ପୃଷ୍ଠା:Odisha Itihasa.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଶାସନ ମଧ୍ୟ ପରିଚାଳନା କରିଥିଲେ । ଜଣେ ଦକ୍ଷ କୂଟନୀତିଜ୍ଞ ଭାବରେ ରାଜାରାମ ପଣ୍ଡିତ ଅନୁଭବ କଲେ ଯେ, ଇଂରେଜମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ସଂପର୍କ ରକ୍ଷାକରି ଓଡ଼ିଶାର ମରାଠା ଶକ୍ତିକୁ ଦୃଢ଼ କରାଯାଇ ପାରିବ । ଏହି ସମୟରେ କର୍ଣ୍ଣାଟକର ହାଇଦର ଅଲ୍ଲିଙ୍କ ବିରୁଦ୍ଧରେ ସୈନ୍ୟ ଚାଳନା କରିବା ଲାଗି ଇଂରେଜମାନେ ଓଡ଼ିଶାର ସହଯୋଗ ଲୋଡୁଥିଲେ । ଇଂରେଜ ସେନାଙ୍କୁ ବଙ୍ଗ ପ୍ରେସିଡେନ୍‍ସିରୁ ମାଡ୍ରାସ୍‍ ପ୍ରେସିଡେନ୍‍ସିକୁ ସ୍ଥଳପଥରେ ଓଡ଼ିଶା ଉପକୂଳ ଦେଇ ଯିବାକୁ ହେବ । ଏଥିପାଇଁ ଇଂରେଜ ମରାଠା ସୁବାଦାରଙ୍କ ଅନୁମତି ଲୋଡ଼ିଥିଲେ । ବଙ୍ଗ ଅଧିକାର ପରେ ଦକ୍ଷିଣକୁ ସାମ୍ରାଜ୍ୟ ବିସ୍ତାର ଲାଗି ଓଡ଼ିଶା ଅଧିକାର କରିବା ଇଂରେଜମାନଙ୍କ ପକ୍ଷେ ଏକ ଆବଶ୍ୟକତା ଥିଲା । ମାତ୍ର ଆରମ୍ଭରେ ସେମାନେ ଓଡ଼ିଶା ଅଧିକାର ନକରି ଅନୁମତି ଲୋଡ଼ିଥିଲେ । ଏହାର ସୁଯୋଗ ନେଇ ରାଜାରାମ ବଙ୍ଗ ନବାବଙ୍କଠାରୁ ମିଳିବାକୁ ଥିବା ବକେୟା ଦୁଇ କୋଟି ଟଙ୍କା ଚୌଠ କର ଇଂରେଜମାନଙ୍କଠାରୁ ଦାବି କଲେ । ଇଂରେଜମାନେ ପ୍ରଥମେ ୧୨ ଲକ୍ଷ ଟଙ୍କା ଏବଂ ବୁଝାମଣା ପରେ ଅଧିକ ୧୩ ଲକ୍ଷ ଟଙ୍କା ଦେବାକୁ ରାଜି ହେଲେ । ପ୍ରତିବଦଳରେ ରାଜାରାମ ଓଡ଼ିଶା ମଧ୍ୟ ଦେଇ ଇଂରେଜ ସେନାଙ୍କୁ ବଙ୍ଗରୁ ମାଡ଼୍ରାସ୍‍ ପ୍ରେସିଡେନ୍‌ସି ଯିବାଲାଗି ଅନୁମତି ଦେଲେ । ବୁଝାମଣାପାଇଁ ଇଂରେଜମାନଙ୍କ ପକ୍ଷରୁ ଏଣ୍ଡରସନ୍‍ ନାମକ ଜଣେ ପ୍ରତିିନିଧି ଦୁଇଥର କଟକ ଆସିଥିଲେ । ଅନୁମତି ପ୍ରଦାନ କଲା ପରେ ରାଜାରାମ ନିଜର କେତେକ ଅଧିକାରୀଙ୍କୁ ମଧ୍ୟ ଦଣ୍ଡଦେବାକୁ ହେଳା କରି ନଥିଲେ । କାରଣ ସେମାନେ ଇଂରେଜ ସେନାର ଯିବାରେ ବାଧକ ହୋଇଥିଲେ । ବାଲେଶ୍ୱରର ଫୌଜଦାର ଭବାନୀ ଦାସ ଚୌଧୁରୀଙ୍କୁ ମଧ୍ୟ ସେ ବରଖାସ୍ତ କରି ତାଙ୍କ ସ୍ଥାନରେ ମୁରାରି ପଣ୍ଡିତଙ୍କୁ ନିଯୁକ୍ତ କଲେ । ଭବାନୀ ଦାସଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଇଂରେଜ ବଣିକମାନଙ୍କୁ ହଇରାଣ କରୁଥିଲେ । ଗଞ୍ଜାମର ଜଣେ ଜମିଦାର ବଳରାମ ମହାରଥା ଇଂରେଜମାନଙ୍କୁ ବିରୋଧ କରୁଥିଲେ ଏବଂ ଖୋର୍ଦ୍ଧା ରାଜା ବୀରକିଶୋର (ପାଠାନ୍ତରେ ବୀରକିଶୋରୀ)ଦେବ ତାଙ୍କୁ ଆଶ୍ରୟ ଦେଇଥିଲେ ବୋଲି ସେ ରାଜାଙ୍କ ଉପରେ ଦଶ ହଜାର ଟଙ୍କା ଜୋରିମାନା କଲେ ।


ରାଜାରାମ ପଣ୍ଡିତ ପୁରୀ, ଜଗନ୍ନାଥ ମନ୍ଦିର ଓ ଖୋର୍ଦ୍ଧା ଉପରେ ମଧ୍ୟ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରଖିଥିଲେ । ଏହା ତାଙ୍କ ରାଜସ୍ୱ ବୃଦ୍ଧିରେ ସହାୟକ ହେଉଥିଲା । ୧୭୬୦ରେ ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ ଖୋର୍ଦ୍ଧା ଆକ୍ରମଣ କଲେ ଏବଂ ପୁରୀ ଓ ଜଗନ୍ନାଥ ମନ୍ଦିର ଅଧିକାର କରିନେଲେ । ଗଙ୍ଗ ବଂଶର ଦାୟାଦ ଭାବରେ ସେ ମଧ୍ୟ ନିଜକୁ ଗଜପତି ବୋଲି ଦାବି କରୁଥିଲେ ଏବଂ ପୁରୀ ଅଧିକାର କରି ଏହା ପ୍ରମାଣ ମଧ୍ୟ କରିଥିଲେ । ଖୋର୍ଦ୍ଧାରାଜା ବୀରକିଶୋର ଦେବ ମରାଠା ସେନାର ସହାୟତା ନେଇ ପୁନଶ୍ଚ ପୁରୀ ଅଧିକାର କଲେ । ଏଥିପାଇଁ ସେ ମରାଠା ସୁବାଦାରଙ୍କୁ ଲକ୍ଷେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଲେ । ମାତ୍ର ଟଙ୍କା ଦେଇ ନ ପାରିବାରୁ ମରାଠାମାନେ ପୁରୀ, ଲେମ୍ବାଇ ଓ ରାହାଙ୍ଗର ରାଜସ୍ୱ ଅସୁଲ କରିବେ ବୋଲି କଥା ଛିଣ୍ଡିଲା । ଏହା ସହିତ ଆକବରଙ୍କ ସମୟରୁ ଖୋର୍ଦ୍ଧା ରାଜା ଅସୁଲ କରୁଥିବା ୧୪ଟି ଗଡ଼ଜାତର ବାର୍ଷିକ ଦେୟ ମଧ୍ୟ ମରାଠା ସୁବାଦାରଙ୍କ ହାତକୁ ଗଲା । ପୁରୀ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଓ ରାଜସ୍ୱ ହାତରୁ୧୩୬ . ଓଡ଼ିଶା ଇତିହାସ