ପୃଷ୍ଠା:Odisha Itihasa.pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଲଗୁଜାରୀ ଜମା କରିବାକୁ ବାଧ୍ୟ ହେଉଥିଲେ । ଅନ୍ୟଥା ଜମିଦାରୀ ସ୍ୱତ୍ୱ ହରାଇବାର ଆଶଙ୍କା ଥିଲା । ତେଣୁ ସେମାନେ ମହାଜନ ଓ ସାହୁକାରମାନଙ୍କଠାରେ ଜମିଦାରୀ ବନ୍ଧା ଦେଇ ଅଧିକ ସୁଧରେ ଋଣ ଆଣୁଥିଲେ । ରାଜସ୍ୱ ଜମାରେ ମହାଜନଙ୍କ ମହତ୍ତ୍ୱ ଏତେ ଅଧିକ ଥିଲା ଯେ, ପୁରୀରୁ କଟକକୁ ଓଡ଼ିଶାର ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା । କାରଣ ପୁରୀରେ ବଡ଼ ମହାଜନର ଅଭାବ ରହିଥିଲା । ଏହି ମହାଜନମାନେ ମଧ୍ୟ ପରେ ବନ୍ଧା ପଡ଼ିଥିବା ଜମିଦାରୀକୁ ବ୍ୟାଜ୍ୟାପ୍ତ କରୁଥିଲେ । ଗ୍ରାମାଞ୍ଚଳରେ ସାହୁକାର ରୟତ ବା ଚାଷୀକୁ ଅଧିକ ସୁଧରେ ଋଣ ଦେଇ ଋଣ ପରିଶୋଧ କରି ନପାରିବା ଅଭିଯୋଗରେ ଜମି ବାଜ୍ୟାପ୍ତ କରୁଥିଲେ ଓ ଜମିମାଲିକ ହେଉଥିଲେ । ଇଂରେଜମାନଙ୍କ ସମୟରେ ଜମି ହସ୍ତାନ୍ତର ହେବା, ସାହୁକାର ଓ ମହାଜନ ଶ୍ରେଣୀର ଉତ୍ଥାନ ହେବା, ଏକ ନୂଆ ଜମିଦାର ଶ୍ରେଣୀ ସୃଷ୍ଟି ହେବା ତଥା ଅନେକ ଜମିମାଲିକ ହାତରୁ ଜମିର ସ୍ୱତ୍ତ୍ୱ ଚାଲିଯିବା ଏକ ନିୟମିତ ଘଟଣା ହେଲା । ଅର୍ଥାତ୍‍ ଏଣିକି କୃଷିଜମି ପଣ୍ୟ ବସ୍ତୁ ଭଳି କିଣା ବିକା ହେଲା ।

ଲବଣ ନୀତି ଓଡ଼ିଶାରେ ବିସ୍ତୃତ ସମୁଦ୍ର ଉପକୂଳ ରହିଥିବାରୁ ଲବଣ ଉତ୍ପାଦନ ହେଉଛି ଏଠାକାର ଏକ ପାରମ୍ପରିକ ଶିଳ୍ପ । ଲବଣ ଉତ୍ପାଦନ ଓ ଯୋଗାଣରେ ସହସ୍ର ସଂଖ୍ୟାରେ ଲୋକ ଏଠି ନିୟୋଜିତ । ସେହି ଆଧାରରେ ଇଂରେଜମାନେ ଲୁଣ ଉତ୍ପାଦକ ଓ ବ୍ୟବସାୟୀମାନଙ୍କଠାରୁ ଶୁଳ୍କ ଆଦାୟକୁ ମହତ୍ତ୍ୱ ଦେଇ ତାକୁ ରାଜସ୍ୱର ଏକ ପ୍ରମୁଖ ଉତ୍ସ କଲେ । ମରହଟ୍ଟା ଶାସନ କାଳରେ ଲବଣ ଉତ୍ପାଦନରେ ନିୟୋଜିତ ମଲାଙ୍ଗିମାନଙ୍କଠାରୁ କୌଣସି କର ଆଦାୟ ହେଉ ନଥିଲା । କେବଳ ଲୁଣ ବ୍ୟବସାୟୀମାନଙ୍କଠାରୁ ଶୁଳ୍କ ଆଦାୟ ହେଉଥିଲା । ମାତ୍ର ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ମରାଠାକାଳୀନ ଲବଣ ନୀତିକୁ ପରିବର୍ତ୍ତନ କଲେ । ୧୮୦୪ରେ ଓଡ଼ିଶାରେ ଇଷ୍ଟ ଇଣ୍ତିଆ କମ୍ପାନୀ ଲବଣ ଉତ୍ପାଦନ ଓ ବ୍ୟବସାୟ ଉପରେ ଏକଚାଟିଆ ଅଧିକାର ଜାହିର କଲେ ।

୧୮୦୪ରେ ସରକାର ପ୍ରଥମେ ଲବଣରୁ ଶୁଳ୍କ ଆଦାୟକୁ ସୁନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଲବଣ କାରବାରକୁ ବଙ୍ଗର ଲବଣ ବିଭାଗ ଅଧୀନରେ ରଖିଲେ ଏବଂ ଓଡ଼ିଶାପାଇଁ ଜଣେ ଲବଣ ଏଜେଣ୍ଟ ନିଯୁକ୍ତ କଲେ । ଜେମ୍‍ସ କିଙ୍ଗ୍‍ ହେଲେ ଓଡ଼ିଶାର ପ୍ରଥମ ଲବଣ ଏଜେଣ୍ଟ । ସରକାରଙ୍କ ଏକଚାଟିଆ ବ୍ୟବସ୍ଥା ଅନୁସାରେ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ଲୁଣ ଉତ୍ପାଦନ ନିଷିଦ୍ଧ ହେଲା । ୧୮୧୪ରେ ଘରୋଇ ବ୍ୟବହାରପାଇଁ ମଧ୍ୟ ଉପକୂଳରେ ଲୋକ ଲୁଣ ମାରିପାରିବେ ନାହିଁ ବୋଲି ଆଦେଶ ଜାରି ହେଲା । ଆଦେଶକୁ ଲାଗୁ କରିବାସକାଶେ ସ୍ଥାନେ ସ୍ଥାନେ ଲବଣ ଏଜେଣ୍ଟଙ୍କଦ୍ୱାରା କର୍ମଚାରୀ ନିଯୁକ୍ତ ହେଲେ । 'ବେନିୟମ୍‍' ଲୁଣମରା ବନ୍ଦ ହେଲେ ସରକାର ଲବଣରୁ ପ୍ରଚୁର ରାଜସ୍ୱ ଆଦାୟ କରିପାରିବେ ବୋଲି ଆଶା ବାନ୍ଧିଲେ । ଏମିତିରେ ବି ୧୮୧୮ର ଏକ ହିସାବ ଅନୁଯାୟୀ, କମ୍ପାନୀ ସରକାର୧୬୨ . ଓଡ଼ିଶା ଇତିହାସ