ପୃଷ୍ଠା:Odisha Itihasa.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସ୍ତ୍ରଶସ୍ତ୍ର ଓ ଉପକରଣ ନିର୍ମାଣ କରି କୃଷି ଉତ୍ପାଦନ ମଧ୍ୟ ଆରମ୍ଭ କଲା। ଏହା ତାକୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାୟୀ ଭାବରେ ରହିବାକୁ ଅବସର ପ୍ରଦାନ କଲା। ଏହି ସମୟରେ ମଣିଷ ତା'ର ପାରିପାର୍ଶ୍ୱିକ ପରିବେଶ, ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଉପରେ ଅଧିକ ପ୍ରଭାବ ବିସ୍ତାର କଲା। ଅନ୍ୟ ଶବ୍ଦରେ କହିଲେ, ନୂତନ ପ୍ରସ୍ତର ଯୁଗରେ ମଣିଷର ଜୀବନଶୈଳୀରେ ଏକ ଅଭୂତପୂର୍ବ ଭୌତିକ ଓ ସାମାଜିକ ପରିବର୍ତ୍ତନ ଦେଖାଗଲା।

ଓଡ଼ିଶାରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷଗୁଡିକରୁ ଅଧିକାଂଶ ନୂତନ ପ୍ରସ୍ତରଯୁଗୀୟ ବୋଲି ଅନୁମାନ କରାଯାଏ। ଉଦାହରଣ ସ୍ୱରୂପ, ମୟୂରଭଞ୍ଜ ଜିଲ୍ଲା ବଇଦିପୁରଠାରେ ମାଟିପାତ୍ର ଓ ଧାନର ନମୁନା ମିଳିଛି। ୧୯୬୧-୬୨ରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ବି.କେ. ଥାପରଙ୍କ ଉଦ୍ୟମରେ ବାରିପଦା ନିକଟସ୍ଥ କୁଚାଇଠାରେ ଖନନ କାର୍ଯ୍ୟ କରାଯାଇଥିଲା ଏବଂ ତହିଁରୁ ଲାଲମାଟି ପାତ୍ର ଓ କେତୋଟି ଚିକ୍କଣ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ଆବିଷ୍କୃତ ହୋଇଥିଲା। ଏଗୁଡ଼ିକ ନୂତନ ପ୍ରସ୍ତର ଯୁଗୀୟ ସଂସ୍କୃତିର ବୋଲି ଧାରଣା ସୃଷ୍ଟି ହୁଏ।

ଓଡ଼ିଶାରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗୀୟ ବିଭିନ୍ନ ଉପକରଣର ପ୍ରକାରଭେଦ, ଅବସ୍ଥିତି ଏବଂ ତହିଁରେ ବ୍ୟବହୃତ ପ୍ରସ୍ତରକୁ ଭିତ୍ତିକରି ଗବେଷକ ରବିନାରାୟଣ ଦାସ ସେଗୁଡିକୁ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆୟତାକାର କୁରାଢ଼ି; ଦ୍ୱିତୀୟ ପର୍ଯ୍ୟାୟରେ ଲମ୍ବାକୃତି ଖଣତି; ତୃତୀୟ ପର୍ଯ୍ୟାୟରେ ତ୍ରି‌ଭୁଜାକାର ଓ ଗୋଲାକୃତି ଖଣତି; ଚତୁର୍ଥ ପର୍ଯ୍ୟାୟରେ ଧାରବିହୀନ ଚତୁଷ୍କୋଣୀ ଖଣତି ଏବଂ ଶେଷ ପର୍ଯ୍ୟାୟରେ ସିଧା ଜ୍ୟାମିତିକ ତୀକ୍ଷ୍‌ଣ ଧାରଯୁକ୍ତ ଖଣତିର ତିଆରି ଓ ପ୍ରୟୋଗ ହେଉଥିଲା ବୋଲି ସେ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ନିକଟସ୍ଥ ସୁଲଭଡିହଠାରେ ନୂତନ ପ୍ରସ୍ତର ଯୁଗର କିଛି ଅସ୍ତ୍ରଶସ୍ତ୍ର ଆବିଷ୍କୃତ ହୋଇଛି। ଏହି ପ୍ରତ୍ନତାତ୍ତ୍ୱିକ ଖନନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଦୀପ କୁମାର ବେହେରାଙ୍କ ଉଦ୍ୟମରେ ସଂଘଟିତ ହୋଇଛି। ଆବିଷ୍କୃତ ଅସ୍ତ୍ରଶସ୍ତ୍ରଗୁଡିକ ମଧ୍ୟରେ ମୁଖ୍ୟ ହେଲା- କୁରାଢ଼ି, ନିହଣ ଓ ହାତୁଡ଼ି; ସେଗୁଡିକ କୃଷ୍ଣବର୍ଣ୍ଣର ଆଗ୍ନେୟଶିଳାରେ ନିର୍ମିତ। କୁରାଢ଼ିର ତୀକ୍ଷ୍‌ଣତାରୁ ଅନୁମାନ କରିହୁଏ ଯେ ଜମିକୁ ଚାଷୋପଯୋଗୀ କରିବାପାଇଁ ବା ଜଙ୍ଗଲ ସଫା କରିବା ପାଇଁ ଏହାର ବ୍ୟବହାର କରାଯାଉଥିଲା। ନୂତନ ପ୍ରସ୍ତର ଯୁଗୀୟ ସଂସ୍କୃତି ଓଡ଼ିଶାରେ ବିଶେଷ କରି ନଦୀ ଉପତ୍ୟକାଗୁଡ଼ିକରେ ଦେଖାଯାଏ।

ନୂତନ ପ୍ରସ୍ତର ଯୁଗ ପରବର୍ତ୍ତୀ କାଳରେ ମଣିଷ ତାମ୍ର-ପ୍ରସ୍ତର ଯୁଗରେ ଅବତୀର୍ଣ୍ଣ ହେଲା। ଏହି ଯୁଗର ବିଶେଷତ୍ୱ ହେଲା, ପାରମ୍ପରିକ ପ୍ରସ୍ତର ଉପକରଣ ବ୍ୟତୀତ ମଣିଷ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ନିର୍ମାଣପାଇଁ ଧାତୁର ବ୍ୟବହାର ଆରମ୍ଭ କଲା। ଆବିଷ୍କୃତ ଧାତୁ ମଧ୍ୟରେ ପ୍ରଧାନ ଥିଲା ତମ୍ବା। ଧାତୁ ବ୍ୟତୀତ ଚିତ୍ରିତ ମାଟି ପାତ୍ରର ବ୍ୟବହାର ମଧ୍ୟ ଏହି ସମୟରେ ଆରମ୍ଭ ହୋଇଥିଲା।

୧୯୫୦ରେ ଗବେଷକ ଏଚ୍.ଡି. ସଙ୍ଖାଲିଆ ପଶ୍ଚିମ ମହାରାଷ୍ଟ୍ରର ଜୋରେଓ୍ୱଠାରେ ତାମ୍ର-ପ୍ରସ୍ତର ଯୁଗୀୟ ଅବଶେଷମାନ ପ୍ରତ୍ନତାତ୍ତ୍ୱିକ ଖନନ ପ୍ରକ୍ରିୟାରେ ଆବିଷ୍କାର କରିଥିଲେ। କାର୍ବନ

ଓଡ଼ିଶା ଇତିହାସ . ୧୫