ପୃଷ୍ଠା:Odisha Itihasa.pdf/୧୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମତଳ କ୍ଷେତ୍ରର ଶାସକମାନଙ୍କପାଇଁ ଅପହଞ୍ଚ ମନେ ହେଉଥିଲା । ତେଣୁ ମୋଗଲ ଓ ପରେ ମରହଟ୍ଟାମାନେ ଏହି ରାଜ୍ୟଗୁଡ଼ିକରେ ପ୍ରତ୍ୟକ୍ଷ ଶାସନ ପ୍ରବର୍ତ୍ତନ କରି ପାରି ନଥିଲେ । ଅର୍ଥାତ୍‍ ସଂପୃକ୍ତ ରାଜାମାନେ ପ୍ରଭୁତ୍ୱ ସ୍ୱୀକାର କରି ବାର୍ଷିକ କର ଦେଉଥିଲେ ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ସ୍ୱାଧୀନତା ପାଇଥିଲେ । ନିର୍ଦ୍ଧାରିତ କର ଅସୁଲି ପରେ ମୋଗଲ ଓ ମରହଟ୍ଟାମାନେ ଏହି କରଦ ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ପ୍ରଶାସନରେ ହସ୍ତକ୍ଷେପ କରୁ ନଥିଲେ । ଏହି ରାଜ୍ୟଗୁଡ଼ିକୁ ଗଡ଼ଜାତ କୁହାଯାଉଥିଲା । ଗଡ଼ଜାତ ବାହାରେ ରହଥିବା ପ୍ରତ୍ୟକ୍ଷ ଶାସନାଧୀନ କ୍ଷେତ୍ରକୁ ମୋଗଲବନ୍ଦି କୁହାଯାଉଥିଲା । ମୋଗଲମାନଙ୍କଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ମରହଟ୍ଟାମାନେ କାୟମ ରଖିଥିଲେ । ମୋଗଲ ବା ମରହଟ୍ଟା ଆଇନ କାନୁନ, ପୋଲିସ୍‍ , ସାଧାରଣ ପ୍ରାଶାସନିକ ବ୍ୟବସ୍ଥା, ଅର୍ଥ ବ୍ୟବସ୍ଥା ଇତ୍ୟାଦି କଥା ଯାହା ଆଲୋଚନାକୁ ଆସେ, ତାହା ମୋଗଲବନ୍ଦି କ୍ଷେତ୍ରରେ ସୀମିତ ରହୁଥିଲା; ଗଡ଼ଜାତରେ ତା'ର ସିଧା ପ୍ରବର୍ତ୍ତନ ହେଉ ନଥିଲା । ଇଂରେଜମାନେ କଟକ ଦଖଲ କଲାବେଳେ ଉପକୂଳ ଓ କେନ୍ଦ୍ର ଓଡ଼ିଶାରେ ଅନେକ ଗଡ଼ଜାତ ରହିଥିଲା । ଏହା ବାହାରେ ଦକ୍ଷିଣ ଓଡ଼ିଶା, ଯାହା ଗଞ୍ଜାମ ଏଜେନ୍‍ସି ନାମରେ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ସହିତ ମିଶି ରହିଥିଲା, ତହିଁରେ ମଧ୍ୟ ଏଭଳି କେତୋଟି ରାଜ୍ୟ ଥିଲା । ପୁଣି ସମ୍ବଲପୁରକୁ କେନ୍ଦ୍ର କରି ପଶ୍ଚିମ ଓଡ଼ିଶା ଓ ଆଧୁିନିକ ଛତିଶଗଡ଼ର ୧୮ଟି କ୍ଷୁଦ୍ର ରାଜ୍ୟ ରହିଥିଲେ । ୧୮୦୩ରେ ଇଂରେଜ ଓ ମରହଟ୍ଟାମାନଙ୍କ ମଧ୍ୟରେ ଦେଓଗାଁ ଚୁକ୍ତି ସ୍ୱାକ୍ଷରିତ ହେବା ବେଳକୁ ଏ ମଧ୍ୟରୁ ଅନେକ ରାଜା ଇଂରେଜମାନଙ୍କ ପ୍ରଭୁତ୍ୱ ସ୍ୱୀକାର କରି ସାରିଥିଲେ । ୧୮୦୫ ଶେଷ ସୁଦ୍ଧା ସମସ୍ତ ଗଡ଼ଜାତ ଇଂରେଜମାନଙ୍କ କର୍ତ୍ତୃତ୍ୱ ସ୍ୱୀକାର କରି ସାରିଥିଲେ ।

ଇଂରେଜ ଶାସନ କାଳରେ ମଧ୍ୟ ପୂର୍ବରୁ ଚଳି ଆସୁଥିବା ଗଡ଼ଜାତ ବ୍ୟବସ୍ଥା ଅବ୍ୟାହତ ରହିଲା । ଏହାର ଅର୍ଥ ହେଲା ଯେ ଇଂରେଜମାନେ ପ୍ରଜାଙ୍କ ମଙ୍ଗଳକୁ ଗୌଣ କରି କର ଅସୁଲକୁ ପ୍ରମୁଖତା ଦେଉଥିଲେ ।୧୮୦୪-୦୫ରେ ଯେତେବେଳେ ମୋଗଲବନ୍ଦିର ଭୂ-ରାଜସ୍ୱ ଥିଲା ୧୩,୬୩,୬୬୮ଟଙ୍କା, ୨୯ଟି ଗଡ଼ଜାତର ଭୂ-ରାଜସ୍ୱ ଥିଲା ୧,୧୮,୬୮୭ ଟଙ୍କା । ଏହି ଟଙ୍କା ଗଡ଼ଜାତମାନେ ସରକାରଙ୍କ ରାଜକୋଷରେ ଜମା କରୁଥିଲେ । ମାତ୍ର ସରକାରଙ୍କ ମୋଟାମୋଟି ହିସାବ ଅନୁଯାୟୀ, ସେମାନେ ପ୍ରଜାଙ୍କଠାରୁ ଆଦାୟ କରୁଥିଲେ ପ୍ରାୟ ୬୫୦,୦୦୦ଟଙ୍କା । ଏହା ବାହାରେ ମଧ୍ୟ ଅନେକ କର ସେଠାକାର ପ୍ରଜା ଦେଉଥିଲେ । ଯଦି ମୋଗଲ, ମରାଠା ଓ ଇଂରେଜମାନଙ୍କଦ୍ୱାରା ଆଦାୟ ହେଉଥିବା ଓଡ଼ିଶାର ଭୂ-ରାଜସ୍ୱକୁ ତୁଳନା କରାଯାଏ, ତେବେ ଜଣାଯିବ ଯେ (ଷ୍ଟର୍ଲିିଂଙ୍କ ହିସାବ ଅନୁଯାୟୀ) ମୋଗଲ ସମୟରେ ଏହା ଥିଲା ୧୫,୮୯,୭୩୨ଟଙ୍କା; ମରାଠା ସମୟରେ ୧୪,୪୦୦୦୦ଟଙ୍କା ଏବଂ ଇଂରେଜ ସମୟରେ (୧୮୦୪-୧୮୦୫) ୧୩,୬୩,୬୬୮ ଟଙ୍କା । ଯଦିଓ ମୋଗଲ ଓ ମରାଠା ସମୟରେ ଧାର୍ଯ୍ୟ ଭୂ-ରାଜସ୍ୱ ଅଧିକ ଥିଲା, ପ୍ରକୃତରେ ୧୨ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ ହେଉ ନଥିଲା । ଅନ୍ୟ ପକ୍ଷରେ, କଠୋର ନିୟମଯୋଗୁଁ ଇଂରେଜ ସମୟରେ ଧାର୍ଯ୍ୟ ଭୂ-ରାଜସ୍ୱ ପ୍ରକୃତରେ ସଂଗ୍ରହ ମଧ୍ୟ ହେଉଥିଲା । ଦ୍ୱିତୀୟତଃ, ଯେଉଁ କଠୋରତାର ସହିତ ଜମିଦାର ଓ ରାଜାମାନଙ୍କଠାରୁ କର୧୬୮ . ଓଡ଼ିଶା ଇତିହାସ