ପୃଷ୍ଠା:Odisha Itihasa.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗଷ୍ଟ ୧୭୩୭ରେ ତାଙ୍କର ସେଠାରେ ମୃତ୍ୟୁ ହେଲା । ମନ୍ଦିରର ଓ ବିଗ୍ରହଙ୍କର ସୁରକ୍ଷାପାଇଁ ସେ ଏପରିକି ଧର୍ମତ୍ୟାଗ କରିଥିଲେ ବୋଲି ଓଡ଼ିଶା ଇତିହାସରେ ତଥା ସାହିତ୍ୟରେ ତାଙ୍କୁ ନେଇ ଖୁବ୍‍ ଚର୍ଚ୍ଚା ଦେଖିବାକୁ ମିଳେ । ପଦ୍ମନାଭ ଦେବ (୧୭୩୬-୧୭୩୯) ଭୁବନେଶ୍ୱର ନିକଟସ୍ଥ ପଟିଆର ରାଜା ଥିଲେ । ଖୋର୍ଦ୍ଧା ରାଜବଂଶଜ ନହେବା ସତ୍ତ୍ୱେ ମୀର୍‍ ହବିବ୍‍ଙ୍କ ସହାୟତାରେ ସେ ଖୋର୍ଦ୍ଧାର ରାଜା ଏବଂ ଓଡ଼ିଶାର ଗଜପତି ପଦବୀ ଧାରଣ କରିଥିଲେ । ଏଥିପାଇଁ ତାଙ୍କୁ ଖୋର୍ଦ୍ଧା ରାଜକୁମାର ବୀରକିଶୋର ଦେବଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପଣ୍ତା ଓ ବ୍ରାହ୍ମଣମାନଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ନଥିଲା । ତାଙ୍କର ଗଜପତି ପଦବୀ ଧାରଣକୁ ଲୋକେ ସହଜରେ ଗ୍ରହଣ କରି ପାରିଲେ ନାହିଁ । ଅନ୍ୟ ପକ୍ଷରେ ବୀରକିଶୋର ନାଏବ ନଜିମ୍‍ ଦ୍ୱିତୀୟ ମୁର୍ସିଦ୍‍ କୁଲି ଖାଁଙ୍କୁ ସମସ୍ତ ବକେୟା ତୀର୍ଥଯାତ୍ରୀ କର ପୈଠ କରିବାକୁ ପ୍ରତିଶ୍ରୁତି ଦେଲେ । ଏହି ଆଧାରରେ ତାଙ୍କୁ ୧୭୩୯ରେ ଖୋର୍ଦ୍ଧା ରାଜା ଘୋଷଣା କରାଗଲା । ଦୀର୍ଘ ୪୨ବର୍ଷ ଧରି (୧୭୩୯- ୧୭୮୧) ସେ ଗଜପତି ରହିଲେ । ତାଙ୍କ ସମୟରେ ହିଁ ୧୭୫୧ରେ ବଙ୍ଗର ନଜିମ୍‍ଙ୍କ ଅଧୀନରୁ ଯାଇ ଓଡ଼ିଶା ମରାଠାମାନଙ୍କ ଅଧିକାରଭୁକ୍ତ ହେଲା ।

୧୫୬୮ରୁ ୧୭୫୧ ପର୍ଯ୍ୟନ୍ତ କାଳାଂଶକୁ ଓଡ଼ିଶା ଇତିହାସରେ ମୋଗଲ ଶାସନର ସମୟ ବୋଲି କୁହାଯାଏ । ମାତ୍ର ପ୍ରକୃତରେ ମୋଗଲମାନଙ୍କ ବ୍ୟତୀତ ଏହି ସମୟରେ ଆଫଗାନ୍‍ ଓ ବଙ୍ଗର ନଜିମ୍‍ମାନେ ମଧ୍ୟ ଓଡ଼ିଶାକୁ ଶାସନ କରିଥିଲେ । ଦ୍ୱିତୀୟତଃ, ମୋଗଲ ସମୟରେ ପ୍ରବର୍ତ୍ତିିତ ପ୍ରାଶାସନିକ ଓ ରାଜସ୍ୱ ବ୍ୟବସ୍ଥା ନଜିମ୍‍ଙ୍କ ସମୟରେ ମଧ୍ୟ ଅପରିବର୍ତ୍ତିିତ ରହିଥିଲା । ତେଣୁ ମୋଗଲ ସାମ୍ରାଜ୍ୟର ପତନ ପରେ ସୁଦ୍ଧା ନଜିମ୍‍ଙ୍କ ମାଧ୍ୟମରେ ବଙ୍ଗରେ ଓ ଓଡ଼ିଶାରେ ମୋଗଲ ଶାସନ ଅବ୍ୟାହତ ରହିଥିଲା । ମୋଗଲ ଶାସନ ବେଳେ ଖୋର୍ଦ୍ଧା ଏକ ପ୍ରମୁଖ ରାଜନୈତିକ କେନ୍ଦ୍ର ହେଲା । କାରଣ ତା'ର ରାଜା ଗଜପତି ବା ଓଡ଼ିଶାର ରାଜା ଭାବରେ ସମ୍ମାନ ପାଇଥିଲେ । ଗଜପତି ରୂପେ ପୁରୀ ଓ ଜଗନ୍ନାଥ ମନ୍ଦିର ଉପରେ ତାଙ୍କର ନିୟନ୍ତ୍ରଣ ଥିଲା । ଆଫଗାନ, ମୋଗଲ ଓ ନଜିମ୍‍ ବାରମ୍ବାର ଜଗନ୍ନାଥ ମନ୍ଦିର ଆକ୍ରମଣ କରି ଅଧିକରୁ ଅଧିକ ରାଜସ୍ୱ ଆଦାୟ କରିବାକୁ ପ୍ରୟାସ କରୁଥିଲେ । ସେମାନେ ଅଧିକ ଆର୍ଥିକ ଆୟ ଲୋଭରେ ମନ୍ଦିର ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରଖିବାକୁ ମଧ୍ୟ ବାରମ୍ବାର ପ୍ରୟାସ କରୁଥିଲେ । ମାତ୍ର ଏହା ଫଳରେ ମନ୍ଦିରରେ ଅରାଜକତା ସୃଷ୍ଟି ହୋଇ ତୀର୍ଥଯାତ୍ରୀ ସଂଖ୍ୟା ହ୍ରାସ ପାଉଥିଲା । କର ଅସୁଲି ମଧ୍ୟ ଊଣା ହେବାରେ ଲାଗିଥିଲା । ବିଗ୍ରହଙ୍କ ବିନା ଜଗନ୍ନାଥ ମନ୍ଦିର ଆକର୍ଷଣ ଓ ରାଜସ୍ୱ ହରାଉଥିବାରୁ ଅଧିକାଂଶ ମୁସଲିମ ଶାସକ ବିଗ୍ରହ ଧ୍ୱଂସକୁ ପ୍ରମୁଖତା ଦେଉ ନଥିଲେ । ଅନ୍ୟ ଶବ୍ଦରେ କହିଲେ, ମନ୍ଦିରରୁ ନିୟମିତ କର ପାଇବାପାଇଁ ଗଜପତିଙ୍କ ହାତରେ ନିୟନ୍ତ୍ରଣ ରହିବା ଆବଶ୍ୟକ ଥିଲା । ଏହା ସାମରିକ ଦୃଷ୍ଟିରୁ ହୀନବଳ ଗଜପତିଙ୍କୁ କ୍ଷମତାର ଏକ ପ୍ରମୁଖ କେନ୍ଦ୍ର ହେବାରେ ସାହାଯ୍ୟ କରୁଥିଲା । ଗଜପତି ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାକୁ ପ୍ରୟାସ କରି କଟକଠାରେ ଅବସ୍ଥାପିତ ମୋଗଲ ଶକ୍ତିର{{right|ଓଡ଼ିଶା ଇତିହାସ . ୧୨୭