ପୃଷ୍ଠା:Odisha Itihasa.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାରେ ମରହଟ୍ଟା ଶାସନ


୧୭୦୭ରେ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ଦ୍ରୁତ ପତନ ହେଲା । ଦୀର୍ଘ କାଳ ଧରି ପ୍ରାୟ ସମଗ୍ର ଭାରତବର୍ଷକୁ ଗୋଟିଏ ସାମ୍ରାଜ୍ୟରେ ଏକୀକୃତ କରିଥିବା ମୋଗଲ ଶକ୍ତିର ପତନ ପରେ ହାଇଦ୍ରାବାଦ, ବଙ୍ଗ, ଅଯୋଧ୍ୟା, କର୍ଣ୍ଣାଟକ ଏବଂ ସର୍ବୋପରି ମରାଠା ଆଦି ଆଞ୍ଚଳିକ ଶକ୍ତିମାନଙ୍କର ଅଭ୍ୟୁତ୍‍ଥାନ ହେଲା । ଅବସୋସର ବିଷୟ ଯେ, ଏହି ସମୟରେ ଓଡ଼ିଶାର କୌଣସି ସ୍ଥାନୀୟ ଶକ୍ତି ପ୍ରଭୁତ୍ୱ ବିସ୍ତାର କରିପାରିଲେ ନାହିଁ । ବରଂ ଓଡ଼ିଶାକୁ ବଙ୍ଗ ରାଜ୍ୟର କର୍ତ୍ତୃତ୍ୱାଧୀନ ହୋଇ ରହିବାକୁ ପଡ଼ିଲା । ଫଳରେ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ସୀମାନ୍ତକୁ ଲାଗି ରହିଥିବା ନିଜାମ ଓ ମରାଠାମାନେ ବଙ୍ଗ କର୍ତ୍ତୃତ୍ୱରୁ ଓଡ଼ିଶାକୁ ଅଧିକାର କରିନେବାକୁ ସାମରିକ ଉଦ୍ୟମମାନ ଆରମ୍ଭ କଲେ । ଦକ୍ଷିଣ ସୀମାକୁ ଲାଗିଥିବା ଅଞ୍ଚଳ ନିଜାମ ଅଧିକାର କରିନେବାରୁ ଓଡ଼ିଶାପାଇଁ ଚିଲିକା ସୀମାନ୍ତ ହେଲା । ଅନ୍ୟ ପକ୍ଷରେ ପଶ୍ଚିମ ଓଡ଼ିଶା ଆଡୁ ମରାଠାମାନେ ମାଡ଼ି ଆସିବାକୁ ଉଦ୍ୟମ କଲେ । ଏହା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଯୁଦ୍ଧ, ଲୁଣ୍ଠନ, ଆତଙ୍କ ଓ ଆକ୍ରମଣର ରୂପ ନେଲା ।

ଏହି ସମୟର ଅନ୍ୟ ଏକ ରାଜନୀତିକ ବାସ୍ତବତା ହେଲା, ଇଂରେଜ ଓ ଫରାସୀଙ୍କ ପରି ବିଦେଶୀ ବଣିକ ଗୋଷ୍ଠୀର ଭାରତର ରାଜନୀତିରେ ଅନୁପ୍ରବେଶ । ଏହି ବଣିକ ଗୋଷ୍ଠୀ ବାଣିଜ୍ୟରେ ସୀମିତ ନ ରହି ନୂତନ ଭାବେ ମୁଣ୍ତ ଟେକିଥିବା ଆଞ୍ଚଳିକ ଶକ୍ତିମାନଙ୍କ ମାଧ୍ୟମରେ ନିଜ ପ୍ରଭୁତ୍ୱ ବିସ୍ତାର କରିବାକୁ ଲାଗିଲେ । ସେମାନେ କୌଣସି ଗୋଟିଏ ଭାରତୀୟ ଶକ୍ତିକୁ ପ୍ରୋତ୍ସାହିତ କରି ଅନ୍ୟ ଉପରେ ଦାଉ ସାଧିବାକୁ ଉଦ୍ୟମ କଲେ । ଫଳରେ ବାରମ୍ବାର ଯୁଦ୍ଧ ସଂଘଟିତ ହେଲା । ମାତ୍ର ତା'ଠାରୁ ବଡ଼ କଥା ଯେ, ଯୁଦ୍ଧରେ ଇଉରୋପରୁ ଆମଦାନୀ କରାଯାଇଥିବା ଆଧୁନିକ ଓ ମହଙ୍ଗା ଅସ୍ତ୍ରଶସ୍ତ୍ରର ବ୍ୟବହାର ହେଲା । ଏହା ଯୁଦ୍ଧକୁ ଖର୍ଚ୍ଚବହୁଳ କରିଦେଲା । ସେତେବେଳେ ଖର୍ଚ୍ଚ ତୁଲାଇବାପାଇଁ ରାଜାମାନେ ଭୂ-ରାଜସ୍ୱ ଉପରେ ପୂର୍ଣ୍ଣତଃ ଆଶ୍ରିତ ଥିଲେ । ପୁଣି ନିଜ ପ୍ରଜାଙ୍କଠାରୁ ଅଧିକ ଭୂ-ରାଜସ୍ୱ ଆଦାୟ କରିବାର ସଂଭାବନା ନଥିଲା । କାରଣ କୃଷିର ବିକାଶ୧୩୦ . ଓଡ଼ିଶା ଇତିହାସ