ପୃଷ୍ଠା:Odisha Itihasa.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖୋର୍ଦ୍ଧାର ଗୋଳବାଇକୁ ବାଦ ଦେଲେ ଢେଙ୍କାନାଳ ଜିଲ୍ଲାର ସାଙ୍କେରଜଙ୍ଗ ଓ ଦୁନିରିଆ, ସୋନପୁର ଜିଲ୍ଲାର ଖମ୍ବେଶ୍ୱରୀପାଲି, ଓ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ୍, କ୍ଷେତ୍ରା ତଥା ବାହାଡ଼ାଠାରେ ତାମ୍ର ପ୍ରସ୍ତରଯୁଗୀୟ ଉପକରଣମାନ ମିଳିଛି । ୧୯୯୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଦାଶିବ ପ୍ରଧାନ ଓ ପ୍ରଦୀପ କୁମାର ବେହେରା ଖମ୍ବେଶ୍ୱରୀପାଲିରେ କେତେକ ତାମ୍ର ଅସ୍ତ୍ରଶସ୍ତ୍ର, ତଥା ଲୋହିତ ଓ କୃଷ୍ଣବର୍ଣ୍ଣର ବିଭିନ୍ନ ମାଟି ପାତ୍ର ଖନନ ବେଳେ ଆବିଷ୍କାର କରିଥିଲେ । ମାଟିପାତ୍ରଗୁଡିକ ମଧ୍ୟରେ ରହିଥିଲା ସରା, ବେଲା, ଥାଳି, ପଲମ ଓ ହାଣ୍ତି ଭଳି ଉପାଦେୟ ସଂରକ୍ଷଣ ପାତ୍ର । ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ଖନନ ସ୍ଥଳୀରୁ ଆବିଷ୍କୃତ ବଡ଼ ଆକାରର ତାମ୍ର କୁରାଢ଼ିରୁ ମନେହୁଏ, ଏହାକୁ ହୁଏତ ଗଛ ହାଣିବା ତଥା ଅନ୍ୟାନ୍ୟ ବସ୍ତୁକୁ କାଟିବା କାମରେ ବ୍ୟବହାର କରା ହେଉଥିଲା । କାର୍ବନ ଡେଟିଂ ପଦ୍ଧତି ଆଧାରରେ ଓଡ଼ିଶାରେ ଏହି ସଂସ୍କୃତିର ସମୟକାଳ ଖ୍ରୀ.ପୂ. ୨୧୦୦ରୁ ଖ୍ରୀ.ପୂ. ୧୫୦୦ ମଧ୍ୟରେ ବୋଲି ଅନୁମାନ କରାଯାଏ ।

ଶୈଳଚିତ୍ର ହେଲା ପ୍ରାକ୍-ଐତିହାସିକ ଯୁଗର ଏକ ପ୍ରମୁଖ ବିଶେଷତ୍ୱ । ଏହି ଚିତ୍ରଗୁଡ଼ିକ ମୁଖ୍ୟତଃ ଶୈଳାଶ୍ରୟ ଓ ଗୁମ୍ଫାମାନଙ୍କରେ ଖୋଦିତ ଓ ରଙ୍ଗଦ୍ୱାରା ଚିତ୍ରିତ ହୋଇଥିବାର ଦେଖାଯାଏ । ଏଥିରୁ ମନେହୁଏ ଯେ ଆଦିମାନବ ଗୁମ୍ଫା ଓ ଶୈଳାଶ୍ରୟରେ ମୁଖ୍ୟତଃ ବସବାସ କରୁଥିଲା । ଚିରସ୍ରୋତା ଝରଣା ନିକଟରେ ସେ ଅଧିକ ସମୟ ଅବସ୍ଥାନ କରୁଥିବାରୁ ସେଠାରେ ମଧ୍ୟ ଶୈଳଚିତ୍ର ଦେଖିବାକୁ ମିଳେ । ଶୈଳଚିତ୍ରରୁ ଆଦିମାନବର ସୃଜନଶୀଳତା, କଳ୍ପନା, ଧର୍ମବିଶ୍ୱାସ, ଜୀବନଧାରଣ ପ୍ରଣାଳୀ ତଥା ପ୍ରକୃତି ସହ ନିବିଡ଼ ସମ୍ବନ୍ଧର ଅବଧାରଣା କରିହୁଏ ।

ଶୈଳଚିତ୍ର ମୁଖ୍ୟତଃ ଦୁଇ ପ୍ରକାରର : ବିଭିନ୍ନ ମାଟି ରଂଗଦ୍ୱାରା ଅଙ୍କିତ ଚିତ୍ର (Paintings or Pictographs) ଏବଂ ଖୋଦିତ ଚିତ୍ର (Engravings or Petroglyphs) । ପ୍ରସ୍ତର ଗାତ୍ରରେ (Rock Canvas) ଗେରୁ ରଂଗରେ ଏହି ଚିତ୍ରକଳା ଅଙ୍କିତ ହୋଇଥିବାରୁ ଦୀର୍ଘକାଳ ଧରି ସୁରକ୍ଷିତ ରହିଅଛି । କ୍ରାନ୍ତିବଳୟ, ମେରୁ ଅଞ୍ଚଳ ତଥା ବରଫାବୃତ୍ତ ଅଞ୍ଚଳରେ ମଧ୍ୟ ଶୈଳଚିତ୍ର ଦେଖାଯାଏ । ଏଥିରୁ ଅନୁମାନ କରାଯାଇପାରେ ଯେ ଆଦିମାନବ ଏକଦା ଏସବୁ ଅଞ୍ଚଳରେ ବସବାସ କରୁଥିଲା ।

ଭାରତରେ ପଶ୍ଚିମବଙ୍ଗ ଓ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳକୁ ବାଦ୍‌ଦେଲେ ପ୍ରାୟ ସବୁ ରାଜ୍ୟରେ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ଉତ୍ତର ଓ ଦକ୍ଷିଣ ଭାରତରେ ସାଧାରଣତଃ ଖୋଦିତ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ଅନ୍ୟ ପକ୍ଷରେ ଅବିଭକ୍ତ ମଧ୍ୟପ୍ରଦେଶରେ ବହୁଳ ମାତ୍ରାରେ ଉଭୟ ଖୋଦିତ ଓ ଚିତ୍ରିତ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ୧୯୩୩ରେ ପାଟନା ସଂଗ୍ରହାଳୟର ଗବେଷକ କେ.ପି. ଜୟସ୍ୱାଲ ସର୍ବପ୍ରଥମେ ଓଡ଼ିଶାର ବିକ୍ରମଖୋଲଠାରେ (ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲା) ଶୈଳଚିତ୍ର ଆବିଷ୍କାର କରିଥିଲେ । ପରେ ସତ୍ୟନାରାୟଣ ରାଜଗୁରୁ ଓ ଜିତାମିତ୍ର ପ୍ରସାଦ ସିଂହଦେଓ ଯଥାକ୍ରମେ କଳାହାଣ୍ତିର ଗୁଡ଼ହାଣ୍ତି ଓ ନୂଆପଡ଼ା ଜିଲ୍ଲାର ଯୋଗୀମଠଠାରେ ଶୈଳଚିତ୍ରମାନ ଆବିଷ୍କାର କରିଛନ୍ତି । କେବଳ ସଦାଶିବ ପ୍ରଧାନ ରାଜ୍ୟର ୧୧ଟି ଜିଲ୍ଲାରୁ ମୋଟ ୧୦୪ଟି ଶୈଳଚିତ୍ର ଆବିଷ୍କାର କରିଛନ୍ତି ।{{right|ଓଡ଼ିଶା ଇତିହାସ . ୧୭