ପୃଷ୍ଠା:Odisha Itihasa.pdf/୧୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସୁଲ କରାଯାଉଥିଲା, ତତୋଽଧିକ କଠୋରତା ସହ ଏହି ଅସୁଲକାରୀମାନେ ପ୍ରଜାଙ୍କଠାରୁ ଖଜଣା ଅସୁଲ କରୁଥିଲେ । ଏହା ପ୍ରଜାଙ୍କ ଦୁଃଖକୁ ଖୁବ୍‍ ଅଧିକ ମାତ୍ରାରେ ବୃଦ୍ଧି କରୁଥିଲା । ଓଡ଼ିଶାରେ ଇଂରେଜ ଶାସନ ସମୟରେ ଜମିଦାରମାନେ ଏକ ନୂଆ ସାମାଜିକ ଶ୍ରେଣୀ ଭାବରେ ଉଭୟ ଗଡ଼ଜାତ ଓ ମୋଗଲବନ୍ଦି କ୍ଷେତ୍ରରେ ବିକାଶ ଲାଭ କଲେ । ମୋଗଲ ଓ ମରାଠା ସମୟରେ ଚୌଧୁରୀ, କାନୁନ୍‌ଗୋ, ମକଦ୍ଦମ, ଅମିଲ ଆଦି ରାଜକର୍ମଚାରୀମାନେ ବଂଶାନୁକ୍ରମିକ ଭାବେ ରାଜସ୍ୱ ଅସୁଲ ତଥା ଆହୁରି ଅନେକ ସାଧାରଣ କାମପାଇଁ ନିଯୁକ୍ତ ହୋଇଥିଲେ । ଏଥିପାଇଁ ସେମାନେ ମାସିକ ବେତନ ବଦଳରେ ଜମି ପାଇଥିଲେ । ଇଂରେଜମାନେ ସେ ସମସ୍ତଙ୍କୁ 'ଜମିଦାର' ଘୋଷଣା କରିଦେଲେ, କାରଣ ଏହି ସଂପନ୍ନବର୍ଗ ହାତରେ ଜମି ରହିଲେ କୃଷିର ଉନ୍ନତି ହେବ ବୋଲି ସେମାନେ ଆଶା କରୁଥିଲେ । ଇଂଲଣ୍ତରେ ଜମି ବଡ଼ ବଡ଼ ଭୂମିମାଲିକଙ୍କ ହାତକୁ ଗଲା ପରେ ଉତ୍ପାଦନରେ ବୃଦ୍ଧି ଘଟିଥିଲା, ଯାହା ପୁଞ୍ଜିବାଦୀ ବିକାଶକୁ ସାହାଯ୍ୟ କରିଥିଲା । ଏକ ଭୂମିମାଲିକ ବା ଜମିଦାରବର୍ଗ ସୃଷ୍ଟି କରି ଭାରତରେ ଏବଂ ବିଶେଷକରି ଓଡ଼ିଶାରେ ପୁଞ୍ଜିବାଦୀ କୃଷି ବିକାଶ କରାଯାଇ ପାରିବ ବୋଲି ସେମାନେ ମନେ କରିଥିଲେ । ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ମାଧ୍ୟମରେ ଏହି ଜମିଦାରବର୍ଗ ସୃଷ୍ଟି ହୋଇଥିଲା । ଓଡ଼ିଶାରେ ଭୂ-ବନ୍ଦୋବସ୍ତକୁ ଚିରସ୍ଥାୟୀ କରାଗଲା ନାହିଁ, କାରଣ ଉତ୍ପାଦନ ଊଣା ରହୁଥିବାରୁ ରାଜସ୍ୱକୁ ସ୍ଥାୟୀ ଭାବରେ ସରକାର ଧାର୍ଯ୍ୟ କରିବାକୁ ଚାହୁଁ ନଥିଲେ । ଭବିଷ୍ୟତରେ ଓଡ଼ିଶାରେ ଉତ୍ପାଦନ ବୃଦ୍ଧିପାଇଲେ ବନ୍ଦୋବସ୍ତ ଚିରସ୍ଥାୟୀ ହେବ ବୋଲି କେବଳ ପ୍ରତିଶ୍ରୁତି ଦିଆଗଲା ।

ଆରମ୍ଭରେ ଗଡ଼ଜାତମାନଙ୍କୁ ଆଭ୍ୟନ୍ତରୀଣ ସ୍ୱାଧୀନତା ମିଳିଥିଲା । ୧୮୦୪ରେ ସମ୍ବଲପୁର ଓ ଗଞ୍ଜାମ ଏଜେନ୍‍ସିକୁ ବାଦ ଦେଇ ଯେଉଁ କଟକ ଡିଭିଜନ ରହିଥିଲା, ତହିଁରେ ଥିଲା ମୋଟ ୩୦ଟି ଗଡ଼ଜାତ । ତନ୍ମଧ୍ୟରୁ ୧୮୦୪ରେ ବିଦ୍ରୋହ କରି ବିଫଳ ହେଲା ପରେ ଖୋର୍ଦ୍ଧାକୁ ଖାସମାହାଲରେ ପରିଣତ କରି ଦିଆଗଲା । ବାକି ୨୯ଟି ଗଡ଼ଜାତରୁ ୧୪ଟିରେ ସିଧାସିଧା ବ୍ରିଟିଶ୍‍ ନିୟମ ଲାଗୁ ହେଉ ନଥିଲା । ଏହା ପରୋକ୍ଷରେ ଲାଗୁ ହେଉଥିଲା । ପରେ କଟକ, ସମ୍ବଲପୁର ଓ ଗଞ୍ଜାମ ଏଜେନ୍‍ସି ବା ପ୍ରାକୃତିକ ଓଡ଼ିଶାରେ ମୋଟ ୨୬ଟି ଗଡ଼ଜାତ ରହିଲେ । ଅନ୍ୟଗୁଡ଼ିକ ହୁଏତ ଜମିଦାରୀ ଭାବରେ ଗଣାହେଲେ, ନୋହିଲେ ମୋଗଲବନ୍ଦିରେ ସେଗୁଡିକୁ ସାମିଲ୍‍ କରି ଦିଆଗଲା। ଏହି ଗଡ଼ଜାତମାନଙ୍କରେ ଖୁବ୍‍ ପ୍ରଜା ଉତ୍ପୀଡ଼ନ ଥିଲା;ମୋଗଲବନ୍ଦି ତୁଳନାରେ ଶିକ୍ଷା, ସଂସ୍କୃତି, ବାଣିଜ୍ୟ, ଯୋଗାଯୋଗ ଆଦି ସବୁ କ୍ଷେତ୍ରରେ ସେଗୁଡ଼ିକ ପଛରେ ରହିଥିଲେ । ଲୋକେ ଗଡ଼ଜାତକୁ ଅନ୍ଧାରୀ ଶାସନ ବୋଲି କହୁଥିଲେ । ନାଗରିକ ଅଧିକାରର ସେଠାରେ ନାମଗନ୍ଧ ନ ଥିଲା । ଇଂରେଜ ସରକାର ନିଜକୁ ଗଣତନ୍ତ୍ର,ବ୍ୟକ୍ତି ସ୍ୱାଧୀନତା ଓ ଆଧୁନିକତାର ଜନ୍ମଦାତା ବୋଲି ଦାବି କରୁଥିଲେ ମଧ୍ୟ ଗଡ଼ଜାତର ଅଂଧାରୀ ଶାସନକୁ ପ୍ରଶ୍ରୟ ଦେଉଥିଲେ । ଏହା ପଛରେ କାରଣ ହେଲା ଯେ, ଗଡ଼ଜାତର ରାଜାମାନେ ଇଂରେଜ ସରକାରକୁ ଶେଷ ପର୍ଯ୍ୟନ୍ତ ଅଂଧ ସମର୍ଥନ ଦେଇ ଆସିଥିଲେ ।{{right|ଓଡ଼ିଶା ଇତିହାସ . ୧୬୯