ପୃଷ୍ଠା:Odisha Itihasa.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ରକ୍ଷକ) ଫତେହ ଖାନ୍‍ଙ୍କ ସହ ମଧ୍ୟ ତାଙ୍କୁ ଯୁଦ୍ଧ କରିବାକୁ ପଡ଼ିଥିଲା । ଅରାଜକତାକୁ ଦୂରକରି ମରାଠା ଶାସନ ପୁନର୍ପ୍ରତିଷ୍ଠା କରିବାରେ ସଫଳ ହୋଇଥିବାରୁ ଶେଓ ଭଟ୍ଟଙ୍କ ଉପରେ ନୂତନ ଭୋଁସଲେ ରାଜା ଜାନୁଜୀଙ୍କର ଅଗାଧ ବିଶ୍ୱାସ ଥିଲା । ମାତ୍ର ବଙ୍ଗର ନୂତନ ନବାବ ମୀର୍‍ ଜାଫର ଏବଂ ତାଙ୍କ ପରେ ମୀର୍‍ କାଶିମ୍‍ଙ୍କ ପାଖରୁ ସେ ବକେୟା ଚୌଠ ଅସୁଲ କରି ପାରିଲୋହିଁ । ୧୭୬୩ରେ ସେ ବଙ୍ଗର ନବାବ ମୀର୍‍ କାଶିମ୍‍ଙ୍କଠାରୁ ବକେୟା ଚୌଠ ଆଦାୟ କରିବାକୁ ଜଳେଶ୍ୱର ଓ ମେଦିନିପୁର ଅଧିକାର କରିନେଲେ । ଇଂରେଜମାନେ ଏହା ଚାହୁଁ ନଥିଲେ । ସେମାନେ ଭୋଁସଲେଙ୍କୁ ଚୌଠ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ ଏବଂ ପ୍ରତିବଦଳରେ ମରାଠାମାନେ ଯୁଦ୍ଧ ପରିସ୍ଥିତିରେ ମୀର୍‍ କାଶିମ୍‍ଙ୍କୁ ସହଯୋଗ କରିବେ ନାହିଁ ବୋଲି ଚୁକ୍ତି ହେଲା । ମାତ୍ର ବକ୍ସର ଯୁଦ୍ଧରେ ଜିଣିଲା ପରେ ଇଂରେଜମାନେ ପ୍ରତିଶ୍ରୁତିକୁ ଉପେକ୍ଷା କଲେ ଏବଂ ମରାଠାମାନଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ଶକ୍ତି ସଂଚୟ କଲେ । ସେ ଯାହା ହେଉ, ଶେଓ ଭଟ୍ଟ ରାଜସ୍ୱ ଦାବିପୂରଣ କରି ନ ପାରିବାରୁ ୧୭୬୪ରେ ଗିରଫ ହେଲେ ଏବଂ ତାଙ୍କୁ ନାଗପୁରକୁ ପଠାଇ ଦିଆଗଲା ।

୧୭୬୪ରେ ଭବାନୀ ପଣ୍ଡିତ ଓଡ଼ିଶାର ସୁବାଦାର ନିଯୁକ୍ତ ହୋଇ ୧୭୬୮ରେ ଚୌଠ ଆଦାୟ କରି ନ ପାରିବା ଅପରାଧରେ ପଦଚ୍ୟୁତ ହେଲେ । ବଳପୂର୍ବକ ବର୍ଦ୍ଧିତ ରାଜସ୍ୱ ଆଦାୟ କରିବାପାଇଁ ସେ ଜମିମାଲିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ଏହା ମରାଠା ପ୍ରଶାସନକୁ ଓଡ଼ିଶାରେ ଅଧିକ ବଦନାମ କଲା । ଭବାନୀ ପଣ୍ଡିତଙ୍କ ପରେ ଶମ୍ଭାଜୀ ଗଣେଶ (୧୭୬୮-୭୦) ଦୁଇ ବର୍ଷ ସୁବାଦାର ପଦରେ ରହିଲେ । ୧୭୭୦ରେ ତାଙ୍କର ମୃତ୍ୟୁ ହେବା ପରେ ଅସ୍ଥାୟୀ ଭାବେ ରାଜାରାମ ପଣ୍ଡିତ କିଛି କାଳ ଓଡ଼ିଶାର ସୁବାଦାର ଦାୟିତ୍ୱ ନେଲେ । ତା' ପରେ ୧୭୭୧ରେ ବାବୁଜୀ ନାୟକ ସୁବାଦାର ନିଯୁକ୍ତ ହେଲେ ।

୧୭୭୩ରେ ମାଧୋଜୀ ହରି ସୁବାଦାର ପଦରେ ନିଯୁକ୍ତ ହୋଇ ୧୭୭୭ ପର୍ଯ୍ୟନ୍ତ ପଦବୀରେ ରହିଲେ । ମାଧୋଜୀଙ୍କ ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳଦସ୍ୟୁମାନଙ୍କର ଉତ୍ପାତ ବୃଦ୍ଧି ପାଇଲା । ଏହାଦ୍ୱାରା ଇଂରେଜ ବଣିକମାନେ ବିଶେଷ କ୍ଷତିଗ୍ରସ୍ତ ହେଲେ । ମରାଠା ସୁବାଦାର ଜଳଦସ୍ୟୁମାନଙ୍କ ପ୍ରତି ବା ସେମାନଙ୍କ ଉତ୍ପାତପାଇଁ ଦାୟୀ ମନେ କରାଯାଉଥିବା ଜମିଦାରମାନଙ୍କ ପ୍ରତି ବିଶେଷ କଠୋର ହୋଇପାରି ନଥିଲେ । କାରଣ ଜଳଦସ୍ୟୁମାନଙ୍କ ଉପରେ ଉକ୍ତ ଜମିଦାରମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ନଥିଲା । ଇଂରେଜମାନେ ଭୋଁସଲେଙ୍କ ପାଖରେ ଯାଇ ମାଧୋଜୀଙ୍କ ବିରୁଦ୍ଧରେ ଫେରାଦ ହେଲେ । ଇଂରେଜମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଶକ୍ତିର ଅନୁମାନ କରି ଭୋଁସଲେ ମାଧୋଜୀ ହରିଙ୍କୁ ଓଡ଼ିଶାରୁ ପ୍ରତ୍ୟାହାର କରିନେଲେ । ଏଣିକି ଭାରତରେ ଏକ ବିଶାଳ ଶକ୍ତି ଭାବରେ ଇଂରେଜମାନଙ୍କର ଉଦୟ ହେଲା । ସେମାନଙ୍କୁ ଅବହେଳା କରିବା କଥା ମରାଠାମାନେ ଚିନ୍ତା ବି କରିପାରିଲେ ନାହିଁ ।

ରାଜାରାମ ପଣ୍ଡିତ କେବଳ ସୁବାଦାର ପଦରେ (୧୭୭୮-୧୭୯୩) ଅଧିକ କାଳ ରହି ନଥିଲେ, ତା' ସହିତ ଇଂରେଜମାନଙ୍କ ସହ ବୁଝାମଣା କରି ସେ ସୂଚାରୁ ରୂପେ ଓଡ଼ିଶାରେ ମରାଠା{{right|ଓଡ଼ିଶା ଇତିହାସ . ୧୩୫