ପୃଷ୍ଠା:Odisha Itihasa.pdf/୧୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ହାତକୁ ନେଇ କମ୍ପାନୀ ସରକାର ଖ୍ରୀଷ୍ଟିଆନ୍‍ ମିଶନାରୀମାନଙ୍କର ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ । ଏହାଦ୍ୱାରା ସରକାର ମୂର୍ତ୍ତିିପୂଜାକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ ହେଉଥିଲା । ସେତେବେଳେ ରଥଯାତ୍ରା ସମୟରେ ଅନେକ ଲୋକ ରଥଚକ ତଳେ ମୃତ୍ୟୁବରଣ କରୁଥିଲେ । ସରକାରଙ୍କ ବିରୋଧୀ ମିଶନାରୀମାନଙ୍କ ମତରେ ଏହି ଅମାନୁଷିକ ନରହତ୍ୟାକୁ କମ୍ପାନୀ ପ୍ରୋତ୍ସାହିତ କରୁଛନ୍ତି । ମନ୍ଦିର ପରିଚାଳନାପାଇଁ ସରକାର ନିୟମିତ ଅର୍ଥ ସାହାଯ୍ୟ କରୁଥିଲେ । ଏହାକୁ ଖ୍ରୀଷ୍ଟିଆନ୍‍ ବିରୋଧୀ କାର୍ଯ୍ୟ ବୋଲି ମିଶନାରୀମାନେ ଅଭିଯୋଗ କରୁଥିଲେ ।

ମନ୍ଦିର କାର୍ଯ୍ୟରେ ସଂପୃକ୍ତି ନେଇ ସରକାରଙ୍କ ସମାଲୋଚନା ଇଂଲଣ୍ତରେ ମଧ୍ୟ ଶୁଣାଗଲା । କମ୍ପାନୀର ନିୟନ୍ତ୍ରଣ ବୋର୍ଡ଼୍ (Board of Control) ମଧ୍ୟ ସରକାରର ଧାର୍ମିକ ହସ୍ତକ୍ଷେପକୁ ନାପସନ୍ଦ କଲେ । ୧୮୩୩ରେ କମ୍ପାନୀର ନିର୍ଦ୍ଦେଶକମଣ୍ତଳୀ (Board of Directors) କମ୍ପାନୀ ସରକାରକୁ ମନ୍ଦିର ପରିଚାଳନାରେ ସଂପୃକ୍ତ ନହେବାପାଇଁ ତଥା ତୀର୍ଥଯାତ୍ରୀ କରକୁ ଉଚ୍ଛେଦ କରିବାକୁ ପ୍ରବଳ ଚାପ ପ୍ରୟୋଗ କଲେ । ସରକାରଙ୍କୁ ଇଙ୍ଗିତ କରି ମଣ୍ତଳୀ ମନ୍ତବ୍ୟ ଦେଲେ, "ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନର ଶାନ୍ତି ରକ୍ଷକ ହେବାର ବାହାନାରେ ଆମ୍ଭେମାନେ ମୂର୍ତ୍ତିପୂଜା ପୀଠଗୁଡ଼ିକର ପ୍ରମୁଖ ରକ୍ଷାକର୍ତ୍ତା ସାଜିଛୁ ।" ୧୮୩୮ରେ ନିର୍ଦ୍ଦେଶକମଣ୍ତଳୀ ପୁଣି ଥରେ ମନ୍ଦିର ପରିଚାଳନାରୁ ଦୂରେଇ ରହିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ୧୮୪୦ ଏପ୍ରିଲ୍‍ ମାସରେ ଏକ ନିୟମ ଅନୁସାରେ ତୀର୍ଥସ୍ଥାନମାନଙ୍କରେ ତୀର୍ଥଯାତ୍ରୀକର ଉଚ୍ଛେଦ କରାଯିବା ନେଇ ନିର୍ଦ୍ଦେଶ ଜାରି ହେଲା । ସେହି ଅନୁସାରେ ପୁରୀ ମନ୍ଦିରରୁ ମଧ୍ୟ ତୀର୍ଥଯାତ୍ରୀ କର ଆଦାୟ ବନ୍ଦ ହେଲା ।

ଏହା ପରେ ମିଶନାରୀମାନେ ମନ୍ଦିରକୁ ଆର୍ଥିକ ଅନୁଦାନ ନ ଦେବାକୁ ସରକାରଙ୍କୁ ବାଧ୍ୟ କଲେ । ୧୮୫୦ ମସିହାରେ ଏ ନେଇ ଇଂଲଣ୍ତର କମ୍ପାନୀ ନିର୍ଦ୍ଦେଶକମଣ୍ତଳୀ ପାଖରେ ଦାବିପତ୍ର ପେଶ୍‍ କରାଗଲା । ଏହାର ଉତ୍ତରରେ କଟକ କମିସନର ଏ.ଜେ.ଏମ୍‍. ମିଲ୍‍ସ ଅନୁଦାନ କୌଣସି ବ୍ୟକ୍ତିଗତ ପୂଜକପାଇଁ ନୁହେଁ, ବରଂ ଏକ ସାର୍ବଜନୀନ ଅନୁଷ୍ଠାନର ସାଧାରଣ ହିତପାଇଁ ବୋଲି ଯୁକ୍ତି କଲେ । ଏହାର ଅବମାନନା କଲେ ମରାଠା ସମୟରୁ ରହିଥିବା ପରମ୍ପରା ଭଙ୍ଗ ହେବ ଓ ଜନ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ସେ ଜଣାଇଲେ । ୧୮୬୩ ମସିହାରୁ ସରକାରଙ୍କ ତରଫରୁ ମନ୍ଦିରକୁ ପ୍ରତ୍ୟକ୍ଷ ଆର୍ଥିକ ଅନୁଦାନ ଦେବାର ବିଧି ପୂର୍ଣ୍ଣତଃ ବନ୍ଦ ହେଲା । ତା' ସ୍ଥାନରେ ମନ୍ଦିର ନାମରେ ଦେବୋତ୍ତର ଜମିର ଆୟକୁ ବ୍ୟବହାର କରାଗଲା । ଉକ୍ତ ଜମି ଖୋର୍ଦ୍ଧା ଗଜପତିଙ୍କୁ ଦିଆଗଲା । କହିବା ବାହୁଲ୍ୟ ଯେ, ଦେବୋତ୍ତର ଜମିର ଆୟ, ପୂର୍ବରୁ ମିଳୁଥିବା ସରକାରୀ ମଂଜୁରୀର ସମତୁଲ୍ୟ ଥିଲା ।

ଗଡ଼ଜାତ ନୀତି ମୋଗଲ ଓ ମରହଟ୍ଟା ଶାସନ କାଳରେ ଓଡ଼ିଶାରେ ଅନେକଗୁଡ଼ିଏ କରଦ ରାଜ୍ୟ ରହିଥିଲେ । ଘନ ଜଙ୍ଗଲ ଓ ମାଳଭୂମିପରିପୂର୍ଣ୍ଣ ଏହି ରାଜ୍ୟଗୁଡ଼ିକ ଗମନାଗମନ ଓ ଯୋଗାଯୋଗ ଦୃଷ୍ଟିରୁ{{right|ଓଡ଼ିଶା ଇତିହାସ . ୧୬୭