ପୃଷ୍ଠା:Odisha Itihasa.pdf/୧୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମରାଠା ସେନାର ନାଗପୁରରୁ କଟକ ଯିବା ଆସିବା ସମୟରେ ମୁଖ୍ୟ ଲକ୍ଷ୍ୟ ଥିଲା, ସମ୍ବଲପୁର ଓ ରାସ୍ତାକଡ଼ର ଅନ୍ୟ ଗାଁ ଗଣ୍ତାରେ ଲୁଣ୍ଠନ । ମରାଠା ସୈନ୍ୟ ଆବଶ୍ୟକୀୟ ଖାଦ୍ୟ ପାନୀୟ ଗାଁଗଣ୍ତାରୁ ଲୁଣ୍ଠନ କରି ସଂଗ୍ରହ କରୁଥିଲେ । ସେହି ପ୍ରକ୍ରିୟାରେ ଧନରତ୍ନ ଲୁଣ୍ଠନ କରିବାକୁ ତଥା ପ୍ରତିରୋଧକାରୀଙ୍କ ଉପରେ ଅତ୍ୟାଚାର କରିବାକୁ ସେମାନେ ହେଳା କରୁ ନଥିଲେ । ସମ୍ବଲପୁରର ରାଜା ହେଲା ପରେ ଜୟନ୍ତ ସିଂହ ଭୋଁସଲେ ସେନାପତିଙ୍କ ସଙ୍ଗେ ବୁଝାମଣା କରି ଏହି ସମସ୍ୟାର ସମାଧାନ ଆଣିଲେ । ୧୭୯୩ରେ ସେ ବାର୍ଷିକ ୩୨,୦୦୦ ସ୍ଥାନୀୟ ସମ୍ବଲପୁରୀ ଟଙ୍କା, ଯାହାର ବଜାର ମୂଲ୍ୟ ଥିଲା ପ୍ରାୟ ୧୬,୦୦୦ ସ୍ୱର୍ଣ୍ଣ ମୁଦ୍ରା, ଭୋଁସଲେ ରାଜାଙ୍କୁ କର ରୂପେ ଦେବାକୁ ସମ୍ମତ ହେଲେ । ଏହାର ଅର୍ଥ ହେଲା, ସମ୍ବଲପୁର ରାଜ୍ୟ ନାଗପୁରର ଭୋଁସଲେ ରାଜାଙ୍କ ସାର୍ବଭୌମତ୍ୱକୁ ଗ୍ରହଣ କରିନେଲା । ଅନ୍ୟ ପକ୍ଷରେ ସମ୍ବଲପୁରର ଆଭ୍ୟନ୍ତରୀଣ ପ୍ରଶାସନ ଚୌହାନ ରାଜାଙ୍କ ହାତରେ ରହିଲା । ଏହି ବ୍ୟବସ୍ଥା ୧୮୦୦ ମସିହା ପର୍ଯ୍ୟନ୍ତ ଚାଲୁ ରହିଲା ।

୧୮୦୦ ମସିହାରେ ଭୋଁସଲେ ରାଜା ସମ୍ବଲପୁରକୁ ପ୍ରତ୍ୟକ୍ଷ ଶାସନାଧୀନ କରିବାକୁ ଚାହିଁଲେ । ଏହାଦ୍ୱାରା ଅଧିକ ରାଜସ୍ୱ ଆଦାୟ ହେବାର ତଥା ନାଗପୁରରୁ କଟକ ଯିବା ଆସିବା ରାସ୍ତାରେ ମରାଠା ଅଧିକାରୀଙ୍କୁ ଅଧିକ ସହଯୋଗ ମିଳିବାର ସଂଭାବନା ଥିଲା । ଭୂପସିଂହ ନାମକ ଜଣେ ସେନା ଅଧିକାରୀଙ୍କ ନେତୃତ୍ୱରେ ନାଗପୁର ରାଜା ଦ୍ୱିତୀୟ ରଘୁଜୀ ଏକ ସୈନ୍ୟ ବାହିନୀ ପ୍ରେରଣ କଲେ ଏବଂ ସମ୍ବଲପୁର, ସୋନପୁର ଓ ବଉଦର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିନେଲେ । ସମ୍ବଲପୁର ଦଖଲ ହେଲା ପରେ ଭୂପସିଂହ ମରାଠା ପ୍ରଶାସକ ନିଯୁକ୍ତ ହେଲେ । ମାତ୍ର ଧାର୍ଯ୍ୟ ମତେ ଭୂ-ରାଜସ୍ୱ ଅସୁଲ କରି ନାଗପୁର ପ୍ରେରଣ କରିବାରେ ଅସଫଳ ହେବାରୁ ଭୋଁସଲେ ରାଜା ଭୂପସିଂହଙ୍କ ସ୍ଥାନରେ ତାନ୍ତିଆ ଫଡ଼ନାବିସଙ୍କୁ ସମ୍ବଲପୁରର ପ୍ରଶାସକ ନିଯୁକ୍ତ କଲେ । ୧୮୦୪ରେ ଇଂରେଜ ସେନା ସମ୍ବଲପୁର ଦଖଲପାଇଁ ଉଦ୍ୟମ କଲାବେଳେ ତାନ୍ତିଆ ଥିଲେ ତା'ର ପ୍ରଶାସକ ।

ଇଂରେଜ ସେନା ଜର୍ଜ ହାରକୋର୍ଟଙ୍କ ନେତୃତ୍ୱରେ ଅକ୍ଟୋବର ୧୮୦୩ରେ କଟକ ଅଧିକାର କଲା ପରେ କୂଟନୀତି ପ୍ରୟୋଗ କରି ସମ୍ବଲପୁର ଅର୍ଥାତ୍‍ ପଶ୍ଚିମ ଓଡ଼ିଶାକୁ ନିଜ ଅଧୀନକୁ ଆଣିବାକୁ ଉଦ୍ୟମ କଲେ । ସମ୍ବଲପୁର, ସୋନପୁର ଓ ବଉଦ ରାଜାଙ୍କୁ ପତ୍ର ଲେଖି ହାରକୋର୍ଟ ଜଣାଇଦେଲେ ଯେ, ସେମାନେ ଯଦି ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କରନ୍ତି, ମରାଠା କର୍ତ୍ତୃତ୍ୱରୁ ମୁକ୍ତ ହେବେ । ଅର୍ଥାତ୍‍ ସେମାନଙ୍କୁ ଭବିଷ୍ୟତରେ ମରାଠାମାନଙ୍କୁ ବାର୍ଷିକ ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ ଇଂରେଜ ସରକାର ପ୍ରତ୍ୟେକ ରାଜାଙ୍କଠାରୁ ମାତ୍ର ପାଞ୍ଚଟି ସ୍ୱର୍ଣ୍ଣ ମୋହର ପେଶକସ ନେବେ । ଯେହେତୁ ଉକ୍ତ ତିନି ରାଜା ମରାଠାମାନଙ୍କ ହାତରେ ବନ୍ଦୀ ଥିଲେ, ସେମାନଙ୍କ ରାଣୀ ଯଥା ସମ୍ବଲପୁରର ରାଣୀ ରତନ କୁମାରୀ, ସୋନପୁର ରାଣୀ ଲକ୍ଷ୍ମୀପ୍ରିୟା ଏବଂ ବଉଦର ରାଣୀ ଜଗଦୀଶ୍ୱରୀ ଦେଓ ଇଂରେଜମାନଙ୍କ ସହ ୧୮୦୪ ଜାନୁଆରି ୪ ତାରିଖ ଦିନ ଏ ନେଇ ଚୁକ୍ତିନାମା ସ୍ୱାକ୍ଷର କଲେ । ଫଳରେ ମେଜର ବ୍ରାଉଟନ୍‍ ସମ୍ବଲପୁରର ମରାଠା ପ୍ରଶାସକ ତାନ୍ତିଆ ଫଡ଼ନାବିସଙ୍କୁ ତଡ଼ି ନିଜେ ସେଠାରେ ଇଂରେଜ ପ୍ରଶାସନ କଥା{{right|ଓଡ଼ିଶା ଇତିହାସ . ୧୫୫