ପୃଷ୍ଠା:Odisha Itihasa.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେତେବେଳେ ଅଲିବର୍ଦ୍ଦି ପରାସ୍ତ ହେଲେ ତ ଆଉ କେତେବେଳେ ସାମୟିକ ଭାବେ ମରାଠାମାନେ ପରାସ୍ତ ହେଲେ । ନ୍ୟାୟ ପାଇବା ନିମନ୍ତେ ଅଲିବର୍ଦ୍ଦି ନାମମାତ୍ର ମୋଗଲ ସମ୍ରାଟ ମହମ୍ମଦ ଶାହ ଓ ମରାଠା ପ୍ରମୁଖ ପେଶଓ୍ୱାଙ୍କଠାରେ ମଧ୍ୟ ଫେରାଦ ହେଲେ । ହାଇଦ୍ରାବାଦର ନିଜାମ ମରାଠା ଆକ୍ରମଣରୁ ତ୍ରାହି ପାଇବା ସକାଶେ ମରାଠାମାନଙ୍କର ବଙ୍ଗ ଆକ୍ରମଣକୁ ପରୋକ୍ଷରେ ସମର୍ଥନ କଲେ । ପ୍ରତିଥର ମରାଠାମାନେ ନାଗପୁରରୁ ପଶ୍ଚିମ ଓଡ଼ିଶା ଦେଇ କଟକ, ବାଲେଶ୍ୱର ଓ ଆଗକୁ ମେଦିିନିପୁର ପର୍ଯ୍ୟନ୍ତ ସୈନ୍ୟ ଚାଳନା କରୁଥିଲେ । ରାସ୍ତାରେ ଗାଁ ଗଣ୍ତା ଲୁଟ୍‍ କରିବା, ଲୋକଙ୍କ ଉପରେ ଅତ୍ୟାଚାର କରିବା, ହାଣ-କାଟ କରିବା, ଧନରତ୍ନ ଲୁଣ୍ଠନ କରିବା ଆଦି ସେମାନଙ୍କର ପ୍ରମୁଖ କାମ ହେଲା । ଏହାକୁ ଲୌକିକ ଭାଷାରେ ପଶ୍ଚିମ ଓଡ଼ିଶାରେ 'ଗଣ୍ତମାରୁ' ବୋଲି କୁହାଯାଏ, କାରଣ ମରାଠା ସେନାରେ ଅନେକ ସଂଖ୍ୟାରେ ଗଣ୍ତ ଆଦିବାସୀ ସଂପ୍ରଦାୟର ସୈନିକ ଥିଲେ । ସେମାନେ ରାଜକୋଷ ମଧ୍ୟ ଲୁଟି ନେଉଥିଲେ । ସେମାନଙ୍କ ଗରିଲା ଆକ୍ରମଣରୁ ତ୍ରାହି ପାଇବାଲାଗି ବଙ୍ଗ ନବାବ ଅନେକ ଥର ବହୁ ପରିମାଣର ଅର୍ଥ ଦେବାକୁ ବାଧ୍ୟ ହେଉଥିଲେ । ୧୭୫୧ରେ ଅଲିବର୍ଦ୍ଦି ଖାଁ ସମସ୍ୟାର ଏକ ସ୍ଥାୟୀ ସମାଧାନପାଇଁ ରଘୁଜୀ ଭୋଁସଲେଙ୍କ ସହିତ ଚୁକ୍ତି ସ୍ୱାକ୍ଷର କଲେ । ଚୁକ୍ତି ଅନୁଯାୟୀ ଓଡ଼ିଶାର ଅଧିକାର ମରାଠାମାନଙ୍କ ହାତକୁ ଗଲା । ମୀର୍‍ ହବିବ୍‍ ନାଏବ ନାଜିମ୍‍ ନିଯୁକ୍ତ ହେଲେ । ଯଦିଓ ଓଡ଼ିଶାର ଅଧିକାର ଭୋଁସଲେଙ୍କ ହାତରେ ରହିଲା, ଅଲିବର୍ଦ୍ଦି ଖାଁ ବଙ୍ଗର ନବାବ ଭାବରେ ଏହାର ନାମମାତ୍ର ନବାବ ରହିଲେ । ମାତ୍ର ଯୁଦ୍ଧ କ୍ଷତିପୁରଣ ବାବଦକୁ ଓଡ଼ିଶାର ରାଜସ୍ୱ ଭୋଁସଲେ ରାଜକୋଷକୁ ଯିବ ବୋଲି ସ୍ଥିର ହେଲା । ଏହା ବ୍ୟତୀତ ବଙ୍ଗକ୍ଷେତ୍ର ଉପରେ ମରାଠା ଆକ୍ରମଣରୁ ନିବୃତ୍ତି ପାଇବାଲାଗି ଅଲିବର୍ଦ୍ଦି ବାର୍ଷିକ ୧୨ ଲକ୍ଷ ଟଙ୍କା ଚୌଥକର ଦେବେ ବୋଲି ସହମତ ହେଲେ । ଏହା ବ୍ୟତୀତ ମରାଠା ଓ ବଙ୍ଗ ମଧ୍ୟରେ ସୁବର୍ଣ୍ଣରେଖା ନଦୀକୁ ସୀମାରେଖା ରୂପେ ମାନିନେବାକୁ ଉଭୟ ପକ୍ଷ ରାଜି ହେଲେ ।

ଓଡ଼ିଶାରେ ମରାଠା ଶାସନ ୧୭୫୧ରୁ ୧୮୦୩ ପର୍ଯ୍ୟନ୍ତ ଅର୍ଥାତ୍‍ ଅର୍ଦ୍ଧଶତାବ୍ଦୀରୁ ସାମାନ୍ୟ ଅଧିକ କାଳ ଧରି ଚାଲିଥିଲା । କଟକର ବାରବାଟୀ ଦୁର୍ଗ ଥିଲା ଓଡ଼ିଶା ସୁବା ବା ପ୍ରଦେଶର ରାଜଧାନୀ । ସୁବାଦାର ଥିଲେ ଏହାର ଶାସକ । ପରିସୀମା ଦୃଷ୍ଟିରୁ ଏହାର ସୀମାନ୍ତ ଦକ୍ଷିଣରେ ଚିଲିକା, ଉତ୍ତରରେ ବାଲେଶ୍ୱର ଏବଂ ପଶ୍ଚିମରେ ସମ୍ବଲପୁର ଜିଲ୍ଲା ଯାଏ ବ୍ୟାପି ଥିଲା । ଓଡ଼ିଶା ସୁବାକୁ ମୋଗଲମାନେ ମୋଗଲବନ୍ଦି ଓ ଗଡଜାତ ଭାବରେ ଦୁଇଭାଗରେ ବିଭକ୍ତ କରିଥିଲେ, ଯାହା ମରାଠାମାନଙ୍କ ସମୟରେ ମଧ୍ୟ ଅବ୍ୟାହତ ରହିଲା । ମୋଗଲବନ୍ଦି ଅଂଚଳରେ ମରାଠାମାନଙ୍କର ପ୍ରତ୍ୟକ୍ଷ ଶାସନ ଚାଲିଥିଲା । ଗଡ଼ଜାତରେ ରାଜାମାନେ ବାର୍ଷିକ ଦେୟ ଜମା କଲା ପରେ ସ୍ୱାଧୀନ ଭାବେ ପ୍ରଶାସନ ପରିଚାଳନା କରୁଥିଲେ । ସେତେବେଳେ ମୋଟ ୨୪ଟି ଗଡ଼ଜାତ ରହିଥିଲେ । ମୋଗଲବନ୍ଦି ଅଂଚଳରେ ନିୟମିତ ଜମି ବନ୍ଦୋବସ୍ତ କରାଯାଉଥିଲା ଏବଂ ଜମିଦାରମାନଙ୍କ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରାଯାଉଥିଲା ।

ମରାଠା ଶାସନ ସମୟରେ ଭୂ-ରାଜସ୍ୱ ଓ ବଙ୍ଗ ନବାବଙ୍କଠାରୁ ଚୌଥ ବା ଚୌଠ କର ଆଦାୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ତୀର୍ଥଯାତ୍ରୀ କର ଅସୁଲିପାଇଁ ମରାଠା୧୩୨ . ଓଡ଼ିଶା ଇତିହାସ