ପୃଷ୍ଠା:Odisha Itihasa.pdf/୧୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶତ୍ରୁ ସାଜୁଥିଲେ । କଟକ ମୋଗଲ ଶାସନର ରାଜଧାନୀ ଥିଲା ଏବଂ ଖୋର୍ଦ୍ଧା ଥିଲା ଗଜପତି ରାଜାଙ୍କର ରାଜଧାନୀ । ଦୁହେଁ ଦୁହିଁଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଫଳରେ ଅନେକ ଥର ଖୋର୍ଦ୍ଧା ଓ କଟକ ମଧ୍ୟରେ ଏହି ସମୟରେ କଳହ ହୋଇଥିଲା । ଓଡ଼ିଶାର ଅନ୍ୟ ରାଜ୍ୟମାନେ ଯଥା ମୟୂରଭଞ୍ଜ, କେନ୍ଦୁଝର, କନିକା ଓ ଖଲିକୋଟ ରାଜା ମଧ୍ୟ ମୋଗଲଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି । ଅନେକ ସମୟରେ ସେମାନେ ବିଦ୍ରୋହୀ ଖୋର୍ଦ୍ଧା ରାଜାଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି । ମୋଗଲ ଶାସନ ସମୟରେ ଓଡ଼ିଶାର ଅନେକ ରାଜା, ବିଶେଷକରି ଗଡ଼ଜାତ ରାଜାମାନେ ଅର୍ଦ୍ଧ-ସ୍ୱାଧୀନ ଭାବରେ ପ୍ରଶାସନ ପରିଚାଳନା କରୁଥିଲେ । ବାର୍ଷିକ ଦେୟ ମୋଗଲ ରାଜକୋଷରେ ଜମା କରିବା ପରେ ସେମାନଙ୍କ ମୋଗଲ ଶାସନ ସହ ଅନ୍ୟ କୌଣସି ବିଶେଷ ସମ୍ବନ୍ଧ ରହୁ ନଥିଲା । ଏହି କାରଣରୁ କଟକରେ ମୋଗଲ ଶାସନ ରହିବା ସତ୍ତ୍ୱେ, ଅଭ୍ୟନ୍ତରରେ ସ୍ଥାନୀୟ ରାଜାମାନଙ୍କର ପୂର୍ବବତ୍‍ ପ୍ରଭୁତ୍ୱ ରହିଥିଲା । ଏହି ଦୃଷ୍ଟିରୁ ଓଡ଼ିଶାର ମୋଗଲ ଶାସନକୁ ମୁସଲମାନ ଯୁଗ ଓ ପରାଧୀନତାର ଯୁଗ ଭାବେ ଆଖ୍ୟାୟିତ କରିବାର କୌଣସି ଯଥାର୍ଥତା ନାହିଁ । ଅନେକଥର ମୋଗଲମାନଙ୍କ ହିନ୍ଦୁ ଅଧିକାରୀମାନେ ମଧ୍ୟ ଜଗନ୍ନାଥ ମନ୍ଦିର ଆକମ୍ରଣ କରିଛନ୍ତି ଅଥବା ଆକ୍ରମଣ କରିବାପାଇଁ ଧମକ ଦେଇଛନ୍ତି । ବିଧର୍ମୀଙ୍କ ପରି ଲୁଟତରାଜ ମଧ୍ୟ କରିଛନ୍ତି ।

ମୋଗଲ ଶାସନ ସମୟରେ ଓଡ଼ିଶା ଯଥେଷ୍ଟ ମାତ୍ରାରେ ବାଣିଜ୍ୟ କାରବାରରେ ଲିପ୍ତ ରହିଥିଲା । ଓଡ଼ିଶାର ବଣିକମାନେ ପୂର୍ବରୁ ଚଳି ଆସୁଥିବା ବାଣିଜ୍ୟ କାରବାରର ବିକାଶ କରିଥିଲେ । ଏଥିପାଇଁ ଓଡ଼ିଶାର ବିସ୍ତୃତ ଉପକୂଳ ସହାୟକ ହେଉଥିଲା । ଏହି କାରଣରୁ ୟୁରୋପୀୟମାନେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଭାରତରେ ପ୍ରବେଶ କରିବା ପରେ ଓଡ଼ିଶାରେ ନିଜ ନିଜର ବାଣିଜ୍ୟ କେନ୍ଦ୍ର ଖୋଲିଥିଲେ । କେବଳ ବାଲେଶ୍ୱର ସହରରେ ଫରାସୀ, ଇଂରେଜ, ପର୍ତ୍ତୁଗୀଜ, ଦିନାମାର୍‍ ଆଦି ସମସ୍ତ ୟୁରୋପୀୟଙ୍କ ବାଣିଜ୍ୟ କେନ୍ଦ୍ର ରହିଥିଲା । ବାଲେଶ୍ୱର ବ୍ୟତୀତ ପିପିଲି, ଚାନ୍ଦବାଲି, ପୁରୀ ଆଦି ସେ ବେଳର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା ।

ଦୀର୍ଘ ଦୁଇ ଶତାବ୍ଦୀର ମୋଗଲ ଶାସନ ସମୟରେ ଧର୍ମାନ୍ତରୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥିଲା । ଅନ୍ୟଥା ଦୁଇ ଶତାବ୍ଦୀ ଧରି ମୋଗଲ ରାଜତ୍ୱ ସତ୍ତ୍ୱେ ଓଡ଼ିଶାରେ ଏତେ କମ୍‍ ସଂଖ୍ୟକ ମୁସଲମାନ ନଥାନ୍ତେ । ଯେଉଁ ଅଳ୍ପ କିଛି ଧର୍ମାନ୍ତରୀକରଣ ହୋଇଛି, ତା' ପଛରେ କାରଣ ସର୍ବଦା ବଳପ୍ରୟୋଗ ବୋଲି କୁହାଯାଇ ନପାରେ । ଜାତିଭେଦଯୋଗୁଁ ହିନ୍ଦୁ ସମାଜରେ ରହିଥିବା ବୈଷମ୍ୟ ଅନେକଙ୍କୁ ଧର୍ମାନ୍ତରଣପାଇଁ ପ୍ରୋତ୍ସାହିତ କରିଥିଲା । ଭଦ୍ରକ, କଟକ ଆଦି ଯେଉଁଠି କିଛି ମୁସଲମାନ ଥିଲେ ସେଇଠି ପଡେ଼ାଶୀ ହିନ୍ଦୁମାନଙ୍କ ସହ ସେମାନଙ୍କ ସାମ୍ପ୍ରଦାୟିକ ସଦ୍‍ଭାବ କଦାପି ଊଣା ନଥିଲା । କଦମ ରସୁଲ୍‍, କାଇପଦର ଆଦି ପୀଠର ପ୍ରତିଷ୍ଠାରୁ ମନେହୁଏ ଯେ, ଲୌକିକ ସ୍ତରରେ ଉଭୟ ସଂପ୍ରଦାୟ ମଧ୍ୟରେ ଯଥେଷ୍ଟ ସଂହତି ଓ ସଦ୍‍ଭାବ ରହିଥିଲା । ଅନେକ୧୨୮ . ଓଡ଼ିଶା ଇତିହାସ