ପୃଷ୍ଠା:Odisha Itihasa.pdf/୧୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲାଗିଲା। ୧୮୧୪-୧୫ ମସିହାରେ ଇଂରେଜ ସରକାରଙ୍କ ଅବକାରୀ ଆୟ ଥିଲା ବାର୍ଷିକ ୧୫,୦୦୦ଟଙ୍କା। ଏହା ୧୮୫୭-୫୮ବେଳକୁ ଅର୍ଥାତ୍‍ କମ୍ପାନୀର ଉଚ୍ଛେଦ ହେଲା ବେଳକୁ ବୃଦ୍ଧିପାଇ ହେଲା ୯୩,୬୬୭ ଟଙ୍କା। କାଳକ୍ରମେ ଅବକାରୀ ଦ୍ରବ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ବୃଦ୍ଧି ପାଇଲା। ବଜାରକୁ ବିଦେଶୀ ମାଦକ ଦ୍ରବ୍ୟ ମଧ୍ୟ ଆମଦାନୀ ହେଲା। ଏହା ଫଳରେ ସରକାରଙ୍କ ଅବକାରୀ ଆୟ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ୧୯୧୩-୧୪ ବେଳକୁ ଏହା ଭୂ-ରାଜସ୍ୱରୁ ତିନି ଲକ୍ଷ ଟଙ୍କା ଊଣା ଥିଲା ବେଳେ ୧୯୧୯-୨୦ ବେଳକୁ ବୃଦ୍ଧିପାଇ ଭୂରାଜସ୍ୱଠାରୁ ପାଞ୍ଚ ଲକ୍ଷ ଟଙ୍କା ଅଧିକ ହେଲା।

ମୁଦ୍ରା ନୀତି

ମରହଟ୍ଟା ଶାସନ କାଳରେ ଓଡ଼ିଶାରେ କଉଡ଼ି ମୁଦ୍ରାର ପ୍ରଚଳନ ଥିଲା। ୧୮୧୧ରେ ସରକାର ରୌପ୍ୟ ମୁଦ୍ରାରେ ରାଜସ୍ୱ ଆଦାୟ କଲେ। ଏହି କାରଣରୁ କଉଡ଼ିର ମୂଲ୍ୟରେ ପତନ ଘଟିଲା। ଲୋକେ କଉଡ଼ି ବିନିମୟରେ ରୌପ୍ୟ ମୁଦ୍ରା ସଂଗ୍ରହ କରିବାକୁ ପ୍ରୟାସ କରି ମୁଦ୍ରା ବିନିମୟକାରୀଦ୍ୱାରା ଶୋଷିତ ହେଲେ। ସରକାର ସ୍ଥିର କରିଥିଲେ, ଟଙ୍କାକୁ ଚାରି କାହାଣ କଉଡ଼ି, ମାତ୍ର ଅସଲି ବଜାରରେ ବିନିମୟ ମୂଲ୍ୟ ହେଲା ଟଙ୍କାକୁ ଛଅରୁ ସାତ କାହାଣ କଉଡ଼ି। ଅର୍ଥାତ୍‍ ଯେଉଁ ଜମିଦାର ପାଞ୍ଚ ହଜାର ଟଙ୍କା ରାଜସ୍ୱ ଦେବାପାଇଁ ୨୦,୦୦୦ କଉଡ଼ି ଦେଉଥିଲେ, ଏବେ ଅବମୂଲ୍ୟାୟନ ପରେ ଦେବେ ୩୦,୦୦୦ ବା ତା'ଠାରୁ ଊର୍ଦ୍ଧ୍ୱ କଉଡ଼ି। ଏହାକୁ ଭରଣା କରିବାସକାଶେ ଜମିଦାରମାନେ ଅଧିକ କଠୋର ଭାବେ ରୟତ ପ୍ରଜାଠାରୁ ଅଧିକ କଉଡ଼ି ଦେୟ ମାଗିଲେ। କଉଡ଼ି ଯେହେତୁ ବିଶେଷକରି ଗରିବ ତଳ ସ୍ତରର ଲୋକ ଅଧିକ ବ୍ୟବହାର କରୁଥିଲେ, ସେମାନଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଲା। କ୍ରୟ ବିକ୍ରୟ ବେଳେ ସେମାନଙ୍କ ପାଖରେ ଥିବା କଉଡ଼ିକୁ ରୌପ୍ୟମୁଦ୍ରାରେ ବିନିମୟ କରାଯିବାରୁ ସେମାନେ ଶୋଷଣର ଶିକାର ହେଲେ ଏବଂ ବଜାରରେ ରୌପ୍ୟ ମୁଦ୍ରାର କୃତ୍ରିମ ଅଭାବ ସୃଷ୍ଟି ହେଲା। ଏଥିରେ ମୁଦ୍ରାବିନିମୟକାରୀ ସାହୁକାର ମହାଜନମାନେ ଖୁବ୍‍ ଲାଭ ପାଇଲେ।

ଜଗନ୍ନାଥ ମନ୍ଦିର ପରିଚାଳନା

ଇଂରେଜମାନଙ୍କର ଓଡ଼ିଶା ଦଖଲ ବେଳେ ମରହଟ୍ଟାମାନଙ୍କ ହାତରେ ଜଗନ୍ନାଥ ମନ୍ଦିର ପରିଚାଳନା ଭାର ରହିଥିଲା। ଖୋର୍ଦ୍ଧା ରାଜା ପ୍ରତିଶ୍ରୁତି ମତେ ଲକ୍ଷେ ଟଙ୍କା ଦେଇ ପାରି ନଥିବାରୁ ମରହଟ୍ଟାମାନେ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଖୋର୍ଦ୍ଧା ରାଜାଙ୍କଠାରୁ କାଢ଼ି ନେଇ ନିଜ ଅଧୀନରେ ରଖିଲେ। ଇଂରେଜମାନେ ମରାଠାମାନଙ୍କୁ ପରାଜିତ କରି ସେହି ଅଧିକାର ନିଜ ହାତକୁ ନେଲେ। ଏଥିପାଇଁ ଉଭୟ ଖୋର୍ଦ୍ଧା ରାଜା ଓ ତାଙ୍କ ସମଥର୍କ ବ୍ରାହ୍ମଣ ଗୋଷ୍ଠୀ ଏବଂ ଖ୍ରୀଷ୍ଟିଆନ୍‍ ମିସନାରୀ ଗୋଷ୍ଠୀଦ୍ୱାରା ସରକାର ତୀବ୍ର ସମାଲୋଚନାର ଶିକାର ହେଲେ। ମିଶନାରୀମାନଙ୍କ ଅଭିଯୋଗ

ଓଡ଼ିଶା ଇତିହାସ . ୧୬୫