ପୃଷ୍ଠା:Odisha Itihasa.pdf/୧୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୁଝିଲେ । ଏହା ପରେ ରାୟଗଡ଼, ସାରଙ୍ଗଡ଼, ରେଢ଼ାଖୋଲ, ଗାଙ୍ଗପୁର, ବାମଣ୍ତା, ବଣାଇ, ଶକ୍ତି ଓ ବରଗଡ଼ର ରାଜା, ଜମିଦାରମାନେ ମଧ୍ୟ ବ୍ରାଉଟନ୍‍ଙ୍କ ସହ ସ୍ୱେଚ୍ଛାରେ ଚୁକ୍ତି କଲେ, ଯାହାର ଉଦ୍ଦେଶ୍ୟ ହେଲା ମରାଠା କର୍ତ୍ତୃତ୍ୱରୁ ମୁକ୍ତି ପାଇବା । ୧୮୦୫ରେ ଗଭର୍ଣ୍ଣର ଜେନେରାଲ୍‍ ପଦରୁ ଲର୍ଡ଼ ଓ୍ୱେଲେସଲି ଅବ୍ୟାହତି ପାଇଲେ । ତାଙ୍କ ରାଜ୍ୟ ବିସ୍ତାର ଓ ଯୁଦ୍ଧଖୋର ନୀତିଯୋଗୁଁ ଇଷ୍ଟ ଇଣ୍ତିଆ କମ୍ପାନୀର ଋଣ ପରିମାଣ ୧୭୯୯ରେ ୧୭୦ ଲକ୍ଷ ପାଉଣ୍ତରୁ ୧୮୦୬ ବେଳକୁ ୩୧୦ ଲକ୍ଷ ପାଉଣ୍ତରେ ପହଞ୍ଚିଲା । ଯୁଦ୍ଧ ଖର୍ଚ୍ଚ ତୁଲାଇବା କମ୍ପାନୀପାଇଁ ଭାରି ପଡ଼ିଲା । ୟୁରୋପରେ ନେପୋଲିୟନ୍‌ଙ୍କ ରାଜନୀତିକ ଓ ସାମରିକ ଆବିର୍ଭାବଯୋଗୁଁ ଇଂଲଣ୍ତପାଇଁ ବିପଦର ମାତ୍ରା ବୃଦ୍ଧି ପାଇଲା । ଯୁଦ୍ଧ ଇଂଲଣ୍ତକୁ ବିପର୍ଯ୍ୟସ୍ତ କରି ପକାଇଲା । ଏହି ସ୍ଥିତିରେ ପାର୍ଲାମେଣ୍ଟରେ ତଥା କମ୍ପାନୀର ନିର୍ଦ୍ଦେଶକ ମଣ୍ତଳୀରେ ଭାରତରେ ଇଂରେଜର ଯୁଦ୍ଧ ନୀତିକୁ ସମାଲୋଚନା କରାଗଲା । ଲର୍ଡ଼ ଓ୍ୱେଲେସ୍‍ଲିଙ୍କ ସ୍ଥାନରେ ଗଭର୍ଣ୍ଣର ଜେନେରାଲ୍‍ ପଦରେ ନିଯୁକ୍ତ ହୋଇଥିବା ଜି.ଏଚ୍‍.ବାର୍ଲୋ ଶାନ୍ତି ନୀତି ଅବଲମ୍ବନ କରି ସମ୍ବଲପୁର ଓ ପାଟଣାକୁ ମରହଟ୍ଟାମାନଙ୍କୁ ଫେରାଇଦେଲେ । ଏଥିପାଇଁ ୧୮୦୬ ମସିହା ଅଗଷ୍ଟ ୨୪ ତାରିଖ ଦିନ ଭୋଁସଲେ ରାଜା ଓ ଇଂରେଜଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେଲା ।

ଶାନ୍ତି ନୀତି ଆଚରଣ କରି ଇଂରେଜମାନେ ସମ୍ବଲପୁରକୁ ଭୋଁସଲେ ରାଜାଙ୍କ ହାତକୁ ଫେରାଇ ଦେଲେ, ମାତ୍ର ଅନ୍ୟ ରାଜ୍ୟଗୁଡ଼ିକୁ ନିଜ କର୍ତ୍ତୃତ୍ୱରେ ରଖିଲେ । ଦ୍ୱିତୀୟତଃ, ସମ୍ବଲପୁରର ରାଣୀ ରତନ କୁମାରୀ ଏବଂ ଅନ୍ୟ ଜମିଦାରମାନଙ୍କୁ ମରହଟ୍ଟାମାନଙ୍କର ବିରୋଧ କରିବା ସକାଶେ ଗୋପନ ସମର୍ଥନ ଦେଲେ । ଅର୍ଥାତ୍‍ ଶାନ୍ତି ନୀତି ପ୍ରତି ସେମାନଙ୍କର ଆନ୍ତରିକତା ନଥିଲା । ଅନ୍ୟ ପକ୍ଷରେ, ମରାଠାମାନେ ସମ୍ବଲପୁର ଆକ୍ରମଣ କରି ଅଧିକାର କରିନେଲେ । ସେମାନଙ୍କ ଲୁଣ୍ଠନ ମଧ୍ୟ ଚାଲିଲା । ରାଣୀ ବାଧ୍ୟ ହୋଇ ଇଂରେଜ ସରକାରଙ୍କ ଆଶ୍ରୟ ନେଲେ । ଇଂରେଜମାନଙ୍କଠାରୁ ମାସିକ ଛଅ ଶହ ଟଙ୍କା ଭତ୍ତା ପାଇ ସେ ଶେଷ ଜୀବନ ପର୍ଯ୍ୟନ୍ତ (୧୮୧୬) କଟକରେ ରହିଲେ । କାଶୀ ତୀର୍ଥଯାତ୍ରା କାଳରେ ତାଙ୍କର ଦେହାନ୍ତ ହେଲା ।

୧୮୧୭ ମସିହାରେ ତୃତୀୟ ଇଂରେଜ-ମରହଟ୍ଟା ଯୁଦ୍ଧ ସଂଘଟିତ ହେଲା । ପୁନାର ପେଶବା, ନାଗପୁରର ଭୋଁସଲେ ଓ ଇନ୍ଦୋରର ହୋଲକାରଙ୍କ ସମ୍ମିଳିତ ଶକ୍ତିକୁ ଇଂରେଜମାନେ ପରାସ୍ତ କଲେ । ପୂର୍ବରୁ ଗ୍ୱାଲିଅରର ସିନ୍ଧିଆଙ୍କୁ ଗଭର୍ଣ୍ଣର ଜେନେରାଲ୍‍ ଲର୍ଡ଼ ହେଷ୍ଟିଙ୍ଗ୍‍ସ ଇଂରେଜମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ କରି ସାରିଥିଲେ । ଫଳରେ ସେ ଏହି ଯୁଦ୍ଧରେ ଭାଗ ନେଇ ପାରିଲେ ନାହିଁ । ଯୁଦ୍ଧ ପରେ ଭୋଁସଲେ ଓ ହୋଲକାର ସାମନ୍ତସନ୍ଧିରେ ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ । ଏହାର ପରିଣାମ ସ୍ୱରୂପ, ୧୮୧୭ ନଭେମ୍ବର ୨୭ ତାରିଖରେ ଇଂରେଜମାନେ ସମ୍ବଲପୁରରୁ ମରାଠାମାନଙ୍କୁ ତଡ଼ି ତାକୁ ନିଜ କର୍ତ୍ତୃତ୍ୱାଧୀନ କଲେ । ୧୮୦୪ରୁ ମରାଠାମାନଙ୍କ ହାତରେ ବନ୍ଦୀ ଥିବା ସମ୍ବଲପୁରର ରାଜା ଜୟନ୍ତ ସିଂହ ଓ ତାଙ୍କପୁତ୍ର ମହାରାଜ ସାଏ ମୁକ୍ତି ପାଇଲେ । ଜୟନ୍ତ ସିଂହ ସମ୍ବଲପୁରର ରାଜା ଘୋଷିତ ହେଲେ । ଏକ ସାମନ୍ତ ରାଜ୍ୟ ଭାବରେ ସମ୍ବଲପୁର ଇଂରେଜ ସାମ୍ରାଜ୍ୟାଧୀନ ହେଲା ।୧୫୬ . ଓଡ଼ିଶା ଇତିହାସ