ପୃଷ୍ଠା:Odisha Itihasa.pdf/୧୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶକ୍ତିର ପତନକୁ ଅନୁମାନ କରି ସେମାନଙ୍କୁ ବିରୋଧ ନ କରିବାକୁ ପଣ୍ତାମାନେ ସ୍ଥିର କଲେ ଏବଂ ଗଡ଼ଜାତମାନଙ୍କୁ ପତ୍ର ଲେଖି ଜଣାଇଦେଲେ ଯେ, ଇଂରେଜ ରାଜତ୍ୱରେ ଜଗନ୍ନାଥ ଆନନ୍ଦରେ ରହିବେ । ଓ୍ୱେଲେସ୍‍ଲି ମଧ୍ୟ ଗଡ଼ଜାତମାନଙ୍କୁ ଜଣାଇଲେ ଯେ, ମରାଠା ଅତ୍ୟାଚାରରୁ ଲୋକଙ୍କୁ ରକ୍ଷା କରିବାପାଇଁ ସେମାନେ ଓଡ଼ିଶା ଦଖଲ କରିବାକୁ ଚାହାନ୍ତି । ଓଡ଼ିଶାରେ ଇଂରେଜ ସେନା ପ୍ରବେଶ କରିବାର ଅବ୍ୟବହିତ ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖ ଦିନ ଜଣେ ବଙ୍ଗୀୟ ପଣ୍ତିତ ପୁରୀ ମନ୍ଦିରର ପୂଜକଙ୍କ ପାଖକୁ ଇଂରେଜମାନଙ୍କ ଧାର୍ମିକ ସହିଷ୍ଣୁତା ଓ ନ୍ୟାୟପୂର୍ଣ୍ଣ ପ୍ରଶାସନକୁ ପ୍ରଶଂସା କରି ଏକ ପତ୍ର ଲେଖିଥିଲେ । ଇଂରେଜମାନେ ଉତ୍କୋଚ ଦେଇ ଏଭଳି ପତ୍ର ଲେଖିବାକୁ କହିଥିବା ମନେ କରାଯାଏ । ମୋଟ କଥା ହେଲା ଯେ, ଇଂରେଜମାନେ ଓଡ଼ିଶାକୁ ମରାଠାମାନଙ୍କ ବିରୁଦ୍ଧରେ ସୈନ୍ୟ ପ୍ରେରଣ କରିବା ପୂର୍ବରୁ ଯଥେଷ୍ଟ ପ୍ରସ୍ତୁତି କରିଥିଲେ । ସେମାନେ ମାନସିକ ସ୍ତରରେ ନିଜ ସପକ୍ଷରେ ଏବଂ ଶତ୍ରୁ ବିପକ୍ଷରେ ଏକ ପରିବେଶ ସୃଷ୍ଟି କରିଥିଲେ । ଯୁଦ୍ଧରେ ବିଜୟପାଇଁ ଏହା ଖୁବ୍‍ ସହାୟକ ସିଦ୍ଧ ହେଲା । ଉତ୍ତର ବା ଉପକୂଳ ଓଡ଼ିଶାକୁ ଦଖଲ କରିବା ସକାଶେ ଇଂରେଜମାନେ ତିନି ପଟରୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଦକ୍ଷିଣ ପଟରୁ ମାଡ଼୍ରାସ ପ୍ରେସିଡେନ୍‍ସିର ୭୪ତମ ରେଜିମେଣ୍ଟର ସେନାନାୟକ କ୍ୟାମ୍ପବେଲ୍‍ ପ୍ରଥମେ ପୁରୀ ଓ ସେଠାରୁ ଯାଇ କଟକ ଆକ୍ରମଣ କରିବା ସ୍ଥିର ହେଲା । ଉତ୍ତର ପଟୁ ବଙ୍ଗରୁ ଏକ ସେନାବାହିନୀ ଜଳେଶ୍ୱର ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରିବେ ଏବଂ ସମୁଦ୍ର ପଟରୁ ଏକ ବାହିନୀ ବାଲେଶ୍ୱରକୁ ଦଖଲ କରିବେ ବୋଲି ଯୋଜନା ହେଲା । ଦକ୍ଷିଣପଟୁ ସେପ୍ଟେମ୍ବର ୮ରେ ସାମରିକ ଅଭିଯାନ ଆରମ୍ଭ ହେଲା । କ୍ୟାମ୍ପବେଲ୍‍ଙ୍କ ସ୍ଥାନରେ କର୍ଣ୍ଣେଲ୍‍ ଜର୍ଜ ହାରକୋର୍ଟ (George Harcourt) ଅଭିଯାନର ଦାୟିତ୍ୱ ନେଲେ । ମାଣିକ ପାଟଣାଠାରେ ହାରକୋର୍ଟ ଫାଙ୍କା ଗୁଳି ଫୁଟାଇ ମରହଟ୍ଟାମାନଙ୍କୁ ଘଉଡାଇ ଦେଲେ । ମାଲୁଦର ଫୌଜଦାର ଟଙ୍କା ନେଇ ଇଂରେଜଙ୍କ ପକ୍ଷଭୁକ୍ତ ହୋଇଗଲେ । ପୁରୀକୁ ପ୍ରବେଶ କରିବାଲାଗି ସେନାକୁ ଖୋର୍ଦ୍ଧା ଦେଇ ଯିବା ଜରୁରୀ ଥିଲା । ଖୋର୍ଦ୍ଧା ରାଜା ଦ୍ୱିତୀୟ ମୁକୁନ୍ଦ ଦେବ ଏମିତିରେ ମରାଠାମାନଙ୍କ କର୍ତ୍ତୃତ୍ୱକୁ ସ୍ୱୀକାର କରି ନେଇଥିଲେ । ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ମଧ୍ୟ ମରାଠାମାନଙ୍କ ହାତରେ ରହିଥିଲା । ଉପସ୍ଥିତ ପରିସ୍ଥିତିରେ ଇଂରେଜମାନେ ତାଙ୍କୁ ଲକ୍ଷେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଲେ ଏବଂ ପ୍ରତିଦାନରେ ଖୋର୍ଦ୍ଧା ଦେଇ ଇଂରେଜସେନାଙ୍କୁ ଯାତ୍ରାପାଇଁ ଅନୁମତି ଲୋଡିଲେ । ଖୋର୍ଦ୍ଧା ରାଜା ମରାଠାମାନଙ୍କ ବିରୁଦ୍ଧରେ ଇଂରେଜମାନଙ୍କୁ ସୈନ୍ୟ ସହଯୋଗ ଦେବାକୁ ମଧ୍ୟ ପ୍ରତିଶ୍ରୁତିଦେଲେ । ସେପ୍ଟେମ୍ବର ୧୮ ତାରିଖ ଦିନ ଇଂରେଜ ସେନା ଯେତେବେଳେ ପୁରୀରେ ପ୍ରବେଶ କଲେ, ଜଗନ୍ନାଥ ମନ୍ଦିରର ପଣ୍ତାମାନେ ସେମାନଙ୍କୁ ସ୍ୱାଗତ କରିଥିଲେ ।

ପୁରୀରୁ ଇଂରେଜ ବାହିନୀ କଟକ ଅଭିମୁଖେ ଯାତ୍ରା କଲେ । ବାଟରେ ଅହମ୍ମଦପୁର ଓ ମୁକୁନ୍ଦପୁରରେ ସେମାନଙ୍କୁ ମରାଠାମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମାତ୍ର ବିରୋଧର ମାତ୍ରା ଅଧିକ ନଥିଲା । ୧୮୦୩ ଅକ୍ଟୋବର ୮ ତାରିଖ ଦିନ ହାରକୋର୍ଟଙ୍କ ନେତୃତ୍ୱରେ{{right|ଓଡ଼ିଶା ଇତିହାସ . ୧୫୧