ପୃଷ୍ଠା:Odisha Itihasa.pdf/୧୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲିଭରପୁଲ୍‍ରୁ ଆମଦାନୀ ହେଉଥିବା ଲୁଣକୁ ଅଧିକ ପ୍ରୋତ୍ସାହନ ମିଳିବାଯୋଗୁଁ ତଥା ପଙ୍ଗା ଲୁଣ ଉତ୍ପାଦନ ପ୍ରତି ସରକାରଙ୍କ ବୈମାତୃକ ମନୋଭାବଯୋଗୁଁ ୧୮୮୦ରେ ବଙ୍ଗ ପ୍ରେସିଡେନ୍‍ସିର ଲୁଣ ବିଭାଗ ବନ୍ଦ ହେଲା; ପଙ୍ଗା ଲୁଣ ଉତ୍ପାଦନ ପ୍ରାୟ ନିଶ୍ଚିହ୍ନ ହେଲା। ଏହା ଫଳରେ ପ୍ରାୟ ୨୬,୦୦୦ ମଲାଙ୍ଗି ଜୀବିକାର୍ଜନର ପନ୍ଥା ହରାଇଲେ। ଏମାନଙ୍କୁ ବାଦ୍‍ଦେଲେ ଲୁଣ ଉତ୍ପାଦନ ଶିଳ୍ପ ଓ ଲୁଣ ବ୍ୟବସାୟ ଉପରେ ଆଶ୍ରିତ ଅନେକ ଲୋକ (ଯଥା: ଜାଳେଣି ସଂଗ୍ରହକାରୀ, ମାଲ୍‍ବାହୀ ଶଗଡ଼ିଆ ଆଦି) ଜୀବିକା ହରାଇଲେ। ଏମାନେ ସମସ୍ତେ ଥିଲେ ଛୋଟ ଚାଷୀ ବା କୃଷି ଶ୍ରମିକ। ବନ୍ୟା, ବାତ୍ୟା ବେଳେ ଫସଲ ନଷ୍ଟ ହେଲେ ଲୁଣ ଉତ୍ପାଦନକୁ ଆଶ୍ରାକରି ସେମାନେ ଚଳି ଯାଉଥିଲେ। ଲୁଣ ଉତ୍ପାଦନ ବନ୍ଦ ହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବର୍ମା ଓ ଆସାମର ଚା' ବଗିଚାକୁ ଶ୍ରମିକ ଭାବରେ କାମ କରିବାପାଇଁ ଚାଲିଗଲେ, ଯଦିଓ ସେଠାରେ ନା ସେମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିଲା ନା ପରିବେଶ ସୁଖକର ଥିଲା।

୧୮୯୧ରେ ଓଡ଼ିଶାରେ ଦେଶୀ ଲୁଣ ଉତ୍ପାଦନ-ଶିଳ୍ପର ପୁନରୁଦ୍ଧାରଲାଗି ସରକାର ଏଠାକାର ଲୁଣ କାରବାରକୁ ବଙ୍ଗରୁ ମାଡ଼୍ରାସ୍‍ ଲୁଣ ବିଭାଗକୁ ସ୍ଥାନାନ୍ତର କଲେ। ଏକଚାଟିଆ ନୀତିରେ ପୁଣି ଥରେ ଓଡିଶାରେ ସରକାର ଲୁଣ ଉତ୍ପାଦନ ଆରମ୍ଭ କଲେ। ଉତ୍ପାଦନଖର୍ଚ୍ଚ ହ୍ରାସ ପାଇଁ ଏଥର ମାଡ଼୍ରାସରେ ପ୍ରଚଳିତ କର୍କଚ ପଦ୍ଧତିରେ ଅର୍ଥାତ୍‍ ଲବଣାକ୍ତ ଜଳକୁ ଖରାରେ ଶୁଖାଇ ଲୁଣ ଉତ୍ପାଦନ କରିବାପାଇଁ ମଲାଙ୍ଗିମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ଜଳବାୟୁ ଦୃଷ୍ଟିରୁ ଏହା ଅସଫଳ ହେଲା ଓ ମଲାଙ୍ଗିମାନେ ଅପୂରଣୀୟ କ୍ଷତି ସହିଲେ। ୧୯୦୨ରେ ଓଡ଼ିଶାରେ ସ୍ଥାନୀୟ ଲୁଣ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ଥିଲା। ରେଳର ପ୍ରଚଳନ ଫଳରେ ମାଡ୍ରାସ୍‍ ଓ ଲିଭରପୁଲରୁ ଲୁଣ ଆସି ଓଡ଼ିଶାରେ ବିକ୍ରୀ ହେଲା। ଏହିପରି ଭାବେ ଇଂରେଜ ଶାସନ କାଳରେ ଏକ ସ୍ଥାନୀୟ ପାରମ୍ପରିକ ଉଦ୍ୟୋଗ ଅଧୋପତନର ଶିକାର ହେଲା।

ଅବକାରୀ ଓ ବାଣିଜ୍ୟ ନୀତି

ଭୂ-ରାଜସ୍ୱ ଓ ଲବଣ ବ୍ୟବସାୟ ବ୍ୟତୀତ ଇଂରେଜ ସରକାର ଅବକାରୀ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟରୁ (ରପ୍ତାନି, ଆମଦାନୀ ଓ ଆଭ୍ୟନ୍ତରୀଣ ବାଣିଜ୍ୟ) ମଧ୍ୟ ରାଜସ୍ୱ ଆଦାୟ କରିବାକୁ ଲାଗିଲେ। ମରହଟ୍ଟା ଶାସନ କାଳରେ ଓଡ଼ିଶାରେ ବିନା କଟକଣାରେ ବିଭିନ୍ନ ପ୍ରକାର ମଦ ଉତ୍ପାଦନ ଓ ଅଫିମ କାରବାର ଚାଲିଥିଲା। ଲୋକେ ତାକୁ ବିଶେଷକରି ଘରୋଇ ଭାବେ ଉତ୍ପାଦନ ଓ ବ୍ୟବହାର କରୁଥିଲେ। ଆଦିବାସୀ ଓ ଗ୍ରାମୀଣ କ୍ଷେତ୍ରରେ ଦେଶୀ ମଦର ବ୍ୟବହାର ଥିଲେ ମଧ୍ୟ ବ୍ୟବସାୟ ଭାବରେ ତା'ର ବିଶେଷ ପ୍ରଚଳନ ନଥିଲା। ଏହି କାରଣରୁ ମରହଟ୍ଟାମାନେ ଏବଂ ତାଙ୍କ ପୂର୍ବରୁ ମୋଗଲମାନେ ତା' ଉପରେ ଶୁଳ୍କ ବସାଇ ନ ଥିଲେ। ଇଂରେଜମାନଙ୍କ ପାଇଁ ଏହା ଆୟର ଏକ ସ୍ରୋତ ହେଲା। ଆରମ୍ଭରେ ଏହାର କାରବାରକୁ ନିୟନ୍ତ୍ରଣ କରିବା ସହଜ ନଥିଲା। ତଥାପି କାଳକ୍ରମେ ଏଥିରୁ ସରକାରୀ ରାଜସ୍ୱ ବୃଦ୍ଧି ପାଇବାକୁ୧୬୪ . ଓଡ଼ିଶା ଇତିହାସ