ପୃଷ୍ଠା:Odisha Itihasa.pdf/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲେ । ୧୮୦୩ ଡିସେମ୍ବର ୧୭ ତାରିଖରେ ରଘୁଜୀ ଭୋଁସଲେ ମହାରାଷ୍ଟ୍ରର ଦେଓଗାଁଠାରେ ଇଷ୍ଟ ଇଣ୍ତିଆ କମ୍ପାନୀ ସହିତ ବୁଝାମଣା କଲେ । ସେହି ଅନୁଯାୟୀ, ଭୋଁସଲେ ଇଂରେଜମାନଙ୍କର କଟକ, ପୁରୀ ଓ ବାଲେଶ୍ୱର ଉପରେ ସାର୍ବଭୌମତ୍ୱକୁ ସ୍ୱୀକାର କଲେ । ଗଡ଼ଜାତମାନଙ୍କ ସହ ଇଂରେଜମାନେ କରିଥିବା ଚୁକ୍ତିକୁ ମଧ୍ୟ ସ୍ୱୀକୃତି ଦିଆଗଲା । ୧୮୦୪ ମସିହା ଜାନୁଆରି ୯ ତାରିଖ ଦିନ ସପରିଷଦ ଗଭର୍ଣ୍ଣର ଜେନେରାଲ୍‍ (Governor General in Council)ଦେଓଗାଁଓ ବୁଝାମଣାକୁ ଅନୁମୋଦନ କଲେ ।

ସମ୍ବଲପୁର ଦଖଲ ଅଷ୍ଟାଦଶ ଶତାବ୍ଦୀରେ ସମ୍ବଲପୁରରେ ଚୌହାନ ବଂଶ ରାଜୁତି କରୁଥିଲେ । କିମ୍ବଦନ୍ତୀ ଅନୁଯାୟୀ ସେମାନେ ପୃଥ୍ୱୀରାଜ ଚୌହାନଙ୍କ ବଂଶଧର ଥିଲେ । ୧୧୯୨ରେ ମହମ୍ମଦ ଘୋରୀଙ୍କ ହାତରେ ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ପରେ ସେହି ବଂଶର ଜଣେ ରାଣୀ ଉତ୍ତର ପ୍ରଦେଶର ମୈନପୁରୀ ଦେଇ ପାଟଣାଗଡ଼ (ଆଧୁନିକ ବଲାଙ୍ଗିର ଜିଲ୍ଲା)ରେ ଆଶ୍ରୟ ନେଇଥିଲେ । ତାଙ୍କ ପୁତ୍ର ରମାଇଦେବ ପାଟଣାଗଡ଼ ରାଜ୍ୟର ଶାସକ ହେଲେ । ତତ୍‍କାଳୀନ ଗଙ୍ଗବଂଶର ସାର୍ବଭୌମତ୍ୱକୁ ସେ ଅସ୍ୱୀକାର କରି ନଥିଲେ । ତେଣୁ ତାଙ୍କୁ ବିଶେଷ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିନଥିଲା ।

ଷୋଡ଼ଶ ଶତାବ୍ଦୀର ଶେଷ ଆଡ଼କୁ ପାଟଣାଗଡ଼ ରାଜ୍ୟର ଦ୍ରୁତ ପତନ ଘଟିଲା । ଏହାର ସୁଯୋଗ ନେଇ ବଳରାମ ଦେବ ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କଲେ । ସେତେବେଳ ପର୍ଯ୍ୟନ୍ତ ସମ୍ବଲପୁର ପାଟଣାଗଡ଼ ରାଜ୍ୟର ଅଂଶ ହୋଇ ରହିଥିଲା । ବଳରାମ ଦେବ ରାଜା ହେଲା ପରେ ପାଟଣାଗଡ଼ର ପ୍ରଭୁତ୍ୱକୁ ଅସ୍ୱୀକାର କରି ନଥିଲେ । ବରଂ ପାଟଣାଗଡ଼ର ରାଜା ନରସିଂହଦେବଙ୍କ ପାଖରୁ ଦାନ ସୂତ୍ରରେ ତାଙ୍କୁ ସମ୍ବଲପୁର ପ୍ରାପ୍ତ ହୋଇଛି ବୋଲି ସେ ଦାବି କରିଥିଲେ । ତା' ସହିତ ନିଜର ସ୍ୱାଧୀନତାକୁ ପ୍ରଦର୍ଶନ କରିବା ସକାଶେ ସମ୍ବଲପୁରରେ ସମଲାଇ ଦେବୀଙ୍କୁ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ରୂପେ ପୁନଃପ୍ରତିଷ୍ଠା ଦେଲେ । ସେତେବେଳେ ସ୍ଥାନୀୟ ସ୍ୱାଭିମାନକୁ ଜାହିର କରିବାନିମନ୍ତେ ରାଜ୍ୟମାନଙ୍କରେ ଏକ ଅଧିଷ୍ଠାତ୍ରୀ ଦେବୀ ପ୍ରତିଷ୍ଠା କରିବାର ପରଂପରା ରହିଥିଲା । ରମାଇଦେବ ମଧ୍ୟ ପାଟଣାଗଡ଼ରେ ପାଟଣେଶ୍ୱରୀ ଦେବୀଙ୍କ ମନ୍ଦିର ନିର୍ମାଣ କରି ଏହି ପରଂପରାକୁ ପାଳନ କରିଥିଲେ । ସମ୍ଭବତଃ ରାଜ୍ୟ ପ୍ରତିଷ୍ଠା ପୂର୍ବରୁ ଉକ୍ତ ଦେବୀମାନଙ୍କର ପୂଜା ପରଂପରା ରହିଥିଲା । ରାଜ ପୃଷ୍ଠପୋଷକତା ଦେବୀଙ୍କୁ ପ୍ରସିଦ୍ଧି ଦେଲା ତଥା ରାଜାଙ୍କ ନିମନ୍ତେ ସ୍ଥାନୀୟ ଲୋକ ସମର୍ଥନ ଆଣିଦେଲା ।

ସପ୍ତଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ବଳିଆରଦେବଙ୍କ ରାଜତ୍ୱ କାଳରେ (୧୬୫୦-୧୬୮୮) ସମ୍ବଲପୁର ପଶ୍ଚିମ ଓଡ଼ିଶାର ପ୍ରମୁଖ ରାଜ୍ୟ ହେବାର ଗୌରବ ଲାଭ କଲା । କେବଳ ପାଟଣାଗଡ଼ ନୁହେଁ, ତା' ସାଙ୍ଗକୁ ପ୍ରାଚୀନ କାଳରେ କୋଶଳ ନାମରେ ପରିଚିତ ସମଗ୍ର କ୍ଷେତ୍ରର କେନ୍ଦ୍ର ଭାବରେ ତାକୁ ପରିଚିତି ମିଳିଲା । ଅଠରଟି ରାଜ୍ୟର ମୁଖ୍ୟ ଭାବରେ ସମ୍ବଲପୁର ରାଜା{{right|ଓଡ଼ିଶା ଇତିହାସ . ୧୫୨