ପୃଷ୍ଠା:Odisha Itihasa.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲାଗି ଭାର ଉତ୍ତୋଳନ ଆଦି କରାଯାଉଥିଲା । ଗଡ଼ମାନଙ୍କରେ ବ୍ୟାୟାମକୁ ଖୁବ୍‍ ପ୍ରୋତ୍ସାହିତ କରାଯାଉଥିଲା । ଯୁଦ୍ଧରେ ଯୋଗ ଦେଉଥିବା ସୈନିକପାଇଁ ବ୍ୟାୟାମ ଏକ ପ୍ରକାରର ପ୍ରଶିକ୍ଷଣ ଥିଲା । ଅବସର ବିନୋଦନପାଇଁ ତାସ୍‍ ଖେଳର ପ୍ରଚଳନ ଥିଲା । ବାଳିକାମାନଙ୍କ ମଧ୍ୟରେ କଉଡ଼ି ଖେଳର ପ୍ରସାର ରହିଥିଲା । ମୋଗଲ ସମୟରେ ସରକାରୀ ନଥିପତ୍ରରେ ପାର୍ସୀ ଭାଷାର ବ୍ୟବହାର ହେଉଥିଲା । ମରାଠାମାନେ ପାର୍ସୀ ସହିତ ମରାଠୀ ଭାଷାକୁ ମଧ୍ୟ ସରକାରୀ ଭାଷା ଭାବରେ ବ୍ୟବହାର କଲେ । କିଛି ପୁସ୍ତକ ଓଡ଼ିଆ ଭାଷାରେ ମଧ୍ୟ ଲେଖାଯାଇଥିଲା । ମରହଟ୍ଟାମାନେ ସରକାରୀ ସ୍ତରରେ କାଗଜ ବ୍ୟବହାର କରୁଥିଲେ । ବୌଦ୍ଧିକ ଲୋକ କାଗଜ ସ୍ଥାନରେ ତାଳପତ୍ରର ବ୍ୟବହାର କରୁଥିଲେ । ତାଳପତ୍ରରେ ଲିଖିତ ପାଠ ଦୀର୍ଘସ୍ଥାୟୀ ହେବ ବୋଲି ଆଶା କରାଯାଉଥିଲା । ଉଚ୍ଚ ଜାତିର ଲୋକେ କାଗଜର ଲେଖା କାର୍ଯ୍ୟକୁ ଅଶୁଦ୍ଧ ବୋଲି ମନେ କରୁଥିଲେ । ବୌଦ୍ଧିକ ଭାଷା ରୂପେ ସଂସ୍କୃତର ଆଦର ଅଷ୍ଟାଦଶ ଶତାବ୍ଦୀରେ ମଧ୍ୟ ଊଣା ହୋଇ ନଥିଲା ।

ଅଷ୍ଟାଦଶ ଶତାବ୍ଦୀରେ ଉଭୟ ସଂସ୍କୃତ ଓ ଓଡ଼ିଆରେ ଅନେକ କାବ୍ୟ କବିତା ରଚିତ ହୋଇଥିଲା । ଗଡ଼ଜାତ ରାଜାମାନେ କବି ଓ ଲେଖକମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ସାହିତ୍ୟ ଓ ସଂସ୍କୃତି ପ୍ରତି ନିଜର ଅନୁରାଗ ପ୍ରଦର୍ଶନ କରୁଥିଲେ । ଚଇନି ଚନ୍ଦ୍ରଶେଖର ରାଜଗୁରୁଙ୍କ 'ନୈଷଧୀୟ ମହାକାବ୍ୟମ୍‍' ଓ 'ଊଷାନିରୁଦ୍ଧ ନାଟକମ୍‍', ରାଜଗୁରୁ ବାସୁଦେବ ରଥ ସମାଜୀଙ୍କର 'ଗଙ୍ଗବଂଶାନୁଚରିତମ୍‍', ମହାମହୋପାଧ୍ୟାୟ ନରହରି ପଣ୍ଡାଙ୍କର 'ମୃଚ୍ଛକଟିକମ୍‍' ଓ 'ମେଘଦୂତମ୍‍', କବିବର ନୀଳକଣ୍ଠ ମିଶ୍ରଙ୍କର 'ବ୍ରଜଯୁବ ବିଳାସ' ଓ 'ଭାଗବତ ଲୀଳା ଚିନ୍ତାମଣି' ଆଦି ଏହି ସମୟର କେତୋଟି ପ୍ରମୁଖ କାବ୍ୟ । 'ମୃଚ୍ଛକଟିକମ୍‍' ଓ 'ମେଘଦୂତମ୍‍' ଆଦି ରଚନାକୁ ଲେଖକ ପୁନଃରଚନା କରି ତହିଁରେ ନିଜ ସୃଜନଶୀଳତାର ନିଦର୍ଶନ ଦେଇଥିଲେ । ଅନ୍ୟ କାବ୍ୟଗୁଡ଼ିକ ମଧ୍ୟ ପୌରାଣିକ କାହାଣୀର ଅବଲମ୍ବନରେ ଲିଖିତ ହୋଇଥିଲା । ସାମାଜିକ ପ୍ରସଙ୍ଗଗୁଡ଼ିକ ଉପରେ କାବ୍ୟ-କବିତା ରଚନାର ବିଶେଷ ପରମ୍ପରା ସଂସ୍କୃତରେ ପ୍ରାୟ ନଥିଲା । ଗୋବିନ୍ଦ ବଳବନ୍ତରାୟଙ୍କ 'ସୁସୁବର୍ଣ୍ଣମ୍‍' ଓ ବ୍ରଜସୁନ୍ଦର ପଟ୍ଟନାୟକଙ୍କ 'ସୁଲୋଚନା ମାଧବ କାବ୍ୟ' ମଧ୍ୟ ସେ ସମୟର ଦୁଇଟି ପ୍ରମୁଖ ଗ୍ରନ୍ଥ ।

ଓଡ଼ିଆ ସାହିତ୍ୟରେ ଏହି ସମୟରେ ବ୍ରଜନାଥ ବଡ଼ଜେନାଙ୍କ 'ସମର ତରଙ୍ଗ' ଓ 'ଚତୁର ବିନୋଦ', ଶ୍ରୀଧର ଦାସଙ୍କ 'ହିତୋପଦେଶ'ର ଓଡ଼ିଆ ଅନୁବାଦ, ପୁରୁଷୋତ୍ତମ ଦାସଙ୍କ 'କାଞ୍ଚି କାବେରୀ' ମଧ୍ୟ ଖୁବ୍‍ ଚର୍ଚ୍ଚିତ ଥିଲା । ଓଡ଼ିଆରେ ସଂସ୍କୃତରୁ ବିଭିନ୍ନ ଗ୍ରନ୍ଥର ଅନୁବାଦ ମଧ୍ୟ ଏହି ସମୟରେ ହୋଇଥିଲା । ଅନୁବାଦକଙ୍କ ମଧ୍ୟରେ କାଶ୍ମୀର ସିଂ, କବି ଗୋପାଳ, ଜୟସିଂହ, ମଧୁସୂଦନ ଜଗଦ୍ଦେବ, ବଳଭଦ୍ର ମଙ୍ଗରାଜ, ଦୀନବନ୍ଧୁ ଖାଡ଼ଙ୍ଗା ଓ କେଶବ ଚନ୍ଦ୍ର ପଟ୍ଟନାୟକ ଅଷ୍ଟାଦଶ ଶତାବ୍ଦୀର କେତେ ଜଣ ଚର୍ଚ୍ଚିତ ଲେଖକ ଓ କବି । ଏହା ବ୍ୟତୀତ 'ଦାର୍ଢ଼୍ୟତା ଭକ୍ତି'ର ରଚୟିତା ରାମ ଦାସ, 'ବୈଦେହୀଶ ବିଳାସ' ଆଦି ଅନେକ କାବ୍ୟର କବି ଉପେନ୍ଦ୍ର ଭଞ୍ଜ, ଧରାକୋଟର ରାଜା କୃଷ୍ଣ ସିଂହ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଓ 'ପ୍ରେମଚିନ୍ତାମଣି'ର କବି ଅଭିମନ୍ୟୁ{{right|ଓଡ଼ିଶା ଇତିହାସ . ୧୪୫