ପୃଷ୍ଠା:Odisha Itihasa.pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରେଜ ସେନା କଟକରେ ପହଞ୍ଚି ପ୍ରଥମେ ଲାଲବାଗ ଦୁର୍ଗ କବ୍‍ଜା କରିନେଲେ । ବାରବାଟୀ ଦୁର୍ଗ ଅଧିକାର କରିବା ପୂର୍ବରୁ ମରହଟ୍ଟା ଫୌଜଦାରଙ୍କୁ ସେମାନେ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ବିନା ପ୍ରତିରୋଧରେ ଦୁର୍ଗ ଦଖଲ କରିବାକୁ ଚାହିଁଲେ । ଏହି ଉଦ୍ୟମ ବିଫଳ ହେବାରୁ ଅକ୍ଟୋବର ୧୩ ତାରିଖ ଦିନ ଇଂରେଜ ବାହିନୀ ବାରବାଟୀ ଦୁର୍ଗ ଅବରୋଧ କଲେ । ଦୁର୍ଗ ଦଖଲ କରିବା ପୂର୍ବରୁ ମରହଟ୍ଟା ସେନାପତି ଶିବପ୍ରସାଦଙ୍କୁ ସେମାନେ ନିଜ ପକ୍ଷଭୁକ୍ତ କରିନେଲେ । ବାରବାଟୀ ଦୁର୍ଗ ଦଖଲ ହେଲା । ଦୁର୍ଗ ଅବରୋଧ ସମୟରେ ଖଣ୍ତ ଯୁଦ୍ଧରେ ମୋଟ ଦୁଇଜଣ ଇଂରେଜ ସୈନ୍ୟ ଓ ତିିନିଜଣ ଭାରତୀୟ ସୈନ୍ୟଙ୍କର ପ୍ରାଣ ଗଲା । ଅନ୍ୟ କ୍ଷୟକ୍ଷତି ମଧ୍ୟରେ କଟକ ଅଧିକାର ସମୟରେ ମାତ୍ର ୧୬ ଜଣ ଇଂରେଜ ଓ ୧୩ ଜଣ ଭାରତୀୟ ସିପାହି ଆହତ ହୋଇଥିଲେ । ଯୁଦ୍ଧରେ ପରାସ୍ତ ହୋଇ ଭୋଁସଲେ ରାଜାଙ୍କ ସେନା ଛତ୍ରଭଂଗ ଦେଲେ । କଟକ କର୍ଣ୍ଣେଲ୍‍ ହାରକୋର୍ଟଙ୍କ ଅଧୀନସ୍ଥ ହେଲା । ବାଲେଶ୍ୱର ମଧ୍ୟ ଏକା ଉପାୟରେ ଇଂରେଜମାନଙ୍କ ଅଧିକାରଭୁକ୍ତ ହେଲା । ସେପ୍ଟେମ୍ବର ୨୧ରେ କ୍ୟାପ୍‍ଟେନ୍‍ ମର୍ଗାନ୍‍ (Captain Morgan)ସମୁଦ୍ର ପଥରେ ଏକ ସେନା ବାହିନୀ ନେଇ ବାଲେଶ୍ୱରରେ ପହଞ୍ଚିଲେ । ବାଲେଶ୍ୱର ଦଖଲ ହେବା ପୂର୍ବରୁ ମରାଠା ଫୌଜଦାରଙ୍କୁ ଲାଞ୍ଚ ଦେଇ ବିନା ଯୁଦ୍ଧରେ ଇଂରେଜମାନେ କ୍ଷେତ୍ରଟିକୁ ଅଧିକାର କରିନେବାକୁ ଉଦ୍ୟମ କଲେ । ଫୌଜଦାରଙ୍କ ମଧ୍ୟ ଏଥିରେ ଅସହମତି ନଥିଲା । ମାତ୍ର ମରାଠା ସୈନ୍ୟମାନେ ଚକ୍ରାନ୍ତଟିକୁ ବୁଝିପାରି ଫୌଜଦାରକୁ ଗିରଫ କଲେ ଏବଂ ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ମାତ୍ର ଗୋଟାଏ ଦିନର ଯୁଦ୍ଧରେ ବାଲେଶ୍ୱର ଅଧିକୃତ ହେଲା ।

ଉତ୍ତର ପଟୁ ଏକ ଇଂରେଜ ବାହିନୀ କର୍ଣ୍ଣେଲ୍‍ ଫର୍ଗୁସନଙ୍କ ନେତୃତ୍ୱରେ ଜଳେଶ୍ୱର ଦେଇ କଟକ ଯାତ୍ରା କଲେ । ସେମାନେ କଟକ ପହଞ୍ଚିବା ପୂର୍ବରୁ ହାରକୋର୍ଟଙ୍କ ବାହିନୀ କଟକ ଅଧିକାର କରି ସାରିଥିଲେ । ଏହା ପରେ ଗ୍ରାମାଞ୍ଚଳର ଜମିଦାରମାନଙ୍କୁ ଇଂରେଜ କର୍ତ୍ତୃତ୍ୱାଧୀନ କରିବା ସକାଶେ କର୍ଣ୍ଣେଲ ଫେନ୍‍ଓ୍ୱିକ୍‍ଙ୍କୁ (Colonel Fenwick) ଦାୟିତ୍ୱ ଦିଆଗଲା । ଫେନ୍‍ଓ୍ୱିକ୍‍ ପ୍ରଥମେ ଶାନ୍ତିପୂର୍ଣ୍ଣ ଉପାୟରେ ନିଜ କାର୍ଯ୍ୟ ହାସଲପାଇଁ ଉଦ୍ୟମ କଲେ । ଯେଉଁଠି ଆବଶ୍ୟକ ପଡ଼ିଲା ଶକ୍ତି ମଧ୍ୟ ପ୍ରୟୋଗ କଲେ ।

ପ୍ରଥମେ ବାଲେଶ୍ୱର ଏବଂ ତତ୍‍ ପରେ ପୁରୀ ଓ କଟକ ନିଜ କର୍ତ୍ତୃତ୍ୱକୁ ଆସିବା ପରେ ଲର୍ଡ଼ ଓ୍ୱେଲେସଲିଙ୍କ ରାଜ୍ୟ ବିସ୍ତାର ନୀତି ଖୁବ୍‍ ସଫଳତା ପାଇଲା । ବାରବାଟୀ ଦୁର୍ଗ ଦଖଲ ପରେ ଶାସନ ପରିଚାଳନା ଏବଂ ଅନ୍ୟ ଗଡ଼ଜାତମାନଙ୍କ ଉପରେ ଆଧିପତ୍ୟ ବିସ୍ତାରଲାଗି ଲର୍ଡ଼ ଓ୍ୱେଲେସଲି ଏକ କମିଟି ଗଠନ କଲେ । ହାରକୋର୍ଟଙ୍କ ବ୍ୟତୀତ ତହିଁରେ ଜେ.ମେଲଭିଲ (J. Melville)ଏବଂ ଟି.ଏଚ୍‍. ଆର୍ଣ୍ଣେଷ୍ଟ (T.H. Ernst) ସଭ୍ୟ ଥିଲେ । ଏହି କମିଟିର ଚାପରେ ଖୋର୍ଦ୍ଧା, ମୟୂରଭଞ୍ଜ, ଅନୁଗୋଳ, ହିନ୍ଦୋଳ, ଦଶପଲ୍ଲା, ଆଳି, କୁଜଙ୍ଗ, ହରିଶପୁର, ଦର୍ପଣି, ସୁକିନ୍ଦା, ମଧୁପୁର, ମରିଚପୁର, ବିଷ୍ଣୁପୁର ଓ କନିକା ଇଂରେଜ ସରକାରଙ୍କ ପ୍ରଭୁତ୍ୱ ସ୍ୱୀକାର କରିବାକୁ ରାଜିହେଲେ । ଏହା ସହିତ ସେଗୁଡ଼ିକ ବାର୍ଷିକ କର ବା ପେଶକସ୍‍ ଦେବାକୁ ମଧ୍ୟ ସମ୍ମତି ପ୍ରଦାନ୧୫୧ . ଓଡ଼ିଶା ଇତିହାସ