ପୃଷ୍ଠା:Odisha Itihasa.pdf/୧୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇ ନଥିଲା; ଉତ୍ପାଦନ ବୃଦ୍ଧି ପାଇ ନଥିଲା । ତେଣୁ ଅନ୍ୟ ରାଜ୍ୟ ଉପରେ ଆକ୍ରମଣ ଓ ଅଧିକାର ନୂତନ ଭାବେ ଗଢ଼ି ଉଠୁଥିବା ପ୍ରତ୍ୟେକ ଆଞ୍ଚଳିକ ଶକ୍ତିପାଇଁ ଆବଶ୍ୟକ ହୋଇପଡ଼ିଲା । ଯୁଦ୍ଧ ବିନା ସେମାନଙ୍କ ଅସ୍ତିତ୍ୱ ସଙ୍କଟାପନ୍ନ ହୋଇ ରହିଲା । ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ପ୍ରବର୍ତ୍ତମାନ ଏଭଳି ଏକ ରାଜନୀତିକ ଓ ସାମାଜିକ ପୃଷ୍ଠଭୂମିରେ ବଙ୍ଗ କବଳରୁ ମରାଠାମାନଙ୍କର ଓଡ଼ିଶା ଅଧିକାର ପ୍ରସଙ୍ଗକୁ ଦେଖିହେବ । ମରାଠାମାନେ ସେତେବେଳେ ଏକାଧିକ କ୍ଷୁଦ୍ରଶକ୍ତିରେ ପରିଣତ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ବିବାଦ ଥିଲା, କିନ୍ତୁ ଆବଶ୍ୟକ ସମୟରେ ସେମାନେ ଏକଜୁଟ ହୋଇ ଯାଉଥିଲେ । ସେମାନଙ୍କର ବଡ଼ ଶକ୍ତି ଥିଲା ଗରିଲା ଯୁଦ୍ଧ ପ୍ରଣାଳୀ, ଯାହା ଫଳରେ ସେମାନେ ଅନ୍ୟ ଭାରତୀୟ ଶକ୍ତିଙ୍କ ଅପେକ୍ଷା ସାମରିକ ଦୃଷ୍ଟିରୁ ଯଥେଷ୍ଟ ଆଗରେ ଥିଲେ । ନିରନ୍ତର ଗରିଲା ପ୍ରଣାଳୀରେ ସେମାନେ ଆକ୍ରମଣ କରି ପଡେ଼ାଶୀ ରାଜାମାନଙ୍କୁ ତଥା ସେଠାର ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲେ । ଫଳରେ ପଡେ଼ାଶୀ ରାଜାମାନେ ତାଙ୍କୁ ସୁରକ୍ଷା କର ବା ଚୌଥ ଏବଂ ସରଦେଶମୁଖୀ ଦେବାକୁ ବାଧ୍ୟ ହେଉଥିଲେ । ଅନେକ ସମୟରେ ଆକ୍ରମଣର କେବଳ ଧମକ ଦେଇ ମରାଠାମାନେ ବହୁ ପରିମାଣର କର ଅସୁଲ କରି ନେଉଥିଲେ ।

ମରାଠାମାନଙ୍କ ମଧ୍ୟରୁ ନାଗପୁରର ଭୋଁସଲେ ରାଜା ସଦାଶିବ ରାଓ ସେତେବେଳେ ଓଡ଼ିଶା ଅଧିକାର କରିବାକୁ ପ୍ରସ୍ତୁତି କରି ସଫଳ ହୋଇଥିଲେ । ୧୭୫୧ରୁ ୧୮୦୩ ଯାଏ ଭୋଁସଲେ ବଂଶର ରାଜତ୍ୱ ଓଡ଼ିଶାରେ ଚାଲିଲା । ଏହା ପଛରେ ଅନ୍ୟାନ୍ୟ କାରଣ ମଧ୍ୟରେ ବଙ୍ଗ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ଅନ୍ତର୍ବିବାଦ ପ୍ରଧାନ ଥିଲା ।

୧୭୩୯ରେ ନାଜିମ୍‍ ନବାବ ସୁଜାଉଦ୍ଦିନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସରଫରାଜ ନୂଆ ନଜିମ୍‍ ହେଲେ । ନୂଆ ନଜିମ୍‍ଙ୍କ ଦୁର୍ବଳତାର ସୁଯୋଗ ନେଇ ସୁଜାଉଦ୍ଦିନ୍‌ଙ୍କ ସମୟର ପ୍ରମୁଖ ଅଧିକାରୀ ଭାବରେ କାମ କରିଥିବା ଅଲିବର୍ଦ୍ଦି ଖାଁ ୧୭୪୦ରେ ସରଫ୍‍ରାଜଙ୍କୁ ହତ୍ୟା କଲେ ଏବଂ ନିଜେ ବଙ୍ଗର ନୂଆ ନବାବ ହେଲେ । ଅଲିବର୍ଦ୍ଦି ଓଡ଼ିଶାର ନାଏବ ନଜିମ୍‍ ଭାବରେ ନିଜ ପୁତୁରା ସୟଦ୍‍ ଅହମ୍ମଦ ଖାଁଙ୍କୁ ନିଯୁକ୍ତ କଲେ । ଏହାର ପ୍ରତିବାଦ କରି ପୂର୍ବରୁ ଅବସ୍ଥାପିତ ନାଏବ ନଜିମ୍‍ ମୁର୍ସିଦ୍‍ କୁଲି ଖାଁ ବିଦ୍ରୋହ କଲେ । ମାତ୍ର ଆଲିବର୍ଦ୍ଦି ଖାଁଙ୍କ ସେନା ହାତରେ ସେ ଫୁଲଓ୍ୱାରିଠାରେ (ବାଲେଶ୍ୱର ନିକଟସ୍ଥ ଫୁଲାଡ଼ି) ପରାସ୍ତ ହେଲେ । ଏହା ପରେ ଯଦିଓ ମୁର୍ସିଦ୍‍ ଖୋର୍ଦ୍ଧା ରାଜାଙ୍କ ପାଖରେ ଆଶ୍ରା ନେଇ ରହିଲେ, ତାଙ୍କ ବିଶ୍ୱସ୍ତ ସହଯୋଗୀ ମୀର୍‍ ହବିବ୍‍ ବଙ୍ଗ ନବାବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ । ସେ ଏଥିପାଇଁ ନାଗପୁର ଭୋଁସଲେ ରାଜାଙ୍କଠାରୁ ସହଯୋଗ ନେଲେ । ଅନ୍ୟ ପକ୍ଷରେ ଓଡ଼ିଶା ଅଧିକାରପାଇଁ ଯୋଜନା କରୁଥିବା ଭୋଁସଲେ ମୀର ହବିବ୍‍ଙ୍କ ସହଯୋଗକୁ ସୁବର୍ଣ୍ଣ ସୁଯୋଗ ରୂପେ ଗ୍ରହଣ କଲେ । ଏହାର ପରିଣାମ ସ୍ୱରୂପ ୧୯ ଏପ୍ରିଲ୍‍ ୧୭୪୨ରେ ମୀର୍‍ ହବିବ୍‍ଙ୍କ ନେତୃତ୍ୱରେ ମରାଠା ସେନା କଟକ ଅଧିକାର କରିନେଲେ । ପଶ୍ଚିମ ଓଡ଼ିଶା ଦେଇ ସେମାନେ କଟକ ଆସିବା ବେଳେ ରାସ୍ତାରେ ଲୁଣ୍ଠନ ଓ ଆକ୍ରମଣ ଜାରି ରଖିଥିଲେ । ୧୭୪୨ରୁ ୧୭୫୧ ମଧ୍ୟରେ ମରାଠା ଓ ବଙ୍ଗ ନବାବଙ୍କ ମଧ୍ୟରେ ଓଡ଼ିଶା ଅଧିକାରପାଇଁ ଛକାପଞ୍ଝା ଚାଲିଲା ।{{right|ଓଡ଼ିଶା ଇତିହାସ . ୧୩୧