ପୃଷ୍ଠା:Odisha Itihasa.pdf/୧୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୁଏତ ବିଦେଶୀ ପ୍ରରୋଚନାରେ ପଡ଼ି ଆପୋସରେ କଳହ କରୁଥିଲେ ଅଥବା ବିଦେଶୀ (ଇଂରେଜ ଓ ଫରାସୀ) ଶକ୍ତିର ମୁକାବିଲା କରିବାକୁ ବାଧ୍ୟ ହେଉଥିଲେ । ଅର୍ଥାତ୍‍ ସେମାନେ ଅଧିକରୁ ଅଧିକ ମାତ୍ରାରେ ଯୁଦ୍ଧରେ ଜଡ଼ିତ ରହୁଥିବାରୁ ସର୍ବଦା ଅର୍ଥର ଆବଶ୍ୟକତା ରହୁଥିଲା । ତାହା ପାଇଁ ପ୍ରମୁଖ ଉତ୍ସ ଥିଲା ଚାଷ ଜମିରୁ ଆଦାୟ ହେଉଥିବା ଜମିକର । ଏହା ବାହାରେ ବି ରାଜସ୍ୱର ଅନ୍ୟ ଉତ୍ସ ଯଥା: ବାଣିଜ୍ୟ କର, ଯାତ୍ରୀ କର, ପଥ କର, ଲୁଣ କର ଆଦିକୁ ପ୍ରଶାସନ ହାତଛଡ଼ା କରିବାକୁ ଚାହୁଁ ନଥିଲା । ଶାନ୍ତି ଶୃଙ୍ଖଳା ବ୍ୟାହତ ହେଲେ କର ଆଦାୟର ପଥ ସୁଗମ ହୋଇ ପାରିବ ନାହିଁ । ତେଣୁ ପ୍ରଶାସନ ଅଧିକାରୀ ଓ କର୍ମଚାରୀଗଣ ରାଜସ୍ୱ ଆଦାୟ ସହିତ ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଯତ୍ନ ନେଉଥିଲେ । ରାସ୍ତାଘାଟର ସୁବିଧା ଓ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପଛରେ ମଧ୍ୟ ରାଜସ୍ୱ ପ୍ରଶ୍ନକୁ ଦେଖିହେବ । ଅନ୍ୟଥା ତୀର୍ଥଯାତ୍ରୀ ସଂଖ୍ୟା ଓ ତହିଁରୁ ମିଳୁଥିବା ତୀର୍ଥଯାତ୍ରୀ କର ବୃଦ୍ଧି ହୋଇ ନପାରେ । ଏହା ସତ୍ତ୍ୱେ ଜନସାଧାରଣ ସର୍ବଦା ମାତ୍ରାଧିକ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ ବୋଲି କୁହାଯାଇ ପାରିବ ନାହିଁ । କାରଣ ଲୋକଙ୍କ ଆର୍ଥିକ ସମ୍ପନ୍ନତା ଓ ସାଧାରଣ ସୁରକ୍ଷା ବିନା କର ଆଦାୟ ପ୍ରକ୍ରିୟା ସୁଗମ ହୋଇ ପାରିବ ନାହିଁ । ଅତ୍ୟାଚାର ବା କରଭାର ଅସହ୍ୟ ହେଲେ ପ୍ରଜା ରାଜ୍ୟ ଛାଡ଼ି ପଳାୟନ କରୁଥିଲେ । ଫଳରେ ରାଜ୍ୟର ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ରହୁଥିଲା । ଏହି ସାଧାରଣ ସ୍ଥିତି ବାହାରେ କେତେକ ରାଜା ଓ ରାଜାଧିକାରୀ ଅଧିକ ସ୍ୱେଚ୍ଛାଚାରୀ, ଅତ୍ୟାଚାରୀ ଓ ଶୋଷଣକାରୀ ହେବାର ନଜିର ଯେମିତି ରହିଥିଲା, ସେମିତି କେତେକ ରାଜାଙ୍କ ଦୟାଶୀଳତା, ଲୋକପ୍ରିୟତା ଓ ମାନବିକତାର ଉଦାହରଣ ମଧ୍ୟ ରହିଥିଲା । ଓଡ଼ିଶାରେ ମୋଗଲ ପ୍ରଶାସନ ଓ ତା'ର ଉତ୍ତରାଧିକାରୀ ରୂପେ ଉତ୍‍ଥାନ ଲାଭ କରିଥିବା ମରହଟ୍ଟା ପ୍ରଶାସନକୁ ମଧ୍ୟ ସେହି ପରିପ୍ରେକ୍ଷୀରେ ଦେଖିହେବ ।

ମୋଗଲ ଶାସନ ସମୟରେ ରହିଥିବା ବ୍ୟବସ୍ଥାକୁ ଓଡ଼ିଶାରେ ମରହଟ୍ଟାମାନେ ବିଶେଷ ପରିବର୍ତ୍ତନ କରି ନଥିଲେ, କାରଣ ମୋଗଲମାନେ ମଧ୍ୟ ରାଜସ୍ୱ ଆଦାୟ ପ୍ରଣାଳୀକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଶାସନକୁ ପରିଚାଳନା କରିଥିଲେ । ମୋଟ ଓଡ଼ିଶା ପ୍ରଦେଶକୁ ମୋଗଲମାନେ ଦୁଇ ଭାଗରେ ବିଭକ୍ତ କରିଥିଲେ । ମୋଗଲବନ୍ଦି ଓ ଗଡ଼ଜାତ । ଏହା ମରହଟ୍ଟା ସମୟରେ ଏବଂ ପରେ ଇଂରେଜ ଅମଳରେ ମଧ୍ୟ ଅବ୍ୟାହତ ରହିଲା । ଗଡ଼ଜାତ ଗମନାଗମନ ଦୃଷ୍ଟିରୁ ଦୁର୍ଗମ ଥିଲା ଏବଂ ସେଠାରେ ରାଜା ଆଭ୍ୟନ୍ତରୀଣ ପ୍ରଶାସନ ପରିଚାଳନା ଓ ରାଜସ୍ୱ ଆଦାୟ କରୁଥିଲେ । ମରହଟ୍ଟାମାନେ ତାଙ୍କଠାରୁ ବାର୍ଷିକ ଦେୟ ଅସୁଲ କରୁଥିଲେ । ଦେୟ ଦେଲା ପରେ ଗଡ଼ଜାତ ରାଜା ପ୍ରାୟତଃ ସ୍ୱାଧୀନ ଭାବେ ନିଜ ରାଜ୍ୟରେ ରାଜତ୍ୱ କରୁଥିଲେ । ତାଙ୍କର ଅନ୍ୟ ଗଡ଼ଜାତ ସହ କଳହ ହେଲେ କିମ୍ବା ମୋଗଲବନ୍ଦି ପ୍ରଜାଙ୍କ ସହ ସମସ୍ୟା ଉପୁଜିଲେ ମରହଟ୍ଟାମାନେ ହସ୍ତକ୍ଷେପ କରୁଥିଲେ । ଗଡ଼ଜାତ ରାଜା ଓ ପ୍ରଜାଙ୍କ ମଧ୍ୟରେ କିମ୍ବା ଗଡ଼ଜାତ ପ୍ରଜାମାନଙ୍କ ଭିତରେ ଉପୁଜୁଥିବା ପାରସ୍ପରିକ ବିବାଦରେ ସଂଭବତଃ କୌଣସି ପ୍ରକାରର ମରହଟ୍ଟା ହସ୍ତକ୍ଷେପ ରହୁଥିଲା । ବହିଃ ଶତ୍ରୁ ଆକ୍ରମଣ ବେଳେ ଗଡ଼ଜାତମାନେ ଭୋଁସଲେ ରାଜାଙ୍କଠାରୁ ସାମରିକ ସହଯୋଗ ଲାଭ୧୩୮ . ଓଡ଼ିଶା ଇତିହାସ