ପୃଷ୍ଠା:Odisha Itihasa.pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଶାସକମାନେ ଜଗନ୍ନାଥ ମନ୍ଦିର ଉପରେ ନିୟନ୍ତ୍ରଣକୁ ମଧ୍ୟ ଖୁବ୍‍ ମହତ୍ତ୍ୱ ଦେଉଥିଲେ । ପୁରୀରେ ତୀର୍ଥଯାତ୍ରୀ ସମାଗମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କିଛି ରାସ୍ତାଘାଟର ନିର୍ମାଣପାଇଁ ମଧ୍ୟ ଉଦ୍ୟମ କରିଥିଲେ । ମରାଠା ଶାସନ ସମୟରେ ନାଗପୁରସ୍ଥିତ ଭୋଁସଲେ ଯଦିଓ ଓଡ଼ିଆ ସୁବାର ସର୍ବେସର୍ବା ଥିଲେ, ଦୂରତ୍ୱ ଓ ଗମନାଗମନର ଅସୁବିଧାଯୋଗୁଁ ସୁବାଦାର ଥିଲେ ରାଜ୍ୟର ପ୍ରକୃତ ଶାସକ । ତାଙ୍କର ମୁଖ୍ୟ କାମ ଥିଲା, ଧାର୍ଯ୍ୟମତେ ଭୂ-ରାଜସ୍ୱ ଓ ବଙ୍ଗ ନବାବଙ୍କଠାରୁ ଚୌଠ ଆଦାୟ କରି ଭୋଁସଲେଙ୍କ ରାଜକୋଷରେ ପଇଠ କରିବା । ମାତ୍ର ଧାର୍ଯ୍ୟମତେ ଭୂ-ରାଜସ୍ୱ ଆଦାୟ ହୋଇ ପାରୁ ନଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଥିଲା ଏବଂ ସୁବାଦାର ପଦରୁ ବହିଷ୍କାର କରି ଦିଆଯାଉଥିଲା । ନୂଆ ସୁବାଦାର ନିଯୁକ୍ତ ହେଉଥିଲେ । ଅନ୍ୟ ପକ୍ଷରେ ମୋଗଲବନ୍ଦି ଅଞ୍ଚଳରେ ନିୟମିତ ଜମି ବନ୍ଦୋବସ୍ତ କରି ଜମିଦାର ଓ ପ୍ରଜାଙ୍କ ଉପରେ ବାରମ୍ବାର ଖଜଣା ବୃଦ୍ଧି କରାଯାଉଥିଲା । ଯେହେତୁ ଭୋସଲେଁଙ୍କ ଦାବି ପରିମାଣ ଖୁବ୍‍ ଅଧିକ ଥିଲା, ବହିଷ୍କାରର ଆଶଙ୍କା ସତ୍ତ୍ୱେ ସୁବାଦାର ଧାର୍ଯ୍ୟମତେ ରାଜସ୍ୱ ଅସୁଲ କରି ପାରୁ ନଥିଲେ । ନିୟମିତ ଖଜଣା ବୃଦ୍ଧି ହେଉଥିବାରୁ ମରାଠାମାନଙ୍କ ବିରୁଦ୍ଧରେ ବିଦ୍ରୋହ ମଧ୍ୟ ହେଉଥିଲା । ରାଜସ୍ୱ ପଇଠ କରିବାକୁ ମରାଠା ଅଧିକାରୀମାନେ ନିଜ ପ୍ରଜା ଓ ଜମିଦାରଙ୍କୁ ଲୁଣ୍ଠନ କରୁଥିଲେ ।

ମାତ୍ର ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଓଡ଼ିଶା ସୁବାରେ ମୋଟ ଦଶଜଣ ସୁବାଦାର ନିଯୁକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ମୀର୍‍ ହବିବ୍‍ (୧୭୫୧-୧୭୫୨) ଓ ମିର୍ଜା ସାଲେ (୧୭୫୨-୧୭୫୯)ଥିଲେ ମୁସଲମାନ । ଉଭୟେ ବଙ୍ଗଶାସକ ଅଲିବର୍ଦ୍ଦି ଖାଁ ଓ ଭୋଁସଲେ ରାଜା ରଘୁଜୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ନିଯୁକ୍ତି ପାଇଥିଲେ । ଅନ୍ୟ ଆଠଜଣ ସୁବାଦାର ଥିଲେ ମରହଟ୍ଟା । ସେମାନେ ହେଲେ- ଶେଓ ଭଟ୍ଟ ସାଠେ (୧୭୬୦-୧୭୬୪), ଭବାନୀ ପଣ୍ତିତ (୧୭୬୪-୬୮), ଶମ୍ଭାଜୀ ଗଣେଶ (୧୭୬୮-୧୭୭୦) । ବାବୁଜୀ ନାଏକ(୧୭୭୧-୧୭୭୩), ମାଧୋଜୀ ହରି (୧୭୭୩-୧୭୭୭), ରାଜାରାମ ପଣ୍ତିତ (୧୭୭୮-୧୭୯୩) ଏବଂ ସଦାଶିବ ରାଓ (୧୭୯୩-୧୮୦୩) । ଏମାନଙ୍କ ବ୍ୟତୀତ ସାମୟିକ ଭାବେ ଆଉ କେତେ ଜଣ ମଧ୍ୟ ସୁବାଦାର ପଦରେ ନିଯୁକ୍ତ ହୋଇଥିଲେ । ଅଧିକାଂଶ ସୁବାଦାର ଦାବିମତେ ଖଜଣା ଅସୁଲ କରି ନ ପାରି ପଦରୁ ବରଖାସ୍ତ ହେଉଥିଲେ ।

ମୀର୍‍ ହବିବ୍‍ ଥିଲେ ଓଡ଼ିଶାର ପ୍ରଥମ ମରାଠା ସୁବାଦାର । ତାଙ୍କର ପ୍ରକୃତ ନାମ ଥିଲା ମୀର୍‍ ହବିବୁଲ୍ଲା । ପାରସ୍ୟରୁ ସେ ଭାରତ ଆସି ବଙ୍ଗ ନବାବଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ । ମାତ୍ର ଅଲିବର୍ଦ୍ଦି ଖାଁ ନବାବ ପଦ ଅଧିକାର କରିନେବା ପରେ ସେ ଓଡ଼ିଶାରେ ପୂର୍ବରୁ ନିଯୁକ୍ତ ନାଏବ ନବାବ ମୁର୍ସିଦ୍‍ କୁଲି ଖାଁଙ୍କ ସହ ମିଶି ନବାବଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ପରାଜିତ ହେଲା ପରେ ଓଡ଼ିଶା ଉପରେ ମରାଠା ଆକ୍ରମଣପାଇଁ ସହଯୋଗ କଲେ ।୧୭୫୧ରେ ଅଲବର୍ଦ୍ଦି ଓ ଭୋଁସଲେଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ପଛରେ ମୀର ହବିବ୍‍ଙ୍କ ବଡ଼ ଭୂମିକା ରହିଥିଲା । ସେ ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ ଏବଂ ଓଡ଼ିଶାର ରାଜସ୍ୱ ଆଦାୟ କରିବାର ପ୍ରତିଶ୍ରୁତି{{right|ଓଡ଼ିଶା ଇତିହାସ . ୧୩୩