ପୃଷ୍ଠା:Odisha Itihasa.pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୂ-ରାଜସ୍ୱଠାରୁ ଅଧିକ ଅର୍ଥ ଲବଣ ବ୍ୟବସାୟରୁ ଲାଭ କରୁଥିଲେ । କମ୍ପାନୀ ଶାସନର ଶେଷ ବେଳକୁ (୧୮୫୮) ଲବଣ ବିକ୍ରୀରୁ କମ୍ପାନୀ ବାର୍ଷିକ ୩୯ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ । ଏହା ଭୂ-ରାଜସ୍ୱରୁ ଉପାର୍ଜିତ ଅର୍ଥର ଦୁଇଗୁଣରୁ ଅଧିକ ଥିଲା । ଓଡ଼ିଶାରେ ସେତେବେଳେ ଦୁଇ ପ୍ରକାର ଲୁଣ ଉତ୍ପାଦନ ହେଉଥିଲା । ବାଲେଶ୍ୱର ଓ କଟକ ଉପକୂଳରେ ଲବଣାକ୍ତ ପାଣିକୁ ଫୁଟାଇ ଲୁଣ ଉତ୍ପାଦନ କରାଯାଉଥିଲା । ଏହାକୁ ପଙ୍ଗା ଲୁଣ କୁହାଯାଉଥିଲା । ଏଥିରେ ଖର୍ଚ୍ଚ ଅଧିକ, କାରଣ ଲୁଣ ମାରିବାପାଇଁ ଜାଳେଣିର ଆବଶ୍ୟକତା ପଡୁଥିଲା । ଚିଲିକା, ହୁମା ଓ ଗଞ୍ଜାମର ଅନ୍ୟାନ୍ୟ ଉପକୂଳରେ ଲବଣାକ୍ତ ପାଣିକୁ ସୂର୍ଯ୍ୟ ତାପରେ ଶୁଖାଇ ଲୁଣ ଉତ୍ପାଦନ କରାଯାଉଥିଲା । ଏହାକୁ କର୍କଚ ଲୁଣ କୁହାଯାଉଥିଲା । ଏଥିରେ ପଙ୍ଗା ଲୁଣ ତୁଳନାରେ ଖର୍ଚ୍ଚ କମ୍‍ । ସେତେବେଳେ ମାଡ଼୍ରାସ୍‍ ଲବଣ ବିଭାଗରେ ବଙ୍ଗ ଅପେକ୍ଷା ଲବଣ ଶୁଳ୍କ ଖୁବ୍‍ କମ୍‍ (ଅଧାଅଧି) ଥିଲା । ସରକାର ଲବଣରୁ ଅଧିକ କର ଅସୁଲ କରିବା ଅଭିପ୍ରାୟରେ ଓଡ଼ିଶାର ଲବଣ କାରବାରକୁ ବଙ୍ଗ ଅଧୀନସ୍ଥ କରି ରଖିଲେ ଏବଂ ଉତ୍ପାଦନ ଖର୍ଚ୍ଚ ଊଣା କରିବା ସକାଶେ ସବୁଠି ପଙ୍ଗା ବଦଳରେ କର୍କଚ୍‍ ପଦ୍ଧତିରେ ଲୁଣ ମାରିବାକୁ ନିର୍ଦ୍ଦେଶ ଦେଲେ । ଜଳବାୟୁ ଦୃଷ୍ଟିରୁ ଏହା ସମ୍ଭବପର ହେଲା ନାହିଁ । ଫଳରେ ଲୁଣ ଉତ୍ପାଦକ ମଲାଙ୍ଗିମାନେ ବିଶେଷ କ୍ଷତିର ସମ୍ମୁଖୀନ ହେଲେ । ସେମାନେ ଆଗୁଆ ଅର୍ଥ ନେଇ ଏଜେଣ୍ଟ ବା କମ୍ପାନୀପାଇଁ ଲୁଣ ମାରୁଥିଲେ । ଏଥିରେ ସେମାନଙ୍କୁ ଅଳ୍ପ ପାରିଶ୍ରମିକ ମିଳୁଥିଲା । ପାରିଶ୍ରମିକ ବ୍ୟତୀତ ବ୍ୟକ୍ତିଗତ ବ୍ୟବହାରପାଇଁ ସେମାନଙ୍କୁ ଖୋରାକି ଲୁଣ ଯୋଗାଇ ଦିଆଯାଉଥିଲା । ବ୍ୟବହାର ବାହାରେ ବଳକା ଲୁଣକୁ ସେମାନେ ବଜାରରେ ବିକ୍ରୀ କରି ଯତ୍‍‌କିଞ୍ଚିତ୍‍ ଲାଭ ପାଉଥିଲେ । ଲୁଣ ଆଇନ୍‍ କଠୋର ନଥିଲା ବେଳେ କିଛି ଅଧିକ ଲୁଣ ମଧ୍ୟ ସେମାନେ ଉତ୍ପାଦନ କରି 'ଚୋରାରେ' ବଜାରରେ ବିକ୍ରୀ କରୁଥିଲେ ।

୧୮୩୬ରେ ମଲାଙ୍ଗିମାନଙ୍କୁ ଦିଆଯାଉଥିବା ଖୋରାକି ଲୁଣ ବନ୍ଦ କରି ଦିଆଗଲା; ୧୮୩୮ରେ ସେମାନଙ୍କର ମହଣ ପିଛା ପାରିଶ୍ରମିକକୁ ମଧ୍ୟ ହ୍ରାସ କରିଦିଆଗଲା । ଲିଭରପୁଲ୍‍ରୁ ଆମଦାନୀ ହେଉଥିବା ଲୁଣର ପ୍ରସାରପାଇଁ ଏହା କରାଯାଉଥିଲା । ଏହା ଫଳରେ ଦେଶୀ ଲୁଣ ତୁଳନାରେ ବିଦେଶୀ ଲୁଣ ବଜାରରେ ଶସ୍ତାରେ ଉପଲବ୍ଧ ହେଲା । ଆରମ୍ଭରେ ବିଦେଶୀ ଲୁଣ ବ୍ୟବହାରକୁ ନେଇ ସାମାଜିକ ବାରଣ ରହିଥିଲା । ମାତ୍ର ଶସ୍ତାରେ ମିଳିବାଯୋଗୁଁ ୧୮୬୦ ମସିହା ବେଳକୁ ଏହା ଓଡ଼ିଶାରେ ବହୁତ ପରିମାଣରେ ବିକ୍ରୀ ହେଲା । ଦେଶୀ ପଙ୍ଗା ଓ କର୍କଚ୍‍ ଲୁଣ ବିରୁଦ୍ଧରେ ଯୁକ୍ତି କରାଗଲା ଯେ, ଏହା ବିଦେଶୀ ଲୁଣ ତୁଳନାରେ ନିମ୍ନ ମାନର ଓ ସ୍ୱାସ୍ଥ୍ୟପାଇଁ ଅହିତକର । ମାତ୍ର ୧୮୨୨ରେ ଓଡ଼ିଶାର କମିସନର ଷ୍ଟର୍ଲିିଂ ସାହେବ ଦେଶୀ ଲୁଣର ପ୍ରଶଂସା କରି ଲେଖିଥିଲେ "ଅସ୍ୱାସ୍ଥ୍ୟକର ପରିବେଶ ହେବା ସତ୍ତ୍ୱେ ଏଠାରେ (ଓଡ଼ିଶାରେ) ଭାରତର ସର୍ବୋତ୍କୃଷ୍ଟ ଲୁଣ ସରକାରଙ୍କ ଏକଚାଟିଆ ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦିତ ହୋଇଥାଏ । ଏଥିରୁ ବାର୍ଷିକ ପାଖାପାଖି ୧୮ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୁଏ ।"{{right|ଓଡ଼ିଶା ଇତିହାସ . ୧୬୩