ପୃଷ୍ଠା:Odisha Itihasa.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଲା ପରେ ଅପମାନରେ ବୀରକିଶୋର ଦେବ ପାଗଳ ହୋଇ ନିଜ ପୁତ୍ରମାନଙ୍କୁ ହତ୍ୟା କଲେ । ପରିଣାମ ସ୍ୱରୂପ, ମରାଠା ସୁବାଦାର ତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ (୧୭୯୩) ବନ୍ଦୀ କରି କଟକ ଦୁର୍ଗରେ ରଖିଲେ । ମୋଟ କଥା ହେଲା, ରାଜାରାମ ପଣ୍ଡିତଙ୍କ ସମୟରେ ଜଗନ୍ନାଥ ମନ୍ଦିର ଉପରେ ମରାଠାମାନଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ପ୍ରତିଷ୍ଠିତ ହୋଇ ସାରିଥିଲା । ରାଜାରାମ ମନ୍ଦିରର ସୁପରିଚାଳନା ନିମନ୍ତେ କେତେକ ପଦକ୍ଷେପ ନେଇଥିଲେ । ଏହା ପଛରେ ନିଶ୍ଚିତ ଭାବରେ ତାଙ୍କର ହିନ୍ଦୁ ଧର୍ମଭାବ ଥିଲା । ମାତ୍ର ତା' ସହିତ ଯାତ୍ରୀ ସମାଗମ ବୃଦ୍ଧିପାଇ ମନ୍ଦିରରୁ ଆୟ ଅଧିକ ହେବାର ବି ସମ୍ଭାବନା ଥିଲା । ଭୂ-ରାଜସ୍ୱ ଆଦାୟକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସେ ବଡ଼ ଚାଷୀ ଓ ଗ୍ରାମ ମୁଖିଆମାନଙ୍କୁ ଅନେକ ଅଧିକାର ଦେଇଥିଲେ । ଜଗନ୍ନାଥ ମନ୍ଦିରର ସରକାରୀ ଖର୍ଚ୍ଚ ଊଣା କରିବା ଉଦ୍ଦେଶ୍ୟରେ ସେ ଧନୀ ଲୋକମାନଙ୍କୁ ଦାନ କରିବାକୁ ଚାପ ପ୍ରୟୋଗ କରୁଥିଲେ ।

୧୭୯୩ରେ ରାଜାରାମ ପଣ୍ଡିତଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସଦାଶିବ ରାଓ ଓଡ଼ିଶାର ସୁବାଦାର ହେଲେ । ପିତାଙ୍କ ସମୟରେ ସେ ଓଡ଼ିଶାର ଉପ-ସୁବାଦାର ଭାବରେ କାର୍ଯ୍ୟ କରିଥିଲେ । ସ୍ଥାନୀୟ ରୀତି ନୀତି ସହିତ ସୁପରିଚିତ ଥିଲେ । ଇଂରେଜମାନଙ୍କୁ ସହଯୋଗ କରିବାରେ ମଧ୍ୟ ଊଣା କରିନଥିଲେ । ଏହା ସତ୍ତ୍ୱେ ୧୮୦୩ରେ ଇଂରେଜମାନେ ତାଙ୍କ ସମୟରେ ଓଡ଼ିଶା ଅଧିକାର କରିନେଲେ, କାରଣ ଇଂରେଜ ସାମ୍ରାଜ୍ୟ ବିସ୍ତାର ଲାଗି ଏହା ଅତ୍ୟନ୍ତ ଆବଶ୍ୟକ ଥିଲା । ଅକ୍ଟୋବର ୧୮୦୩ରେ ଯେତେବେଳେ ଇଂରେଜସେନା କଟକ ଅଧିକାର କଲେ, ସେତେବେଳେ ସଦାଶିବ ରାଓ ଓଡ଼ିଶାରେ ନଥିଲେ । ତାଙ୍କ ପ୍ରତିନିଧି ଏକଜୀ ସୁଖଦେଓଙ୍କ ପ୍ରତିରୋଧରେ ବିଶେଷ ଶକ୍ତି ନଥିଲା । ରାଜସ୍ୱ ଅସୁଲି ଉପରେ ମରାଠାମାନେ ଅଧିକ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶାର ସାମନ୍ତ ରାଜା ଓ ଜମିଦାରମାନଙ୍କର ମଧ୍ୟ ସେମାନଙ୍କ ପ୍ରତି କୌଣସି ସମର୍ଥନ ନଥିଲା । ଫଳସ୍ୱରୂପ ଇଂରେଜମାନେ ଓଡ଼ିଶା ଅଧିକାର ବେଳେ କେତେକ ରାଜା- ଜମିଦାରଙ୍କ ସହଯୋଗ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ଅଧିକାର କରିବାନିମିତ୍ତ ସେମାନଙ୍କୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ିନଥିଲା । ୧୭୫୭ର ପଲାସୀ ବିଜୟ ପରେ ଇଂରେଜମାନଙ୍କର ସମଗ୍ର ଭାରତବର୍ଷକୁ ଅଧିକାର କରିନେବା ଲାଗି ମହାତ୍ତ୍ୱାକାଂକ୍ଷା ଯେତେ ମାତ୍ରାରେ ବୃଦ୍ଧି ପାଇଥିଲା, ତହିଁରେ ଓଡ଼ିଶା ଭଳି କ୍ଷେତ୍ରଗୁଡ଼ିକର ଇଂରେଜ ସାମ୍ରାଜ୍ୟରେ ସାମିଲ ହେବା ଏକ ତାର୍କିକ ପରିଣାମ ସଦୃଶ ଥିଲା ।

ମରାଠା ପ୍ରାଶାସନିକ ବ୍ୟବସ୍ଥା

ଦୀର୍ଘ ଅର୍ଦ୍ଧଶତାବ୍ଦୀର ଶାସନ (୧୭୫୧-୧୮୦୩) କାଳ ମଧ୍ୟରେ ନାଗପୁରର ଭୋଁସଲେ ରାଜା ଓଡ଼ିଶାରେ ଯେଉଁ ପ୍ରାଶାସନିକ ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ, ତାକୁ ମରାଠା ବା ମରହଟ୍ଟା ପ୍ରଶାସନ ବୋଲି ନାମିତ କରାଯାଇଥାଏ । ବିଭିନ୍ନ ସୂତ୍ରରୁ ରାଜସ୍ୱ ଆଦାୟ ଥିଲା ତତ୍‍କାଳୀନ ପ୍ରଶାସନର ପ୍ରମୁଖ ଉଦ୍ଦେଶ୍ୟ । ଏହା କେବଳ ଭୋଁସଲେ ରାଜା କାହିଁକି, ଅନ୍ୟ ଭାରତୀୟ ରାଜାମାନଙ୍କ ଶାସନରେ ମଧ୍ୟ ପରିଲକ୍ଷିତ ହେଉଥିଲା । ଅଷ୍ଟାଦଶ ଶତାବ୍ଦୀରେ ରାଜାମାନେ{{right|ଓଡ଼ିଶା ଇତିହାସ . ୧୩୭