ପୃଷ୍ଠା:Odisha Itihasa.pdf/୧୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉତ୍ତର ଓଡ଼ିଶା ଦଖଲ

କଟକ, ପୁରୀ ଓ ବାଲେଶ୍ୱରର ସାମରିକ ମହତ୍ତ୍ୱଯୋଗୁଁ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓ୍ୱେଲେସ୍‍ଲି ଉତ୍ତର ଓଡ଼ିଶାକୁ ଅଧିକାର କରିବାଲାଗି ଯୋଜନା କଲେ । ଏହା ପୂର୍ବରୁ ଜେମ୍‍ସ୍‍ ରେନେଲ ଓ ବ୍ଲଣ୍ଟ ନାମକ ଦୁଇଜଣ ଇଂରେଜ ଅଧିକାରୀ ଉତ୍ତର ଓଡ଼ିଶାକୁ ସର୍ଭେ କରିଥିଲେ । ୧୭୬୬ରେ ଲଡର଼୍ କ୍ଲାଇବ୍‍ଙ୍କ ପରାମର୍ଶରେ ଟମାସ ମୋଟ (Thomas Motte)ନାମକ ଜଣେ କମ୍ପାନୀ କର୍ମଚାରୀଙ୍କୁ ସମ୍ବଲପୁର ପଠାଯାଇଥିଲା । ଉଦ୍ଦେଶ୍ୟ ଥିଲା, ହୀରା ବ୍ୟାପାରର ସମ୍ଭାବନାକୁ ପରଖିବା । କାରଣ ମହାନଦୀ ବାଲିରେ ସମ୍ବଲପୁର ନିକଟରେ ହୀରା ମିଳୁଥିବାର ସମାଚାର ଇଂରେଜମାନଙ୍କୁ ଜଣାଥିଲା । ଟମାସ ମୋଟ ନିଜ ଗସ୍ତ ସମୟରେ ମରହଟ୍ଟା ସୁବାଦାର ଭବାନୀ ପଣ୍ତିତଙ୍କ ସହ ସାକ୍ଷାତ୍‍ କରି ଉପରୋକ୍ତ ତିନୋଟି ଜିଲ୍ଲାକୁ କମ୍ପାନୀକୁ ବିକ୍ରୀ କରିଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସୁବାଦାର ଏହାକୁ ଅସ୍ୱୀକାର କଲେ । ପରେ ତିିନି ବର୍ଷର ଚୌଠ ଆଗତୁରା ପ୍ରଦାନ କରି ତିନିଟି ଜିଲ୍ଲାକୁ ମରାଠାମାନଙ୍କ ହାତରୁ ନେଇଯିବାକୁ ମଧ୍ୟ କମ୍ପାନୀ ପ୍ରସ୍ତାବ ଦେଇଥିଲା । ମାତ୍ର ଏଥିରେ ମଧ୍ୟ ଭୋଁସଲେ ରାଜା ସମ୍ମତ ହୋଇ ନଥିଲେ ।

୧୭୮୧ରେ ଏବଂ ଦ୍ୱିତୀୟ ଥର ୧୭୯୦ରେ ବଙ୍ଗରୁ ଇଂରେଜ ସେନା ଓଡ଼ିଶା ମଧ୍ୟ ଦେଇ ମାଡ଼୍ରାସ୍‍ ଯାଇଥିଲେ । ଏଥିପାଇଁ ଇଂରେଜମାନଙ୍କୁ ଭୋଁସଲେ ରାଜାଙ୍କଠାରୁ ଆବଶ୍ୟକୀୟ ଅନୁମତି ସାଙ୍ଗକୁ ଅନେକ ଟଙ୍କା ମଧ୍ୟ ଦେବାକୁ ପଡ଼ିଥିଲା । ଉଦାହରଣ ସ୍ୱରୂପ, ୧୭୮୧ରେ ମୁଧୋଜୀ ଭୋଁସଲେ ଅନୁମତି ଦେବା ସକାଶେ ତେର ଲକ୍ଷ ଟଙ୍କା ଚୌଠ ଓ ୧୦ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ । ଇଂରେଜମାନଙ୍କପାଇଁ ଏହି ମୂଲ୍ୟ ଅପବ୍ୟୟ ଥିଲା । କିନ୍ତୁ ଭୋଁସଲେ ରାଜାଙ୍କ ମତରେ ଏହା ଥିଲା ଯୁକ୍ତିଯୁକ୍ତ, କାରଣ ଇଂରେଜଙ୍କ ପୂର୍ବରୁ ବଙ୍ଗର ନବାବ ନିୟମିତ ମରାଠାମାନଙ୍କୁ ଚୌଠ କର ପ୍ରଦାନ କରୁଥିଲେ । ଏଭଳି ଅପବ୍ୟୟ ରୋକିବାକୁ ଉତ୍ତର ଓଡ଼ିଶା ଦଖଲ ଇଂରେଜମାନଙ୍କପାଇଁ ଆବଶ୍ୟକ ହୋଇପଡ଼ିଲା ।

୧୮୦୨ରେ ମରହଟ୍ଟାମାନଙ୍କର ନାମମାତ୍ର ପେଶବା ଦ୍ୱିତୀୟ ବାଜିରାଓ ଅନ୍ୟ ଏକ ମରାଠା ଶକ୍ତି ଇନ୍ଦୋରର ହୋଲ୍‍କାରଙ୍କ ହାତରେ ପରାସ୍ତ ହୋଇ ଇଂରେଜମାନଙ୍କର ଶରଣାପନ୍ନ ହେଲେ । ଇଂରେଜଙ୍କ ଚାପରେ ତାଙ୍କୁ ସାମନ୍ତସନ୍ଧିରେ ସ୍ୱାକ୍ଷର କରିବାକୁ ପଡ଼ିଲା । ଫଳରେ ପେଶବା ଇଂରେଜଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରିବା ସହିତ ସେମାନଙ୍କର ସାମନ୍ତ ହେବାକୁ ସମ୍ମତ ହେଲେ । ମାତ୍ର ଗ୍ୱାଲିଅରର ସିନ୍ଧିଆ ଓ ନାଗପୁରର ଭୋଁସଲେ ସାମନ୍ତସନ୍ଧିକୁ ଗ୍ରହଣ ନ କରିବାରୁ ଯୁଦ୍ଧକରିି ସେମାନଙ୍କୁ ପରାସ୍ତ କରାଗଲା ।

୧୮୦୩ ଅଗଷ୍ଟ ୩ ତାରିଖରେ ଇଂରେଜ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓ୍ୱେଲେସ୍‍ଲି ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଓଡ଼ିଶାକୁ ସୈନ୍ୟ ପ୍ରେରଣ କରିବା ପୂର୍ବରୁ ପୁରୀର ପଣ୍ତା, ଜଗନ୍ନାଥ ମନ୍ଦିର ଓ ତୀର୍ଥଯାତ୍ରୀମାନଙ୍କୁ ଯଥୋଚିତ ସମ୍ମାନ ଦେବେ ବୋଲି ଇଂରେଜ ବାହିନୀର ମୁଖ୍ୟ ଲେଫ୍‍ଟନାଣ୍ଟ କର୍ଣ୍ଣେଲ୍‍ କ୍ୟାମ୍ପବେଲ୍‍ ସନ୍ଦେଶ ପଠାଇଲେ । ଇଂରେଜମାନଙ୍କ ଏହି ପ୍ରତିଶ୍ରୁତି ପୁରୀର ପଣ୍ତାମାନଙ୍କୁ ପ୍ରଲୋଭିତ କଲା । ଇଂରେଜମାନଙ୍କ ଉତ୍‍ଥାନ ଓ ମରାଠା୧୫୦ . ଓଡ଼ିଶା ଇତିହାସ