ପୃଷ୍ଠା:Odisha Itihasa.pdf/୧୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟ ରହିଥିଲା । ସମସ୍ତ ଖର୍ଚ୍ଚ ବାଦ୍‍ ଦେଲା ପରେ ସୁବାଦାର ଓଡ଼ିଶାରୁ ବାର୍ଷିକ ଚାରି ଲକ୍ଷ ଟଙ୍କା ଭୂ-ରାଜସ୍ୱ ନାଗପୁରକୁ ପଠାଉଥିବାର ଉଦାହରଣ ରହିଛି । ଭୂ-ରାଜସ୍ୱ ବ୍ୟତୀତ ଯାତ୍ରୀ କର, ବାଣିଜ୍ୟ କର, ଲୁଣ କର ଓ ହାଟବଜାରର ନିଲାମ ଆଦିରୁ ମଧ୍ୟ ରାଜକୋଷକୁ ଅର୍ଥ ଯାଉଥିଲା । କେବଳ ଯାତ୍ରୀ କର ବାବଦକୁ ପୁରୀରୁ ବାର୍ଷିକ ଦୁଇରୁ ପାଞ୍ଚ ଲକ୍ଷ ଟଙ୍କା ଆଦାୟ ହେଉଥିଲା । ରାଜ୍ୟରେ ଅନେକ ଲୁଣ ଆରଙ୍ଗ ବା ପ୍ରସ୍ତୁତି କେନ୍ଦ୍ର ଥିଲା । ତହିଁରୁ ରାଜ୍ୟକୁ କିଛି ରାଜସ୍ୱ ମିଳୁଥିଲା । ଉଦାହରଣ ସ୍ୱରୂପ, କେବଳ ଚିଲିକା ଲୁଣ ଆରଙ୍ଗରୁ ରାଜ୍ୟ ବାର୍ଷିକ ୪୫୦୦ଟଙ୍କା ଆଦାୟ କରୁଥିଲା । ବାରମ୍ବାର ଯୁଦ୍ଧରେ ଜଡ଼ିତ ହୋଇ ଭୋଁସଲେ ରାଜାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ତେଣୁ ସୁବାଦାରମାନଙ୍କୁ ଧାର୍ଯ୍ୟମତେ ଖଜଣା ଅସୁଲ କରିବାକୁ ରାଜା ବାଧ୍ୟ କରୁଥିଲେ । ଏହା ସତ୍ତ୍ୱେ ରାଜାଙ୍କ ଆର୍ଥିକ ଅବସ୍ଥା ଭଲ ରହୁ ନଥିବାରୁ ମରାଠାମାନେ ନିଜ ପ୍ରଜାଙ୍କୁ ଲୁଣ୍ଠନ ମଧ୍ୟ କରୁଥିଲେ ।

ମରହଟ୍ଟା ଶାସନ ସମୟରେ ରାଜଧାନୀ କଟକ ବାହାରେ ବାଲେଶ୍ୱର, ସୋରୋ, ପଦ୍ମପୁର, ଯାଜପୁର, ନରସିଂହପୁର, ରାମଚନ୍ଦ୍ରପୁର, ମୟୂରଭଞ୍ଜ ଆଦି ସ୍ଥାନରେ ସେନା ଛାଉଣିମାନ ରହିଥିଲା । ନିୟମିତ ଅଶ୍ୱାରୋହୀଙ୍କ ସଂଖ୍ୟା ପ୍ରାୟ ୨୦୦ ଥିଲା । ପଦାତିକ ସୈନ୍ୟଙ୍କ ସଂଖ୍ୟା ଖୁବ୍‍ ଅଧିକ ଥିଲା । ସାମରିକ ଦୃଷ୍ଟିରୁ ମରାଠାମାନେ ଖୁବ୍‍ ବଳଶାଳୀ ନଥିଲେ । ଗରିଲା ଯୁଦ୍ଧରେ ସେମାନେ ପାରଙ୍ଗମ ଥିଲେ । ମାତ୍ର ମରାଠା ରାଜ୍ୟ ପ୍ରତିଷ୍ଠା ପରେ ଗରିଲା ବାହିନୀର ବିଶେଷ ଆବଶ୍ୟକତା ନଥିଲା । ଇଂରେଜ ତୁଳନାରେ ମରାଠା ସେନାର ପାରମ୍ପରିକ ଯୁଦ୍ଧ ପ୍ରଣାଳୀ ଖୁବ୍‍ ନଗଣ୍ୟ ଥିଲା । ଏହି କାରଣରୁ ଇଂରେଜ ଶକ୍ତି ହାତରେ ସେମାନେ ପରାଜିତ ହେବା ଆଦୌ ଆଶ୍ଚର୍ଯ୍ୟଜନକ ନଥିଲା ।

କଟକ ବାରବାଟୀ ଦୁର୍ଗର ସୁରକ୍ଷା ଦାୟିତ୍ୱ ଜଣେ କିଲାଦାର୍‍ଙ୍କ ହାତରେ ନ୍ୟସ୍ତ ଥିଲା । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଆଇନର ସୁରକ୍ଷାପାଇଁ ଫୌଜଦାରମାନେ ନିଯୁକ୍ତ ହୋଇଥିଲେ । ସ୍ଥାନୀୟ ସ୍ତରରେ ଆଇନ୍‍ କାନୁନ, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଉଭୟ ଦେବାନୀ ଓ ଫୌଜଦାରୀ ମାମଲାଗୁଡ଼ିକର ବିଚାର ଦାୟିତ୍ୱ ସେମାନଙ୍କ ହାତରେ ରହିଥିଲା । ଫୌଜଦାରକୁ ସହାୟତା କରିବାପାଇଁ ଜମିଦାରମାନେ ରହିଥିଲେ । ସେମାନଙ୍କ ପଦବୀ ପୁରୁଷାନୁକ୍ରମିକ ଥିଲା । ପ୍ରଜାଙ୍କଠାରୁ ଖଜଣା ଆଦାୟ କରିବା, ଜମିଦାରୀରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ତଥା ଉଭୟ ଦେବାନୀ ଓ ଫୌଜଦାରୀ ମାମଲାର ବିଚାର କରିବା ମଧ୍ୟ ସେମାନଙ୍କ ଦାୟିତ୍ୱରେ ଥିଲା । ଫୌଜଦାର ଏବଂ ସର୍ବୋପରି ସୁବାଦାରଙ୍କଠାରେ ସେମାନେ ଉତ୍ତରଦାୟୀ ଥିଲେ । ଭୋଁସଲେ ରାଜା ସବୁ ମାମଲାରେ ସୁବାଦାରଙ୍କର ସର୍ବୋଚ୍ଚ ଅଧିକାରୀ ଥିଲେ ।

ମରହଟ୍ଟା ପ୍ରଶାସନରେ ନ୍ୟାୟିକ ବ୍ୟବସ୍ଥା ଖୁବ୍‍ ସରଳ ଥିଲା । ମୋଗଲ ସମୟରେ ପ୍ରଚଳିତ ଥିବା କାଜି ଓ ସାରିୟତ୍‍ ବିଧି ବ୍ୟବସ୍ଥାକୁ ମରହଟ୍ଟାମାନେ ପ୍ରୋତ୍ସାହିତ କରି ନଥିଲେ । ଗ୍ରାମ ସ୍ତରରେ ପଞ୍ଚାୟତଗୁଡ଼ିକ ସବୁ ମାମଲାର ସମାଧାନ କରୁଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ମାମଲାର ବିଚାର ହେଉଥିଲା । ତା'ପାଇଁ ଅଧିକ ସମୟ ବା ଖର୍ଚ୍ଚର ଆବଶ୍ୟକତା ପଡୁଥିଲା ।୧୪୦ . ଓଡ଼ିଶା ଇତିହାସ