ପୃଷ୍ଠା:Odisha Itihasa.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରସ୍ତରନିର୍ମିତ ଉପକରଣ ନିର୍ମାଣ କଲା। ପଥର ବ୍ୟତୀତ ହାଡ଼, ପଶୁ ଶିଙ୍ଘ, ମୃତ ପ୍ରାଣୀର ଚମଡାକୁ ବ୍ୟବହାର କରି ସେ ନିଜ ଆବଶ୍ୟକତା ଅନୁଯାୟୀ କୁରାଢ଼ି, ଛୁରୀ, ନିହଣ, ତୀର, ବର୍ଚ୍ଛା, ଫଳା, ଶାବଳ ଆଦି ମଧ୍ୟ ତିଆରି କଲା।

ହାତହତିଆର ଓ କାରିଗରି କୌଶଳ ଆଧାରରେ ମଧ୍ୟ ପ୍ରତ୍ନତତ୍ତ୍ୱବିତ୍‌ମାନେ ପ୍ରସ୍ତର ଯୁଗକୁ ତିନି ଭାଗରେ ବିଭକ୍ତ କରନ୍ତି। ତାହା ହେଲା: ପ୍ରାଚୀନ ପ୍ରସ୍ତର ଯୁଗ(ପ୍ରା.ସା ୯୦୦୦ ପୂର୍ବାବସ୍ଥା), ମଧ୍ୟ ପ୍ରସ୍ତର ଯୁଗ (ପ୍ରା.ସା. ୯୦୦୦ ଓ ପ୍ରା.ସା. ୪୦୦୦ ମଧ୍ୟବର୍ତ୍ତୀକାଳ) ଓ ନୂତନ ପ୍ରସ୍ତର ଯୁଗ। ହିଂସ୍ର ପଶୁକୁ ଶିକାର କରିବା ଯୋଗ୍ୟ ଉପକରଣ ଓ ଜଙ୍ଗଲ ହାଣି, ମାଟିକୁ କର୍ଷଣ କରି କୃଷି କର୍ମ କରିପାରିବା ପରି ଉପକରଣ ଆଦି ନୂତନ ବା ଶେଷ ପ୍ରସ୍ତର ଯୁଗରେ ହିଁ ମଣିଷ ନିର୍ମାଣ କରିବାକୁ ସକ୍ଷମ ହେଲା।

୧୮୫୯ ରେ ଡାରଓ୍ୱିନ୍‌ଙ୍କ 'ଅରିଜିନ ଅଫ୍ ସ୍ପେସିସ୍' ପୁସ୍ତକ ପ୍ରକାଶିତ ହେଲା। ଏହା ବିବର୍ତ୍ତନବାଦ ସମ୍ବନ୍ଧରେ ନୂଆ ତଥ୍ୟ ଦେଲା। ଅନ୍ୟମାନେ ମଧ୍ୟ ଆଦିମାନବ ସମ୍ବନ୍ଧିତ ଡାରଓ୍ୱିନଙ୍କ ଯୁକ୍ତିକୁ ଗ୍ରହଣ କଲେ। ସେହି ବର୍ଷ ଫରାସୀ ପ୍ରତ୍ନତତ୍ତ୍ୱବିତ୍ ବାଉଚର ଡି ପର୍ଥସ୍ (Boucher de Perthes) ଆବିଷ୍କାର କରିଥବା ପ୍ରସ୍ତର ସାମଗ୍ରୀ ପ୍ରସ୍ତର ଯୁଗୀୟ ଓ ମଣିଷନିର୍ମିତ ବୋଲି ଏକ ସନ୍ଦର୍ଭରେ ଉପସ୍ଥାପନ କଲେ। ଏହାର ଚାରି ବର୍ଷ ପରେ ୧୮୬୩ରେ ଲୁବକ୍ (Lubbock) ନାମକ ଜଣେ ଜର୍ମାନ ପ୍ରତ୍ନତତ୍ତ୍ୱବିତ୍ ସମଗ୍ର ପ୍ରାକ୍-ଇତିହାସ ଯୁଗକୁ ଦୁଇଟି ପୃଥକ୍ ସାଂସ୍କୃତିକ ପର୍ଯ୍ୟାୟରେ ବିଭକ୍ତ କରି ପ୍ରାଚୀନ ପ୍ରସ୍ତର ଯୁଗ (Palaeolithic) ଓ ନୂତନ ପ୍ରସ୍ତର ଯୁଗ (Neolithic) ଭାବରେ ନାମିତ କଲେ। ଫଳରେ, ଆଦିମାନବ ସମ୍ବନ୍ଧୀୟ ଅବଧାରଣାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଲା।

୧୮୬୩ରେ ଭାରତର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ରବର୍ଟ ବୃଶ୍ ଫୁଟ୍ (Robert Bruce Foot) ମାଡ୍ରାସ ସହର ଉପକଣ୍ଠସ୍ଥିତ ପଲ୍ଲଭରମ୍‌ଠାରୁ ପ୍ରଥମ କରି ଭାରତରେ ପ୍ରାଚୀନ ପ୍ରସ୍ତର ଯୁଗୀୟ ଉପକରଣମାନ ଆବିଷ୍କାର କରିଥିଲେ। ଏହା ପରେ ସେ ତାଙ୍କର ଜଣେ ସହକର୍ମୀ ଓ୍ୱିଲିଅମ୍ କିଙ୍ଗ (William King)ଙ୍କ ସହ ମିଶି ମାଡ୍ରାସ ନିକଟସ୍ଥ କୋର୍ଟାଲାୟର ଓ ନର୍ଣ୍ଣାଭରମ ନଦୀ ଶଯ୍ୟାରୁ ଆହୁରି କିଛି ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ଏଥିରୁ ପ୍ରତିପାଦିତ ହେଲା ଯେ, ଆଜି ଭାରତବର୍ଷ ନାମରେ ପରିଚିତ ଏହି ଭୂଖଣ୍ତରେ ମଧ୍ୟ ପ୍ରସ୍ତର ଯୁଗରେ ଆଦିମାନବ ଅବସ୍ଥାନ କରୁଥିଲା।

ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପ୍ରତ୍ନତାତ୍ତ୍ୱିକ ଖନନର ପରଂପରା ଓଡ଼ିଶାକୁ ମଧ୍ୟ ବିସ୍ତାରିତ ହେଲା। ପ୍ରଥମେ ୧୮୭୫ରେ ଭାଲେଣ୍ଟାଇନ୍ ବଲ୍ ନାମକ ଜଣେ ବ୍ରିଟିଶ୍ ଭୂତତ୍ତ୍ୱବିତ୍ ଓଡ଼ିଶାର ଚାରିଟି ସ୍ଥାନରୁ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ଉକ୍ତ ସ୍ଥାନଗୁଡ଼ିକ ହେଲା: ସମ୍ବଲପୁର ଜିଲ୍ଲାର ବୁର୍ସାପାଲି, ଅନୁଗୁଳ ଜିଲ୍ଲାର କାଳିଆ କଟା, ହରିଚନ୍ଦନପୁର ଓ ଢେଙ୍କାନାଳ। ମୋଟ କଥା ହେଲା ଯେ, ପାଖାପାଖି ପ୍ରାୟ ଏକ ସମୟରେ ସମଗ୍ର ପୃଥିବୀରେ ପ୍ରାକ୍-ଐତିହାସିକ ପ୍ରତ୍ନତାତ୍ତ୍ୱିକ ଖନନ ଓ ଗବେଷଣା ଆରମ୍ଭ ହୋଇଥିଲା।

ଓଡ଼ିଶା ଇତିହାସ . ୧୩