍ଧା ଥିଲା ବଙ୍ଗର ସାମନ୍ତ ରାଜ୍ୟ । ପରାଜୟଯୋଗୁଁ ପ୍ରତିଷ୍ଠା ହରାଇଥିବା ରାମଚନ୍ଦ୍ର ଦେବ ମୋଗଲବନ୍ଦି ଓଡ଼ିଶାର କିଛି ଅଂଶ ଅଧିକାର କରିନେଇ କ୍ଷତି ପୂରଣ କରିବାକୁ ଚେଷ୍ଟା କଲେ । ମାତ୍ର ଏଥିରେ ମଧ୍ୟ ସେ ସଫଳ ହେଲେ ନାହିଁ । ଅର୍ଥାତ୍ ତକି ଖାଁଙ୍କ ସହିତ ତାଙ୍କର ଶତ୍ରୁତା ବୃଦ୍ଧି ପାଇଲା । ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ତକି ଖାଁ କଟକ ଦୁର୍ଗରେ ରଖିଲେ । କଟକରେ ବନ୍ଦୀ ଜୀବନ କାଳରେ ରାମଚନ୍ଦ୍ରଦେବ ଇସଲାମ ଧର୍ମରେ ଦୀକ୍ଷିତ ହେଲେ ।
ରାମଚନ୍ଦ୍ରଦେବଙ୍କ ଇସ୍ଲାମ୍ ଧର୍ମ ଗ୍ରହଣ ସମ୍ବନ୍ଧରେ ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ମୁସଲିମ୍ ରାଜକନ୍ୟାଙ୍କ ପ୍ରେମରେ ପଡ଼ି ଖୋର୍ଦ୍ଧା ରାଜା ଧର୍ମ ପରିବର୍ତ୍ତନ କରିଥିଲେ । ମାତ୍ର ଧର୍ମ ପରିବର୍ତ୍ତନ ପରେ ମଧ୍ୟ ସେ ନାମ ପରିବର୍ତ୍ତନ କରି ନଥିଲେ ଏବଂ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ପରେ ମନ୍ଦିରରେ ତାଙ୍କ ପ୍ରବେଶକୁ ପଣ୍ତାମାନେ ମଧ୍ୟ ସ୍ୱାଗତ କରିଥିଲେ । ଏହି ଆଧାରରେ କୁହାଯାଏ ଯେ, ସେ ବାଧ୍ୟହୋଇ ଇସ୍ଲାମ ଧର୍ମରେ ଦୀକ୍ଷିତ ହୋଇଥିଲେ ଏବଂ ତାଙ୍କ ଧର୍ମ ପରିବର୍ତ୍ତନ ଦ୍ୱାରା ନାଏବ ନଜିମ୍ଙ୍କୁ ତୁଷ୍ଟ କରିପାରିଲେ ଜଗନ୍ନାଥ ମନ୍ଦିର ପୁନର୍ବାର ମୁସଲମାନ ଅଧିକାରଭୁକ୍ତ ହେବାରୁ ରକ୍ଷା ପାଇବ ବୋଲି ସେ ହୁଏତ ଆଶା ରଖିଥିଲେ । ମନ୍ଦିର ଉପରେ ତାଙ୍କ ଅଧିକାରକୁ ଏହା ପ୍ରକାରାନ୍ତରେ ସାବ୍ୟସ୍ତ କରିବ ବୋଲି ସେ ମନେ କରିଥିଲେ ।{{right|ଓଡ଼ିଶା ଇତିହାସ . ୧୨୫