ପୃଷ୍ଠା:Odisha Itihasa.pdf/୧୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମେଲଭିଲ୍‍ ବାଲେଶ୍ୱରର କମିସନ୍‍ର ନିଯୁକ୍ତ ହେଲେ । ଉଭୟ କମିସନରଙ୍କ ହାତରେ ଅବାଧ କ୍ଷମତା ରହିଲା । କଟକ, ପୁରୀ, ଖୋର୍ଦ୍ଧା ଓ ବାଲେଶ୍ୱର ଆଦି କେତେକ କେନ୍ଦ୍ରସ୍ଥଳୀରେ କେବଳ କିଛି ସୈନ୍ୟ ଅବସ୍ଥାପିତ ହେଲେ । ଅନ୍ୟ ସୈନ୍ୟମାନେ ଛାଉଣିକୁ ଫେରିଗଲେ । ସୈନ୍ୟ ପ୍ରତ୍ୟାବର୍ତ୍ତନ ପରେ ଯୁଦ୍ଧସ୍ଥିତି ଶେଷ ହେଲା ଭଳି ପରିବେଶ ସୃଷ୍ଟି ହେଲା । ଓଡ଼ିଶା ଦଖଲ ବେଳେ ମୁଖ୍ୟ ସେନାପତି ଭାବରେ କାର୍ଯ୍ୟ କରିଥିବା ହାରକୋର୍ଟ ଏଣିକି ନାଗରିକ ପ୍ରଶାସନକୁ ସୁବ୍ୟବସ୍ଥିତ କରିବାରେ ପ୍ରଭୂତ ଭୂମିକା ନିର୍ବାହ କଲେ । ଆରମ୍ଭରେ ମରାଠା ସମୟରୁ ଚଳି ଆସୁଥିବା ପ୍ରାଶାସନିକ ଓ ରାଜସ୍ୱ ବ୍ୟବସ୍ଥାକୁ ଇଂରେଜମାନେ କିଛି ମାସପାଇଁ ଅବ୍ୟାହତ ରଖିଲେ, କାରଣ ସେମାନେ ବ୍ୟବସ୍ଥାକୁ ବୁଝିବାପାଇଁ କିଛି ସମୟ ନେଲେ । ଫଳରେ ମରାଠା ପ୍ରଶାସନରେ ନିଯୁକ୍ତ ଥିବା ଅମିନମାନେ ଉଭୟ ରାଜସ୍ୱ ଓ ନ୍ୟାୟିକ କ୍ଷମତା ଉପଭୋଗ କଲେ । ସେମାନଙ୍କ ପଛରେ ଇଂରେଜଙ୍କ ସୁରକ୍ଷା ଥିବାରୁ ପ୍ରଶାସନରେ ମାତ୍ରାଧିକ ର୍ଦୁନୀତି ଦେଖାଗଲା । ବିଭିନ୍ନ ରାଜସ୍ୱ ମାମଲାଗୁଡ଼ିକୁ ସେମାନେ ଲାଞ୍ଚ ନେଇ ଦଫାରଫା କରିଦେଲେ, ଯାହା ଫଳରେ ରାଜସ୍ୱ କ୍ଷତି ହେଲା ଏବଂ ତା' ସାଙ୍ଗକୁ ସାଧାରଣ ଲୋକେ ମଧ୍ୟ ଖୁବ୍‍ ହଇରାଣରେ ପଡ଼ିଲେ ।

୧୮୦୫ରେ କମିସନର ପଦ ଦୁଇଟିକୁ ଉଚ୍ଛେଦ କରାଗଲା ଏବଂ ତା' ସ୍ଥାନରେ କଟକ, ପୁରୀ ଓ ବାଲେଶ୍ୱରକୁ ଜିଲ୍ଲା ଘୋଷଣା କରାଗଲା । ରବର୍ଟ କେର ହେଲେ ବାଲେଶ୍ୱରର ପ୍ରଥମ କଲେକ୍ଟର (ରାଜସ୍ୱ ସଂଗ୍ରାହକ) ଓ ମାଜିଷ୍ଟ୍ରେଟ୍‍ । ପୁରୀର ପ୍ରଥମ କଲେକ୍ଟର ଓ ମାଜିଷ୍ଟ୍ରେଟ୍‍ ହେଲେ ଚାର୍ଲସ୍‍ ଗୋୟମ୍‍ । ୧୮୦୫ ଜୁନ୍ ମାସରେ ତିନୋଟି ଜିଲ୍ଲାକୁ ଜଣେ କଲେକ୍ଟରଙ୍କ ଅଧୀନରେ ରଖାଗଲା । କଲେକ୍ଟର ଜଗନ୍ନାଥ ପୁରୀରୁ କାର୍ଯ୍ୟ ପରିଚାଳନା କଲେ । ଚାର୍ଲସ ଗୋୟମ୍‍ ଏବଂ ତାଙ୍କ ପରେ ଜର୍ଜ ଓ୍ୱେବ୍‍ ନୂତନ କଲେକ୍ଟର ହେଲେ, ରବର୍ଟ କେର ହେଲେ ମାଜିଷ୍ଟ୍ରେଟ୍‍ । ତାଙ୍କ ଉପରେ ଗଡ଼ଜାତ ମହଲର ଅଧ୍ୟକ୍ଷ ଦାୟିତ୍ୱ ରହିଲା ।

ଆରମ୍ଭରେ ପୁରୀ ଥିଲା ବ୍ରିଟିଶ୍‍ ଓଡ଼ିଶାର ରାଜଧାନୀ । ମାତ୍ର ଏହା ରାଜ୍ୟର ମଧ୍ୟ ସ୍ଥଳରେ ନଥିଲା । ରହଣି ମଧ୍ୟ ଏଠାରେ ବ୍ୟୟସାପେକ୍ଷ ଥିଲା । ରାଜସ୍ୱ ଜମାସକାଶେ ଅନେକ ସମୟରେ ଜମିଦାରମାନେ ମହାଜନମାନଙ୍କଠାରୁ ଋଣ ଆଣୁଥିଲେ । ମାତ୍ର ପୁରୀରେ ବଡ଼ ମହାଜନ ନ ଥିବାରୁ ରାଜକୋଷରେ ଠିକ୍‍ ସମୟରେ ରାଜସ୍ୱ ଜମା କରିବା ଏକ ସମସ୍ୟା ହେଲା । ତେଣୁ ଓଡ଼ିଶାର ରାଜଧାନୀକୁ ପ୍ରଥମେ ଯାଜପୁରକୁ ସ୍ଥାନାନ୍ତରିତ କରିବାକୁ ଯୋଜନା କରାଗଲା । ମାତ୍ର ଶେଷରେ ଯାଜପୁର ସ୍ଥାନରେ କଟକକୁ ରାଜଧାନୀ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହେଲା । ୧୮୧୪ରେ ସାମୟିକ ଭାବେ ସରକାରଙ୍କ କେତୋଟି ବିଭାଗ କଟକରୁ କାର୍ଯ୍ୟ କଲା । ଏହି ଅନୁଭୂତି ସଫଳ ହେବାରୁ, ୧୮୧୬ରେ କଟକକୁ ଓଡ଼ିଶାର ଏକମାତ୍ର କଲେକ୍ଟରଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଗଲା । ସେହି ଦିନଠାରୁ ୧୯୪୭ରେ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ କଟକ ଓଡ଼ିଶାର ରାଜଧାନୀ ହୋଇ ରହିଲା । ଅର୍ଥାତ୍‍ ମୋଗଲ ଓ ମରାଠା ସମୟରେ ରାଜଧାନୀ ରହି ଆସିଥିବା କଟକ ଇଂରେଜ ରାଜତ୍ୱରେ ମଧ୍ୟ ରାଜ୍ୟର ରାଜଧାନୀ ହେଲା । ୧୮୧୮ରେ ଓଡ଼ିଶାପାଇଁ ଏକ କମିସନର ପଦ{{right|ଓଡ଼ିଶା ଇତିହାସ . ୧୫୯