ପୃଷ୍ଠା:Odisha Itihasa.pdf/୧୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାମନ୍ତସିଂହାର ଆଦି ଅନେକ ରସୋତ୍ତୀର୍ଣ୍ଣ ରଚନା ଛାଡ଼ି ଯାଇଛନ୍ତି । ଅଷ୍ଟାଦଶ ଶତାବ୍ଦୀର ବୌଦ୍ଧିକ ପରମ୍ପରାରେ ସଂସ୍କୃତର ମଧ୍ୟ ବହୁତ ଆଦର ଥିଲା । ମାତ୍ର ଏହି କବିମାନେ ଓଡ଼ିଆରେ ଲେଖି ଦୁଃସାହସର ପରିଚୟ ଦେଇଥିଲେ । ବିଶେଷକରି ଅବ୍ରାହ୍ମଣ ସଂପ୍ରଦାୟର ସର୍ଜନାକାରମାନେ ଏହି ସମୟରେ ଆଞ୍ଚଳିକ ଓଡ଼ିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଜଣାଯାଏ । ସଂସ୍କୃତର ବିକଳ୍ପ ଭାଷା ରୂପେ ଓଡ଼ିଆକୁ ସ୍ଥାପିତ କଲାବେଳେ ସେମାନେ ଦମ୍ଭ ଦେଖାଇବାକୁ ମଧ୍ୟ ଆଦୌ ହେଳା କରୁ ନଥିଲେ । ଉଦାହରଣ ସ୍ୱରୂପ, ତତ୍‍କାଳୀନ କବି ଉପେନ୍ଦ୍ର ଭଞ୍ଜ ନିଜକୁ 'କବିକୁଳ ଚନ୍ଦ୍ର' ବୋଲି କହୁଥିଲେ । ଏହା ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷାପାଇଁ ଉଦ୍ଦିଷ୍ଟ ଥିଲା । ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ବା ମରାଠା ପ୍ରଶାସନ ଶିକ୍ଷାର ପ୍ରସାରକୁ ନିଜ ଦାୟିତ୍ୱ ଭାବରେ ଗ୍ରହଣ କରି ନଥିଲା । ଧର୍ମାନୁଷ୍ଠାନମାନଙ୍କର ପାରମ୍ପରିକ ଶିକ୍ଷାକେନ୍ଦ୍ରମାନ ରହିଥିଲା । ଗ୍ରାମାଞ୍ଚଳରେ ଲୋକେ ନିଜ ଉଦ୍ୟମରେ 'ଚାଟଶାଳୀ' ଶିକ୍ଷାକୁ ପ୍ରୋତ୍ସାହିତ କରୁଥିଲେ । ଶିକ୍ଷା ବିଶେଷ ଖର୍ଚ୍ଚବହୁଳ ନଥିଲା । ଉଦାହରଣ ସ୍ୱରୂପ, ବିଦ୍ୟାଳୟ ନାମରେ ଘର ନଥିଲା । ସଂଭ୍ରାନ୍ତ ବ୍ୟକ୍ତିଙ୍କ ଘରେ ବା ଅଗଣାରେ ଶିକ୍ଷା ଦାନ ହେଉଥିଲା । ଧନିକ ବର୍ଗର ଲୋକେ ଘରୋଇ ଶିକ୍ଷକ ନିଯୁକ୍ତ କରୁଥିଲେ । ନାରୀ ଶିକ୍ଷାପାଇଁ କୌଣସି ବ୍ୟବସ୍ଥା ନଥିଲା । 'ତଳ' ଜାତିର ଲୋକଙ୍କ ସନ୍ତାନ ମଧ୍ୟ ଶିକ୍ଷାରୁ ବଂଚିତ ଥିଲେ ।

ମରହଟ୍ଟା ଶାସନର ଇତିକଥା ଅଷ୍ଟାଦଶ ଶତାବ୍ଦୀ ଶେଷ ହେବା ବେଳକୁ ଓଡ଼ିଶାରେ ମରହଟ୍ଟା ଶାସନର ମଧ୍ୟ ଅବସାନ ହେଲା ଏବଂ ତା' ସ୍ଥାନରେ ଇଂରେଜ ଶାସନ ଆରମ୍ଭ ହେଲା । ବ୍ରିଟିଶ୍‍ ସାମ୍ରାଜ୍ୟବାଦର ଉତ୍‍ଥାନ ହିଁ ମରାଠା ଶାସନର ଅନ୍ତର କାରଣ ହେଲା । ୧୮୦୩ରେ ମୋଗଲବନ୍ଦି ଓ ଗଡ଼ଜାତ ଓଡ଼ିଶାକୁ ଇଂରେଜମାନେ ଅଧିକାର କଲେ । ଏହାର କେତେ ବର୍ଷ ପୂର୍ବରୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ଅଧୀନରେ ଥିବା ଦକ୍ଷିଣ ଓଡ଼ିଶା ଉପରେ ଇଂରେଜ ଅଧିକାର ସାବ୍ୟସ୍ତ ହୋଇ ସାରିଥିଲା । ରାଜନୈତିକ ଅଧିକାର ଜାହିର୍‍ କରିବାର ବହୁ ପୂର୍ବରୁ ଇଂରେଜଶକ୍ତି ଓଡ଼ିଶାରେ ନିଜର ଉପସ୍ଥାନ ଘୋଷଣା କରିଥିଲେ । ଓଡ଼ିଶାରେ ରାଜନୈତିକ ଅଧିକାର ସାବ୍ୟସ୍ତ ହେବାର ବହୁ ପୂର୍ବରୁ ୧୬୩୩ରେ କଟକ ଜିଲ୍ଲାର ହରିହରପୁରଠାରେ ଏକ କାରଖାନା ଇଂରେଜମାନେ ସ୍ଥାପନ କରିଥିଲେ । ଏହା ପରେ ବାଲେଶ୍ୱର ଓ ପିପିଲିଠାରେ ମଧ୍ୟ ନଦୀ କୂଳରେ ସେମାନଙ୍କର କାରଖାନା ସ୍ଥାପିତ ହେଲା । ଏହି କାରଖାନା ବା 'ଫେକ୍‍ଟ୍ରି' ଗୁଡ଼ିକରେ କୌଣସି ଉତ୍ପାଦନ କାର୍ଯ୍ୟ ହେଉ ନଥିଲା । କେବଳ ନଦୀ କୂଳରେ ଏକ ଭଣ୍ଡାର ଘର ରୂପେ ଏହା କାର୍ଯ୍ୟ କରୁଥିଲାା 'ଫେକ୍‍ଟ୍ରି' ଅଂଚଳରେ ଇଂରେଜମାନେ ନିଜ ନୀତି ନିୟମ ପ୍ରଚଳନ କରୁଥିଲେ । ରାଜନୈତିକ ଶକ୍ତି ସ୍ଥାନୀୟ ସ୍ତରରେ ଦୁର୍ବଳ ହେବାରୁ ଫେକ୍ଟ୍ରିପାଇଁ ଇଂରେଜମାନେ ସ୍ଥାନୀୟ ଅଧିକାରୀଙ୍କୁ କର ସୁଦ୍ଧା ଦେବାକୁ ଇଚ୍ଛା କରୁ ନଥିଲେ । ଏହି ପ୍ରକ୍ରିୟାରେ ସେମାନେ ବହୁ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଥିଲେ ।୧୪୬ . ଓଡ଼ିଶା ଇତିହାସ