ପୃଷ୍ଠା:Odisha Itihasa.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ଇଂରେଜମାନଙ୍କୁ ନିଜ ରାଜ୍ୟକୁ ଆମନ୍ତ୍ରଣ ଜଣାଇଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଓଡ଼ିଶାର ସାମାଜିକ ଜୀବନରେ ଖୁବ୍‍ ପ୍ରଭାବ ରହିଛି ଜାଣି, ସେମାନେ (ଇଂରେଜମାନେ) ପୁରୀ ପୂଜକ ପଣ୍ତା ବର୍ଗକୁ ମଧ୍ୟ ନିଜ ସପକ୍ଷରେ ବ୍ୟବହାର କରିଥିଲେ । ଏ ସବୁକୁ ବାଦଦେଲେ, ସେମାନେ ମରାଠା ଅଧିକାରୀମାନଙ୍କୁ ମଧ୍ୟ ଅର୍ଥ ବଳରେ ହାତ କରିବାକୁ ଉଦ୍ୟମ କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ଭୋଁସଲେ ଶକ୍ତି ଦ୍ରୁତ ପତନର ସମ୍ମୁଖୀନ ହୋଇଥିଲା । ବାରମ୍ବାର ଯୁଦ୍ଧଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ବିପନ୍ନାବସ୍ଥାରେ ଥିଲା । ଆର୍ଥିକ ସ୍ଥିତି ସୁଧାରିବାକୁ ରାଜା ରାଜ୍ୟରେ ଅଧିକ କର ଅସୁଲିପାଇଁ ନିଜ ଅଧିକାରୀମାନଙ୍କୁ ବାଧ୍ୟ କରୁଥିଲେ । ଏହା ଫଳରେ ପ୍ରଜାମାନେ ଲୁଣ୍ଠନ ଓ ଅତ୍ୟାଚାରର ଶିକାର ହେଉଥିଲେ । ଅଧିକାରୀମାନେ ମଧ୍ୟ ଭୋଁସଲେ ରାଜାଙ୍କ ସନ୍ଦେହର ଶିକାର ହେଉଥିଲେ । ଓଡ଼ିଶା ଭଳି ବିଜିତ ରାଜ୍ୟର ସ୍ଥାନୀୟ ରାଜସ୍ୱ ଅସୁଲକାରୀ ବର୍ଗ (ଯଥା: ରାଜା, ଜମିଦାର ଏବଂ କଦାଚିତ ଏପରିକି ସୁବାଦାର) ଓ ଲୋକେ ଭୋଁସଲେ ରାଜାଙ୍କୁ ଶତ୍ରୁ ମଣୁଥିଲେ । ଇଂରେଜମାନଙ୍କ ଓଡ଼ିଶା ଦଖଲକୁ ସେମାନେ ମରାଠା ଶକ୍ତିର ପରାଜୟ ରୂପରେ ଦେଖୁଥିଲେ । ବିଂଶ ଶତାବ୍ଦୀରେ ରାଷ୍ଟ୍ରୀୟତାର ପ୍ରଭାବରେ ଇଂରେଜ ଶକ୍ତିର ବିରୋଧ କରିବା; ତ୍ୟାଗ, ବୀରତ୍ୱ, ଦେଶପ୍ରେମ ଓ ଗୌରବର ପ୍ରତୀକ ହେଲା । ଅଷ୍ଟାଦଶ ଶତାବ୍ଦୀର ଶେଷ ଓ ଊନବିଂଶ ଶତାବ୍ଦୀର ଆରମ୍ଭ ଦଶକରେ ତାହା ସେପରି ନଥିଲା । ଓଡ଼ିଶା ଦଖଲ ବେଳେ ଇଂରେଜ ଶକ୍ତି ପ୍ରତି ଖୋଲା ବା ମୌନ ସମର୍ଥନକୁ ସେତେବେଳେ ଦେଶ ପ୍ରତି ପ୍ରତାରଣା, ବିଶ୍ୱାସଘାତକତା ବୋଲି ମନେ କରାଯାଉ ନଥିଲା । ଏହା ଇଂରେଜମାନଙ୍କର ଓଡ଼ିଶା ଦଖଲକୁ ସହଜ ଓ ସରଳ କରିଦେଲା । ବିଭିନ୍ନ କ୍ଷେତ୍ରରେ କୂଟନୀତି ପ୍ରୟୋଗ ହେତୁ ସ୍ଥାନୀୟ ସହଯୋଗରେ ଓ ବିନା ଅଧିକ ରକ୍ତପାତରେ ଇଂରେଜମାନେ ଓଡ଼ିଶାକୁ ଅଧିକାର କରିନେଲେ । ଏହା ସହିତ ଓଡିଶାର ଇତିହାସ ଏକ ନୂତନ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେଲା ।

ଇଂରେଜ ପ୍ରାଶାସନିକ ବ୍ୟବସ୍ଥା ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ପ୍ରଶାସନରେ ଆମୂଳ ପରିବର୍ତ୍ତନ ଦେଖିବାକୁ ମିଳିଲା । ଇଂରେଜ ଔପନିବେଶିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଣାଯାଇଥିବା ଏହି ପରିବର୍ତ୍ତନ ଓଡ଼ିଶାର ସାମଗ୍ରିକ ହିତ ଦୃଷ୍ଟିରୁ ବାଧକ ପ୍ରତିପାଦିତ ହେଲା । ତାହା ଯେତେବେଳେ ଲୋକ ଅନୁଭବ କଲେ, ଇଂରେଜ ଉପନିବେଶବାଦ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା, ଯାହାକୁ ଆମେ ଉପନିବେଶବାଦବିରୋଧୀ ସଂଗ୍ରାମ ବା ଜାତୀୟତା ଆନ୍ଦୋଳନ ବୋଲି ଅଭିହିତ କରିଥାଉଁ ।

୧୮୦୩ ଅକ୍ଟୋବରରେ ରାଜ୍ୟକୁ ଦଖଲ କଲା ପରେ କମ୍ପାନୀ ଏହାର ଶାସନଭାର କର୍ଣ୍ଣେଲ୍‍ ହାରକୋର୍ଟ ଓ ଜନ୍‍ ମେଲଭିଲଙ୍କ ଉପରେ ନ୍ୟସ୍ତ କରିଥିଲେ । ୧୮୦୪ ଜୁନ୍ ମାସରେ ଓଡ଼ିଶାକୁ ପ୍ରାଶାସନିକ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଓଡ଼ିଶା ଦଖଲରେ ଇଂରେଜ ସେନାର ନେତୃତ୍ୱ ନେଇଥିବା ଏହି ଦୁଇ ଅଫିସର ତହିଁରେ କମିସନର ନିଯୁକ୍ତ ହେଲେ । କଟକ ଅଧିକାରରେ ମୁଖ୍ୟ ସେନାପତିର କାର୍ଯ୍ୟ କରିଥିବା ହାରକୋର୍ଟଙ୍କୁ କଟକର କମିସନର ନିଯୁକ୍ତ କରାଗଲା ।୧୫୮ . ଓଡ଼ିଶା ଇତିହାସ